/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694585442.jpg)
Nipah Virus
କେରଳରେ ପୁଣି ନିପା ଭୂତାଣୁ ଆତଙ୍କ । କୋଝିକୋଡରେ ଦୁଇ ଜଣଙ୍କ ନିପା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହେବା ପରେ ପୁରା ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି । କେରଳ ସରକାରଙ୍କ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇ ସ୍ଥିତି ଉପରେ ନଜର ରଖାଯାଇଛି । ସତର୍କତାମୂଳକ ପଦକ୍ଷେପ ଭାବେ ଲୋକମାନଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ମୃତକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଚିକିତ୍ସା ଚାଲିଥିବାରୁ ନିପାକୁ ନେଇ ଆତଙ୍କିତ ନହେବାକୁ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ କହିଛନ୍ତି ।...
କେରଳ କୋଝିକୋଡ଼ର ଏକ ଘରୋଇ ମେଡିକାଲରେ ଗତକାଲି ଦୁଇ ଜଣଙ୍କ ନିପା ସଂକ୍ରମଣରେ ମୃତ୍ୟୁ ହୋଇଥିଲା । ଏଥିପାଇଁ ପୂରା ରାଜ୍ୟକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୁଇ ସପ୍ତାହ ମଧ୍ୟରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାରୁ ଲୋକଙ୍କ ମନରେ ଛନକା ପଶିଛି । ପରିସ୍ଥିତିକୁ ଦେଖି ସେମାନଙ୍କ ନମୁନାକୁ ପୁନେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ପରୀକ୍ଷାପାଇଁ ପଠାଯାଇଛି। ମୃତକଙ୍କ ଜଣେ ସମ୍ପର୍କୀୟ ମଧ୍ୟ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ସମ୍ପର୍କୀୟମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମଧ୍ୟ ନଜର ରଖାଯାଇଛି । ମୃତକଙ୍କ ଆଉ କିଛି ସମ୍ପର୍କୀୟଙ୍କ ନମୁନା ମଧ୍ୟ ସଂଗ୍ରହ କରାଯାଇଛି ।...
ନିପା ଭୂତାଣୁ ସଂକ୍ରମଣରେ ଏବେ କାହାର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ଭାବେ କେରଳ ସରକାରଙ୍କ ପକ୍ଷରୁ ଏକ ଆଇସୋଲେସନ୍ ୱାର୍ଡ ପ୍ରସ୍ତୁତ ରଖାଯାଇଛି । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି । କୋଝିକୋଡ୍ ଜିଲ୍ଲାର କଲ୍ଲାଡ୍ ଓ ମଙ୍ଗଲାଡ୍ ଅଂଚଳରେ ହାଇ ଆଲର୍ଟ ଜାରି ସହ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୃତକଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଉଛି। ଯଦି ମୃତକଙ୍କ ନମୁନା ପଜିଟିଭ୍ ଆସେ ତେବେ ପୁରା ଅଂଚଳକୁ କ୍ବାରେଣ୍ଟିନ୍ କରିବାକୁ ପଦକ୍ଷେପ ନିଆଯାଉଛି ।...
କେରଳରେ ପୂର୍ବରୁ ମଧ୍ୟ ନିପା ଭୂତାଣୁ ଆତଙ୍କ ସୃଷ୍ଟି କରିଛି । ୨୦୧୮ ମସିହାରେ ପ୍ରଥମଥର ପାଇଁ ରାଜ୍ୟ ରେ ନିପା ସଂକ୍ରମଣ ଦେଖାଦେଇଥିଲା । ଏଥିରେ ୧୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ଜଣ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ତା ପରବର୍ଷ ୨୦୧୯ରେ ମଧ୍ୟ ନିପା ଆତଙ୍କ ଦେଖାଦେଇଥିଲା । କିନ୍ତୁ କେରଳ ସରକାର ଏଥିପାଇଁ ପ୍ରସ୍ତୁତ ଥିବାର ସଂକ୍ରମଣ ରୋକିବାକୁ ସକ୍ଷମ ହୋଇଥିଲେ । ଏଥିରେ ଜଣେ ହେଲେ ବି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇ ନଥିଲା । ୨୦୨୧ ମସିହାରେ ନିପା ଭୂତାଣୁ ସଂକ୍ରମଣରେ କୋଝିକୋଡ୍ ଜିଲ୍ଲାର ଜଣେ ଶିଶୁର ମୃତ୍ୟୁ ହୋଇଥିଲା ।
ନିପା ଭାଇରସର ଲକ୍ଷଣ ଓ ଏହାର ଚିକିତ୍ସା ପଦ୍ଧତି
୧୯୯୮ ମସିହାରେ ମାଲେସିଆରେ ପ୍ରଥମ ଥର ପାଇଁ ନିପା ଭୂତାଣୁ ଠାବ କରାଯାଇଥିଲା । ପ୍ରାକୃତିକ ଭାବେ ବାଦୁଡ଼ି ମାନଙ୍କ ଠାରେ ଏହି ଭୂତାଣୁ ରହିଥାଏ । ଘୁଷୁରୀମାନେ ମଧ୍ୟ ଏହି ଭୂତାଣୁ ବାହକ ସାଜିଥାନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ବାଦୁଡି ଓ ଘୁଷରୀ ଠାରୁ ଏହା ମନୁଷ୍ୟକୁ ସଂକ୍ରମିତ ହୋଇଥାଏ।
ସଂକ୍ରମିତଙ୍କ ଠାରେ ବେଳେ ବେଳେ କୌଣସି ଲକ୍ଷଣ ଦେଖା ଯାଇ ନଥିଲେ ମଧ୍ୟ ଶ୍ୱାସ ପ୍ରଶ୍ୱାସରେ ଗଭୀର କଷ୍ଟ ହୋଇଥାଏ । ସଂକ୍ରମିତ ହେବାର ୪ଦିନରୁ ୨ ସପ୍ତାହ ମଧ୍ୟରେ ରୋଗୀଙ୍କ ଠାରେ ଲକ୍ଷଣ ଦେଖାଦେଇଥାଏ। ପ୍ରାଥମିକ ଅବସ୍ଥାରେ ରୋଗୀଙ୍କ ଠାରେ ଜ୍ୱର ଓ ମୁଣ୍ଡବ୍ୟଥା ହୋଇଥାଏ। ଏହା ୩ଦିନରୁ ଆରମ୍ଭ କରି କିଛି ସପ୍ତାହ ପର୍ଯ୍ୟନ୍ତ ରହିଥାଏ ।
ସଂକ୍ରମିତଙ୍କ ଠାରେ କାଶ, ତଣ୍ଟିଦରଜ ଓ ଶ୍ୱାସକ୍ରିୟାରେ କଷ୍ଟ ଭଳି ଲକ୍ଷଣ ଦେଖାଦେଇଥାଏ । ଯଦି ଏହା ଏନସେଫାଲିଟିସ୍ ବା ମସ୍ତିଷ୍କ ପ୍ରଦାହ ଭଳି ଜଟିଳ ଲକ୍ଷଣକୁ ପରିବର୍ତ୍ତିତ ହୁଏ, ତେବେ ଦିନେ ଦୁଇ ଦିନ ଭିତରେ ସଂକ୍ରମିତଙ୍କ ମୃତ୍ୟୁ ହେବା ଆଶଙ୍କା ଦେଖାଦେଇଥାଏ । ନିପା ଭତାଣୁ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଏପର୍ଯ୍ୟନ୍ତ କୌଣସି ଟିକା କିମ୍ବା ଔଷଧ ବାହାରି ନାହିଁ। ଏଥିପାଇଁ ଆଇସିୟୁ ରଖି ଚିକିତ୍ସା ପାଇଁ ପରାମର୍ଶ ଦିଆଯାଇଛି ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)