• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଗାଁ ମଝିରେ ହେଲା ବିରାଟ ଶୋଭାଯାତ୍ରା । ବାଜା, ବାଣ, ସାଙ୍ଗକୁ ରୋଷଣୀ, ଆଉ ଯୋଡ଼ି ମହୁରୀରେ କମ୍ପିଥିଲା ଗାଁ ଦାଣ୍ଡ । କେଉଁ ନିର୍ବାଚନ କିମ୍ବା ବିବାହ ଶୋଭାଯାତ୍ରାରେ ନୁହେଁ ବରଂ ନିଜର ବୃତ୍ତିଗତ ଜୀବନରୁ ଅବସର ନେଉଥ‌ିବା ଜଣେ ଶିକ୍ଷକଙ୍କ ବିଦାୟକାଳୀନ ଶୋଭାଯାତ୍ରାରେ ଦେଖିବାରୁ ମିଳିଥିଲା ଏମିତି ହୃଦୟସ୍ପର୍ଶୀ ଦୃଶ୍ୟ । ଦୀର୍ଘ ୩୩ ବର୍ଷ ଗୋଟିଏ ବିଦ୍ୟାଳୟରେ ଶିକ୍ଷକତା କରିବା ପରେ ଅବସର ନେଇଛନ୍ତି ସନାତନ ସାର୍ ।

ଯେଉଁଦିନ କେବେ ନଆସୁ ବୋଲି ଚାହୁଁଥିଲେ ଛାତ୍ରଛାତ୍ରୀ ସେ ଦିନ ଆସି ପହଞ୍ଚିଛି । ସକାଳ ୯ଟା ବାଜୁ ବାଜୁ ଆଉ ସ୍କୁଲରେ ପହଞ୍ଚିବେନି ସନାତନ ସାର୍ । ଖାସ୍ ସେଇଥିପାଇଁ ନିଜ ପ୍ରିୟ ସାର୍‌ଙ୍କ ଅବସର ଦିନକୁ ସ୍ୱତନ୍ତ୍ର କରିବାକୁ ବିଦ୍ୟାଳୟର ବର୍ତ୍ତମାନ ଓ ପୁରାତନ ଛାତ୍ରଛାତ୍ରୀ ଏପରି ଆୟୋଜନ କରିଥିଲେ । ଆଉ ଯାହାଙ୍କ ପାଇଁ ଏତେ ଆୟୋଜନ ହୋଇଥିଲା ସେ ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାସ୍ଥିତ ମନ୍ଦାରୀ ଗଙ୍ଗାଧର ଚୈତନ୍ୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସନାତନ ବେହେରା ।

ଆମକୁ ଛାଡି ଯାଆନ୍ତୁ ନାହିଁ । ଆପଣ ଚାଲିଗଲେ ଆମେ କରିବୁ କଣ ? ଆପଣଙ୍କ ପରି ସ୍ନେହୀ ମଣିଷ ଆମେ କେଉଁଠୁ ପାଇବୁ ? ମୁହଁ ଖୋଲି କହିପାରୁନଥିଲେ ବି, ଏମିତି କିଛି ଭାବନା ସହ ସାର୍‌ଙ୍କୁ ଶେଷ ଦିନରେ କୁଣ୍ଢାଇ ଧରିଥିଲେ ପିଲାମାନେ । ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ । କେବଳ ସାନ ନୁହଁନ୍ତି, ସାର୍‌ଙ୍କ ପାଖରେ ପଢି ମଣିଷ ହୋଇଥିବା ବଡ଼ମାନେ ବି ବିନା ସଙ୍କୋଚରେ ସାରଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ ।  ଏମିତିକି ପିଲାଙ୍କ ଅଭିଭାବକମାନେ ମଧ୍ୟ ସାର୍‌ଙ୍କୁ ହାତଯୋଡି କୃତଜ୍ଞତା ଜଣାଇଥିଲେ । ଯାହାର ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ୱଳ କରିଥିଲା ।

ସନାତନ ସାର୍‌...ମଣିଷ ତିଆରି କାରଖାନାର ସେ ହେଉଛନ୍ତି ମୁଖ୍ୟ ବିନ୍ଧାଣୀ । ଏଇଠି ପିଲାଙ୍କ ଗହଣରେ କାଟିଦେଇଛନ୍ତି ଜୀବନର ଅଧା ସମୟ । ଦୀର୍ଘବର୍ଷ ଶିକ୍ଷକତା ପରେ ସ୍ଥାନୀୟ ଅଞ୍ଚଳ ପାଇଁ ସେ ଆଦର୍ଶ ଶିକ୍ଷକ । ସେଥିପାଇଁ କେବଳ ଛାତ୍ରଛାତ୍ରୀ କାହିଁକି ସନାତନ ସାରଙ୍କ ବିଦାୟ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ମନ୍ଦାରୀ ଅଞ୍ଚଳବାସୀ । ପିଲାଙ୍କ ଭଲପାଇବା ଦେଖି ସାର୍ ବି ଭାବବିହ୍ୱଳ । କହିଛନ୍ତି, ଘରୁ ଆସିଲାବେଳେ ଦୁଃଖ ଲାଗିଥିଲା । ଏବେ କିନ୍ତୁ ପିଲାଙ୍କ ଭଲ ପାଇବା ଦେଖି ମୁଁ ଆତ୍ମହରା । ମୋତେ ଏମିତି ବିଦାୟ ଦେବେ ବୋଲି କେବେ ଭାବିନଥିଲି ।

 

  • Reported by:
  • Suryadoya Biswal