• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କଏଦୀଙ୍କ ହାତରେ ମାରଣାସ୍ତ୍ର । ଜେଲର ସେଲ୍ ଭିତରେ ଭାଇଗିରି । ଛୁରୀ ବୁଲାଇ ମୋବାଇଲରେ ହେଉଛି ଭିଡିଓ ସୁଟିଂ । ସାକ୍ଷୀଙ୍କୁ ପଠାଇ କରାଯାଉଛି ଭୟଭୀତ । ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ପୁଣି ଥରେ ପଦାରେ ପଡ଼ିଛି ଝାରପଡା ଜେଲ ଭିତରର ସତ । ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ଝାରପଡା ଜେଲ ଭିତରେ ଚାଲିଛି କଣ? ଭାଇରାଲ ଭିଡିଓରେ କିଭଳି ଜଣେ ଯୁବକ ହାତରେ ମାରଣାସ୍ତ୍ର ଦେଖାଇ ଶୋ କରୁଛନ୍ତି ।

ଆଉ ଏକ ଭିଡ଼ିଓରେ କିଛି ଯୁବକ ବସି ଖଟି ଚଳାଇଛନ୍ତି । ଆପଣଙ୍କୁ ଲାଗୁଥିବ, ଏହା କୌଣସି କ୍ଳବ୍ କିମ୍ବା ଖଟି ଘରର ଦୃଶ୍ୟ । କିନ୍ତୁ ଏହା ହେଉଛି ଝାରପଡା ଜେଲ ଭିତରର ଦୃଶ୍ୟ । ଆଉ ମାରଣାସ୍ତ୍ର ଧରି କଳାକୌଶଳ ଦେଖାଉଥିବା ଏହି ଯୁବକ ଜଣେ ବିଚାରଧୀନ କଏଦୀ, ନନ୍ଦୁ । ବ୍ରାଉନସୁଗାର କାରବାରରେ ଜେଲ୍ ଯାଇଥିବା ବେଳେ ନିଜ ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଏଭଳି ଭିଡିଓ ସୁଟ୍ କରି ପଠାଇଥିବା ଅଭିଯୋଗ ହୋଇଛି ।

ସେପଟେ କେବଳ ସାକ୍ଷୀ ନୁହେଁ, କିଛି ଅଭିଯୁକ୍ତ ବଟି ବି ଏଭଳି ମାଗୁଥିବା ଅଭିଯୋଗ ହୋଇଛି । ତେବେ ଜେଲ ଭିତରକୁ ସ୍ମାର୍ଟ ଫୋନ ଆସିଲା କେମିତି? ଜେଲ ଭିତରୁ ଧମକପୂର୍ଣ୍ଣ ଭିଡ଼ିଓ କଲ କରାଯାଉଛି କେମିତି? ଏମିତି କେତେ ସ୍ମାର୍ଟ ଫୋନ ଜେଲ୍ ଭିତରେ ରହିଛି, ତାକୁ ନେଇ ଉଠିଛି ପ୍ରଶ୍ନ । ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡ଼କୁ ଆସିଛନ୍ତି ଜେଲ କର୍ତ୍ତୃପକ୍ଷ ।

ଝାରପଡା ଜେଲରୁ ଜବତ ହୋଇଛି ଛୁରୀ ଓ ମୋବାଇଲ । ତେବେ ଗଳାବାଟ ଦେଇ ଜେଲ ଭିତରକୁ ଏସବୁ ଯାଇଥିବା କହିଛନ୍ତି ଜେଲ କର୍ତ୍ତୃପକ୍ଷ । ଏନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ବି ଦିଆଯାଇଥିବା ସୂଚନା ଦେଇଛନ୍ତି ଝାରପଡା ଜେଲ ସୁପରିଟେଣ୍ଡେଣ୍ଟ । ଏହାସହ ସିସିଟିଭି ଚେକ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି ସେ କହିଛନ୍ତି ।

ପୂର୍ବରୁ ଝାରପଡା ଜେଲରୁ ବିଭିନ୍ନ ସମୟରେ ନିଶା ଦ୍ରବ୍ୟ ସହ ମୋବାଇଲ ଫୋନ୍ ଜବତ ହୋଇଛି । ହେଲେ ବି ବନ୍ଦ ହେଉନି କାରବାର । ଆଉ ଏବେ ଏଭଳି ମାରଣାସ୍ତ୍ର ବୁଲିବା , ସୁରକ୍ଷାକୁ ନେଇ ଉଠାଇଛି ବଡ଼ ପ୍ରଶ୍ନ ।

OTV is now on Whatsapp

Join and get latest news update delivered to you via whatsapp

Join Now