• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିଜର ରୋକଠୋକ୍ ଜବାବ ପାଇଁ ଚର୍ଚ୍ଚାରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ରୁଷ ଠାରୁ ତେଲ କିଣା ପ୍ରସଙ୍ଗରେ କଡ଼ ଭାଷାରେ ଜବାବ ରଖି ବ୍ରିଟିଶ୍ ବୈଦେଶିକ ସଚିବଙ୍କ ମୁହଁ ବନ୍ଦ କରିଦେଇଥିବା ଜୟଶଙ୍କରଙ୍କୁ ଏବେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । କାରଣ ଭାରତରେ ମାନବାଧିକାର ଉଲ୍ଲଂଘନ ପ୍ରସଙ୍ଗରେ ଆମେରିକାର ମନ୍ତବ୍ୟ ପାଇଁ ବି ଶକ୍ତ ପ୍ରତିକ୍ରିୟା ରଖିଛନ୍ତି। ଆମେରିକାକୁ ତାରି ଭାଷାରେ ଜବାବ ଦେଇଛନ୍ତି ।

ମାନବାଧିକାର ଉପରେ ଜ୍ଞାନ ଦେଉଥିବା ଆମେରିକାକୁ ଭାରତର କଡ଼ା ଜବାବ୍ । ଆମେରିକୀୟ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କ ମନ୍ତବ୍ୟରେ ଗାଲରେ ଚାପୁଡ଼ା ମାରିଲା ଭଳି ରୋକଠୋକ୍ ଜବାବ ଦେଲେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର । କହିଲେ ତୁମ ଉପରେ ବି ଅଛି ଆମର ନଜର ।ଭାରତ- ଆମେରିକା ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀ ସ୍ତରୀୟ ଟୁ ପ୍ଲସ୍ ଟୁ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଭାରତରେ ମାନବାଧିକାର ଉଲ୍ଲଂଘନ ହେଉଥିବା ପ୍ରସଙ୍ଗ ଉଠାଇଥିଲେ ବ୍ଲିଙ୍କେନ୍ ।

ଆମେରିକା ଭାରତରେ ହେଉଥିବା କିଛି ସଦ୍ୟ ଚିନ୍ତାଜନକ ଘଟଣାକ୍ରମ ଉପରେ ନଜର ରଖିଛି ବୋଲି କହିଥିଲେ । ଯେଉଁଥିରେ କିଛି ସରକାରୀ, ପୋଲିସ ଓ ଜେଲ୍ ଅଧିକାରୀଙ୍କ ମାନବାଧିକାର ଉଲ୍ଲଂଘନ ଭଳି ଘଟଣା ସାମିଲ ରହିଛି । ତେବେ ଏହା ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ସେ କହିଛନ୍ତି, ଭାରତ ଉପରେ ମତ ରଖିବା ପାଇଁ ସମସ୍ତେ ସ୍ୱାଧୀନ । କିନ୍ତୁ ଏହା ମନେ ରଖିବା ଉଚିତ ଯେ ଭାରତର ବି ନିଜ କଥା ରଖିବାର ପୂରା ଅଧିକାର ଅଛି । ଆମେରିକାରେ ମାନବାଧିକାର ଉଲ୍ଲଂଘନ ମାମଲା ଉପରେ ବି ଆମର ନଜର ରହିଛି ।

ବିଶେଷତଃ ଭାରତୀୟ ସମୁଦାୟର ହିତକୁ ନେଇ ଆମେ ଚିନ୍ତିତ ଅଛୁ । ଖାଖ କରି ଯେତେବେଳେ ଆମେରିକାରେ ଭାରତୀୟ ସମୁଦାୟ ବିରୋଧରେ ମାନବାଧିକାର ଉଲ୍ଲଂଘନ କଥା ଆସିବ, ସେତେବେଳେ ଆମେ ଚୁପ୍ ରହିବୁ ନାହିଁ । ଯେମିତିକି ଦୁଇ ଦିନ ତଳର ଏକ ଘଟଣା ଘଟିଛି ।

ନିକଟରେ ଆମେରିକାର ନ୍ୟୁୟର୍କ ସହରରେ ଶିଖ୍ ସମୁଦାୟର ୨ ଜଣଙ୍କ ଉପରେ ଆକ୍ରମଣ ହୋଇଥିଲା । ଗତ ୧୦ ଦିନରେ ଏହା ଦ୍ୱିତୀୟ ଘଟଣା । ଏହା ପୂର୍ବରୁ ଜଣେ ବୟସ୍କ ଶିଖ୍ ବ୍ୟକ୍ତି ଆକ୍ରମଣର ଶିକାର ହୋଇଥିଲେ । ଏହି ଘଟଣାକୁ ଆଧାର କରି ଆମେରିକାକୁ ତାରି ଭାଷାରେ ଜବାବ ଦେଇଛନ୍ତି ଜୟଶଙ୍କର

ଭାରତକୁ ସମାଲୋଚନା କରିବାକୁ ଚେଷ୍ଟା କରୁଥିବା ବିଦେଶୀ ପ୍ରତିପକ୍ଷଙ୍କୁ ଜୟଶଙ୍କରଙ୍କ ଜବାବର ଇଏ ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ରୁଷ ଠାରୁ ରିହାତି ଦରରେ ତେଲ କିଣାକୁ ନେଇ ବ୍ରିଟେନ୍ ବୈଦେଶିକ ବୈଦେଶିକ ସଚିବ ଲିଜ୍ ଟ୍ରସଙ୍କୁ ବି ଭଲରେ ବୁଝାଇ ଦେଇଥିଲେ ଏସ୍. ଜୟଶଙ୍କର । ଏଥିସହ ଆମେରିକା ସହିତ ଟୁ ପ୍ଲସ୍ ଟୁ ବୈଠକରେ କହିଥିଲେ, ଯେ ୟୁରୋପ ଗୋଟିଏ ଓଳିରେ ଋଷିଆ ଠାରୁ ଯେତିକି ପେଟ୍ରୋଲିୟମ ନେଉଛି, ଆମେ ମାସକରେ ବି ନେଉନୁ।