ପୂର୍ବତନ କ୍ରାଇମବ୍ରାଞ୍ଚ ଆଇଜି ତଥା IPS ଅରୁଣ ବୋଥ୍ରାଙ୍କ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ବଢ଼ିଲା ଚର୍ଚ୍ଚା । ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତିଙ୍କୁ କ୍ଲିନ୍ ଚିଟ୍ ମିଳିବା ପରେ ଅରୁଣ 'X' ରେ ଏକ ପୋଷ୍ଟ କରିଛନ୍ତି ।
ଜାତୀୟ ଗଣମାଧ୍ୟମର ଖବରକୁ ରିପୋଷ୍ଟ କରି ବୋଥ୍ରା ଲେଖିଛନ୍ତି, ଚାରି ବର୍ଷ ପୂର୍ବେ, ମୁମ୍ବାଇ ପୋଲିସକୁ ଅନେକ ଟିଭି ଆଙ୍କର ଓ ଅଗଣିତ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଭିତ୍ତିହୀନ ଅଭିଯୋଗ ସହ ନିନ୍ଦିତ କରାଯାଇଥିଲା। ହେଲେ ଏବେ, ଏହା ସ୍ପଷ୍ଟ ଯେ ପୋଲିସ୍ ବୃତ୍ତିଗତ ଭାବେ ନିଜର ତଦନ୍ତ କରିଥିଲା । ଅପରାଧ ତଦନ୍ତ ବିଷୟରେ କୌଣସି ଧାରଣା ନଥିବା ଲୋକମାନେ ମିଛ ଏବଂ ଅପବାଦପୂର୍ଣ୍ଣ ମନ୍ତବ୍ୟ ଦେଇ ପ୍ରଚାର ସୃଷ୍ଟି କରିପାରିବେ । କିନ୍ତୁ ଶେଷରେ, କେବଳ ପ୍ରମାଣ ଏବଂ କୋର୍ଟ ରାୟ ଗୁରୁତ୍ୱ ରଖେ ବୋଲି ବୋଥ୍ରା ଲେଖିଛନ୍ତି ।
Also Read
ଅଧିକ ପଢ଼ନ୍ତୁ: ବାଙ୍ଗିରିପୋଷିକୁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ବିରୋଧ, ଢେଲା ମାଡ଼ରେ ଭାଙ୍ଗିଲା ମନ୍ତ୍ରୀଙ୍କୁ ଛାଡି ଫେରୁଥିବା କାର୍ କାଚ
ହେଲେ ପ୍ରଶ୍ନ ଉଠୁଛି ବୋଥ୍ରାଙ୍କ ଏ ପୋଷ୍ଟ କାହିଁକି? ସୂଚନାଯୋଗ୍ୟ, ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ପ୍ରଥମେ ତଦନ୍ତ ଦାୟିତ୍ବ ଥିଲା ଅରୁଣ ବୋଥ୍ରାଙ୍କ ପାଖରେ । ହେଲେ ତତନ୍ତ ପ୍ରକ୍ରିୟାକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହେବାପରେ ଏବେ ପୁଣି ଥରେ କ୍ରାଇମବ୍ରାଞ୍ଚ ସାନି ତଦନ୍ତ ଆରମ୍ଭ କରିଛି । ତେଣୁ ସୁଶାନ୍ତ ସିଂ ପ୍ରସଙ୍ଗରେ ଅରୁଣଙ୍କ ଏ ପୋଷ୍ଟ କେଉଁ ଦିଗକୁ ଇଙ୍ଗିତ କରୁଛି । ତା'କୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି । ଅନ୍ୟପକ୍ଷରେ x ପୋଷ୍ଟକୁ ନେଇ ଅରୁଣ ବୋଥ୍ରା କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।
ସୂଚନାଯୋଗ୍ୟ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆକ୍ଟିଭ ମୋଡ଼ରେ ରହିଛି କ୍ରାଇମବ୍ରାଞ୍ଚ । ଏହି କିଛି ଦିନ ଜେରା ଭିତରେ ନବଙ୍କ ପରିବାରଙ୍କ ସମେତ ସମସ୍ତଙ୍କୁ ଜେରା ପରେ ଏଥର ଅଭିଯୁକ୍ତ ଗୋପାଳ ଦାସଙ୍କ ପାଳି ପଡିପାରେ ବୋଲି ଅନୁମାନ କରାଯାଉଛି । ନବଙ୍କୁ ବ୍ରଜରାଜନଗର ବିଚ୍ ରାସ୍ତା ଉପରେ ଗୁଳି ମାରି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ପୋଲିସ୍ ASI ଗୋପାଳ ଦାସଙ୍କୁ ହୋଇପାରେ ପଚରାଉଚରା ।
ଚୌଦ୍ୱାର ଜେଲରେ ଥିବା ଗୋପାଳକୁ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା କରିବ । ପୂର୍ବ ସରକାରରେ ପୂର୍ବ ତଦନ୍ତକାରୀ ଟିମରେ ଗୋପାଳକୁ ବି ଜେରା କରାଯାଇଥିଲା । ଗୁଜରାଟକୁ ନେଇ ପଲିଗ୍ରାଫ୍ ଟେଷ୍ଟ ବି କରିଥିଲା କ୍ରାଇମବ୍ରାଞ୍ଚ । ହେଲେ ସେଥିରୁ କଣ ମିଳିଥିଲା, କଣ କହିଥିଲା ଗୋପାଳ ସେ କଥା ଜଣାପଡ଼ିନଥିଲା କି ସାମ୍ନାକୁ ଆସିନଥିଲା । କିନ୍ତୁ ଏବେ କ୍ରାଇମବ୍ରାଞ୍ଚର ନୂଆ ଟିମ୍ ତଦନ୍ତ ପରିସରକୁ ବଢ଼ାଇଛି । ସବୁ ଦିଗକୁ ନେଇ ତଦନ୍ତ କରିବା ସହ ଗୋପାଳଙ୍କୁ ପୁଣି ଜେରା କରିପାରେ ।