• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗୁଳିଗୋଳା, କମାଣକୁ ଖାତିର ନକରି କଣ୍ଟକିତ ତଥା ବନ୍ଧୁର ପଥରେ ଆଗେଇ ଯାଆନ୍ତି ଦେଶର ଶୂରବୀର । ମାତୃଭୂମିର ଟେକ, ମାଟି ମା’ର ଅଭିମାନ ଓ ଜୀବନ ଯୌବନକୁ ଜଳାଞ୍ଜଳି ଦେଇ ଶତ୍ରୁ ସାମ୍ନାରେ ଛାତି ଫୁଲାଇ ଛିଡ଼ା ହୋଇଯାଆନ୍ତି ଭାରତ ମାତାର ବୀର ପୁତ୍ର । ଯୁଦ୍ଧଭୂମିରେ ଦେଶ ପାଇଁ ଲଢ଼େଇ କରିବା, ଜୀବନ ଦେବା ସହଜ କଥା ନୁହେଁ । ଆଉ ଯିଏ ଦେଶ ପାଇଁ ରକ୍ତ ନିଗାଡ଼ି ଯୁଦ୍ଧରେ ସାମିଲ ହୁଏ, ତାଙ୍କୁ ହିଁ ପରମବୀର ଉପାଧି ମିଳିଥାଏ । ଭାରତକୁ ଏଥିପାଇଁ ବୀରଭୂମି କୁହାଯାଏ, କାରଣ ଏହି ମାଟି ମା’ କୋଳରେ କେତେ କେତେ ସୁଯୋଗ୍ୟ ସନ୍ତାନ ଜନ୍ମ ନେଇଛନ୍ତି ..। ଆଉ ଆମ ମାନଙ୍କର ସୌଭାଗ୍ୟ ସେଭଳି ଅନେକ ବୀରଙ୍କୁ ସାମ୍ନାରେ ଦେଖିବାର ସୁଯୋଗ ମିଳୁଛି ।

ଏପରି ଜଣେ ବୀରଙ୍କ ନାମ ହେଲା ରାଇଫଲ ମ୍ୟାନ ସଞ୍ଜୟ କୁମାର(ଏବେ ସୁବେଦାର ମେଜର ସଞ୍ଜୟ କୁମାର) । ଯିଏ କାରଗିଲରେ ପଏଣ୍ଟ ୪୮୭୫ରେ କାନ୍ଧ ଉପରେ ମେସିନ୍‌ ଗନ୍ ରଖି ଶତ୍ରୁର କଲିଜା ପାଣି କରିଦେଇଥିଲେ । ତାଙ୍କର ଭୟଙ୍କର ରୂପ ଦେଖି ଶଙ୍କିତ ହୋଇ ପଡ଼ିଥିଲେ ଶତ୍ରୁପକ୍ଷ । ସେହି ସାହସିକତା ପାଇଁ ସଞ୍ଜୟ କୁମାରଙ୍କୁ ପରମବୀର ଚକ୍ର ପ୍ରଦାନ କରାଯାଇଥିଲା । ଆଉ ତାଙ୍କର ସେହି ପରାକ୍ରମର କାହାଣୀ ଏବେ ଆକାଶରେ ହଜାର ଫୁଟ ଉଚ୍ଚରେ ଗୁଞ୍ଜରିତ ହୋଇଛି ।

ପରମବୀର ଚକ୍ର ସମ୍ମାନରେ ସମ୍ମାନିତ ହୋଇଥିବା ସୁବେଦାର ମେଜର ସଞ୍ଜୟ କୁମାର ଇଣ୍ଡିଗୋ ବିମାନ ଯୋଗେ ପୁଣେ ଯାତ୍ରା କରୁଥିବା ବେଳେ ତାଙ୍କୁ ଏଭଳି ଭାବରେ ସ୍ୱାଗତ କରାଯାଇଛି, ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲିଟିଛି । ହୁଏତ କାରଗିଲ ଯୁଦ୍ଧକୁ ଅନେକ ବର୍ଷ ବିତିଯାଇଛି, ହେଲେ ତାଙ୍କ ଶୌର୍ଯ୍ୟ ଆଜି ବି ଲୋକଙ୍କ ମନରେ ଦାଉ ଦାଉ ହୋଇ ଜଳୁଛି । ସଞ୍ଜୟ କୁମାରଙ୍କୁ ଦେଖି ଫ୍ଲାଇଟ୍‌ର କ୍ରିଉ ମେମ୍ବର ତାଙ୍କର ଭବ୍ୟ ସ୍ୱାଗ କରିବା ସହ ସମସ୍ତଙ୍କ ସହ ପରିଚିତ କରାଇଥିଲେ । ତାଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା କରାଯାଇଥିଲା ।

"ଆମ ମାନଙ୍କ ମଧ୍ୟରେ ଜଣେ ବିଶେଷ ବ୍ୟକ୍ତିତ୍ୱ ଯାତ୍ରା କରୁଛନ୍ତି । କାରଗିଲ ହିରୋ ଏବଂ ପରମବୀର ଚକ୍ର ପୁରସ୍କାର ପ୍ରାପ୍ତ ସଞ୍ଜୟ କୁମାର ବିମାନରେ ଅଛନ୍ତି । ଯେଉଁମାନେ ଜାଣନ୍ତି ନାହିଁ... ଏହି ପୁରସ୍କାର କାହିଁକି ପ୍ରଦାନ କରାଯାଏ.., ଜାଣି ରଖନ୍ତୁ ଭାରତ ଇତିହାସରେ ଆଜି ପର୍ଯ୍ୟନ୍ତ କେବଳ ୨୧ ଜଣ ଭାରତୀୟ ବୀରଙ୍କୁ ଏହି ସମ୍ମାନ ଦିଆଯାଇଛି ’ ବୋଲି ଘୋଷଣା କରାଯାଇଥିଲା ।

ଏହି ଘୋଷଣା ପରେ ବିମାନର କର୍ମଚାରୀମାନେ ସଞ୍ଜୟ କୁମାରଙ୍କୁ ସମ୍ମାନିତ କରିଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି, ସେହି ସମୟରେ ବିମାନରେ ବସିଥିବା ଅନ୍ୟ ଯାତ୍ରୀମାନେ କରତାଳି ଦେଇ ଯବାନଙ୍କୁ ସମ୍ମାନ ଜଣାଉଛନ୍ତି । ଦେଶ ମାତୃକାର ଜଣେ ସୁଯୋଗ୍ୟ ସନ୍ତାନକୁ ଇଣ୍ଡିଗୋ ଯେପରି ସମ୍ମାନ ଜଣାଇଛି, ସମସ୍ତେ ଏହାକୁ ବହୁତ ପ୍ରଶଂସା କରୁଛନ୍ତି ।

କାରଗିଲର ପଏଣ୍ଟ୍ ୪୮୭୫ର ହିରୋ ସଞ୍ଜୟ କୁମାର, କାନ୍ଧରେ ମେସିନ ଗନ୍ ରଖି ଶତ୍ରୁକୁ ଗୋଡ଼ାଇଥିଲେ

ହିମାଚଳ ପ୍ରଦେଶର ବିଲାସପୁର ଜିଲ୍ଲାରେ ୩ ମାର୍ଚ୍ଚ, ୧୯୭୬ରେ ସଞ୍ଜୟଙ୍କ ଜନ୍ମ । ଉଚ୍ଚଶିକ୍ଷା ପରେ ୧୯୯୬ରେ ଭାରତୀୟ ସେନାର ସାମଲି ହୋଇଥିଲେ ସଞ୍ଜୟ । କଠୋର ତାଲିମ ପରେ୧୩ ଜାମ୍ମୁ କାଶ୍ମୀର ରାଇଫଲରେ ସେ ମୁତୟନ ହୋଇଥିଲେ । ଚାକିରି କରିବାର ତିନି ବର୍ଷର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କାରଗିଲ ଯୁଦ୍ଧ ଆରମ୍ଭ ହୋଇଥିଲା । ଆଉ ତାଙ୍କୁ ଯୁଦ୍ଧରେ ସାମିଲ ହେବାକୁ ସୁଯୋଗ ମିଳିଥିଲା ।

ଜୁଲାଇ ୪, ୧୯୯୯ । ରାଇଫଲମାନ ସଞ୍ଜୟ କୁମାର ଓ ତାଙ୍କ ୟୁନିଟକୁ ମଶକୋହ ଉପତ୍ୟକାର ପଏଣ୍ଟ ୪୮୭୫ର ଫ୍ଲାଟ ଟପ୍ ଅଞ୍ଚଳରେ ତ୍ରିରଙ୍ଗା ଉଡ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ନିର୍ଦ୍ଦେଶ ଅନୁସାରେ ସଞ୍ଜୟ ତାଙ୍କ ଲକ୍ଷ୍ୟ ଆଡକୁ ଅଗ୍ରସର ହୋଇଥିଲେ । ହେଲେ ଲୁଚି ବସିଥିବା ଶତ୍ରୁପକ୍ଷ ହଠାତ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଦେଶର ବୀରମାନଙ୍କୁ ଅଟକାଇବା ପାଇଁ ପାକିସ୍ତାନୀ ସେନାମାନେ ପୂରା ଜାନ୍‌ ଲଗାଇ ଦେଇଥିଲେ । ଶତ୍ରୁ ଉପରି ଭାଗରେ ଥାଇ ଆକ୍ରମଣ କରୁଥିବାରୁ, ଫିଙ୍ଗୁଥିବା ପଥର ବି ମଧ୍ୟ ଭାରତୀୟ ବୀରଙ୍କ ପାଇଁ ବୋମା ପରି ଲାଗୁଥିଲା ।

ସବୁ ପ୍ରତିକୂଳ ପରିସ୍ଥିତିକୁ ପାର କରି ବୀର ଯବାନମାନେ ବୀରଦର୍ପରେ ଆଗେଇ ଚାଲିଥିଲେ । ଏହି ସମୟରେ ସଞ୍ଜୟଙ୍କର ଅନେକ ସାଥୀ ସହିଦ ମଧ୍ୟ ହୋଇଥିଲେ । ଧାଏଁ ଧାଏଁ ଗୁଳିମାଡ଼ ଭିତରେ ସଞ୍ଜୟ ନିଜ ପ୍ଲାନରେ ପରିବର୍ତ୍ତନ କରିଥିଲେ । ଶତ୍ରୁଙ୍କୁ ମାତ୍‌ ଦେବା ପାଇଁ ବିପଦପୂର୍ଣ୍ଣ ମାର୍ଗ ଆପଣାଇଥିଲେ ।

ନିଜ ସାଥୀଙ୍କୁ ଏକ ସିଧା ପଥର ଚଟାଣ ଚଢ଼ିବା ପାଇଁ କହିଥିଲେ ସଞ୍ଜୟ । ଯାହା ବିପଦପୂର୍ଣ୍ଣ ହେବା ସହ ଅସମ୍ଭବ ମଧ୍ୟ ଲାଗୁଥିଲା । ହେଲେ ପ୍ରଥମେ ସେ ଚଢ଼ିବା ଆରମ୍ଭ କରିବା ପରେ ସାଥୀ ଯବାନମାନେ ତାଙ୍କ ପ୍ଲାନ୍ ବୁଝି ପାରିଥିଲେ । ଆଉ ଯୋଜନା ମୁତାବକ ସଞ୍ଜୟଙ୍କ ୟୁନିଟ୍ ଶତ୍ରୁ ପାଖରେ ପହଞ୍ଚି ସେମାନଙ୍କୁ ପାଲଟା ଆକ୍ରମଣ କରିଥିଲେ । ଶତ୍ରୁ ପକ୍ଷ କିଛି ବୁଝିବା ପୂର୍ବରୁ ଭାରତୀୟ ସୈନିକମାନେ ସେମାନଙ୍କ ଉପରେ ବର୍ଷି ଯାଇଥିଲେ ।

ମୁହାଁମୁହିଁ ଏହି ଲଢ଼େଇରେ ସଞ୍ଜୟ କୁମାର ଶତ୍ରୁଙ୍କ ଭିତରୁ ୩ ଜଣଙ୍କୁ ଗୁଳିରେ ଉଡ଼ାଇ ଦେଇଥିଲେ, କିନ୍ତୁ ସେ ନିଜେ ଗୁରୁତର ଆହତ ହୋଇଥିଲେ । ତାଙ୍କ ଦେହରେ ମଧ୍ୟ ଅନେକ ଗୁଳି ବାଜିଥିଲା । ଦେହରୁ ଧାର ଧାର ରକ୍ତ ବହି ଯାଉଥିଲେ ସୁଦ୍ଧା ସେ ଲଢ଼େଇ ଚାରି ରଖିଥିଲେ । ଆଉ ସଞ୍ଜୟଙ୍କ ସେହି ରୁଦ୍ର ରୂପ ଦେଖି ଅନ୍ୟ ଯବାନମାନଙ୍କ ଦେହରେ ଯେପରି ଶତ ସିଂହର ବଳ ଆସିଯାଇଥିଲା ।

ସମସ୍ତେ ମିଶି ପଏଣ୍ଟ୍ 4875 ପଏଣ୍ଟରେ ତ୍ରିରଙ୍ଗା ହଲାଇଥିଲେ । ଆଉ ତା’ପରେ ଭାରତୀୟ ସେନା ଟାଇଗର ହିଲର ସମସ୍ତ ଶିଖରକୁ କାବୁ କଲା ଏବଂ କାରଗିଲ ଯୁଦ୍ଧରେ ବିଜୟ ହାସଲ କରିଥିଲା ।