• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିନେ ଜରିପାଲ ଘର ତଳେ ଦିନ କଟୁଥିଲା । ଖାଇବାକୁ ଦୁଇ ମୁଠା ପାଇବା ସ୍ୱପ୍ନ ପରି ଥିଲା । ଦିନରେ ସୁରୂଜ ଆଉ ରାତିରେ ଜହ୍ନ ଜଳଜଳ ହୋଇ ଦିଶୁଥିଲେ । ଆଉ ଦାରିଦ୍ର୍ୟର କଷାଘାତ ଭିତରେ ଗରିବ ବାପାମା’ଙ୍କୁ ସବୁ ଦିନ ହୀନମନ୍ୟତାର ଶିକାର ହେବାକୁ ପଡ଼ୁଥିଲା । ଦିନ ଏପରି ଥିଲା ଯେ ଠେଲା ଲଗାଇଥିବା ବାପାକୁ ଆଖି ସାମ୍ନାରେ ଚାପୁଡ଼ା ମାରିଥିଲେ ପୋଲିସ୍‌ ବାବୁ । ଆଉ ସେବେ ଠାରୁ ପୁଅ ପ୍ରତିଶୋଧ ନେବାକୁ ମନସ୍ଥ କରିଥିଲା । ହେଲେ ଏଠାରେ ମାଡ଼ ମାରି କିମ୍ବା କୌଣସି ପ୍ରକାର ଅପରାଧ କରି ନୁହେଁ ବରଂ ଦୁନିଆର ସବୁଠାରୁ ବଡ଼ ସମ୍ପତ୍ତି ଜ୍ଞାନକୁ ଅସ୍ତ୍ର କରି ଆଜି ସେ ପୋଲିସ୍‌ ବାବୁଙ୍କ ଠାରୁ ପ୍ରତିଶୋଧ ନେଇପାରିଛ ନ୍ତି । ବିହାରର ସହରସା ଜିଲ୍ଲା ବାସିନ୍ଦା କମଲେଶ କୁମାରଙ୍କ କାହାଣୀ ବର୍ତ୍ତମାନ ଚର୍ଚ୍ଚାରେ । ଠେଲା ବାପାର ପୁଅ ଜଜ୍‌ ହୋଇ ସମସ୍ତଙ୍କୁ କଡ଼ା ଜବାବ ଦେଇଛି ।

ଅଧିକ ପଢ଼ନ୍ତୁ: ଗାଁର ପ୍ରଥମ ସରକାରୀ ଚାକିରିଆ : ୭୫ ବର୍ଷ ପରେ ପୂରଣ ହେଲା ସ୍ୱପ୍ନ

ତେବେ ଏଥିପାଇଁ ସେ କୌଣସି ସର୍ଟକର୍ଟ ନେଇନାହାନ୍ତି । ବର୍ଷ ବର୍ଷର ପରିଶ୍ରମ ଏବଂ ପିତାଙ୍କ ବଳିଦାନ ପାଇଁ ଆଜି ସେ ସଫଳତା ହାସଲ କରିପାରିଛନ୍ତି । ଦିନ ଏପରି ଥିଲା କମଲେଶଙ୍କ ବାପା ଘର ଚଳାଇବା ପାଇଁ କେତେବେଳେ ଦିନ ମଜୁରିଆ ସାଜିଛନ୍ତି ତ ଆଉ କେତେବେଳେ ରିକ୍ସା ଟାଣିଛନ୍ତି । ପୁଣି ଆଉ କେବେ ଛୋଲେ ମଧ୍ୟ ବିକ୍ରି କରିଛନ୍ତି । ଏସବୁ କରି ସେ ପୁଅକୁ ପାଠ ପଢ଼ାଇଛନ୍ତି । ଆର୍ଥିକ ଅବସ୍ଥା ଭଲ ନଥାଇ ବି ଯେ ଜଣେ ମଣିଷ ସଫଳ ହୋଇପାରିବ ତଥା ଜଜ୍ ବନି ପାରିବ, ତାହା ପ୍ରମାଣିତ କରି ଦେଖାଇଛନ୍ତି କମଲେଶ ।

କମଲେଶ କହିଛନ୍ତି, ପିଲାଦିନ ଭାରି କଷ୍ଟରେ କଟିଛି । କୁଲି କାମ କରିବା ସହ ରାସ୍ତା କଡ଼ରେ ଖାଇବା ବିକ୍ରି କରି ବାପା ଘର ଚଳାଇଛନ୍ତି । ରହିବାକୁ ଭଲ ଘର ନଥିବାରୁ ଏକ ଚାଳ ଛପର ଘରେ ରହିବାକୁ ପଡ଼ୁଥିଲା । ହେଲେ ସରକାର ଜବରଦଖଲ ଉଚ୍ଛେଦ ନିର୍ଦ୍ଦେଶ ଦେବା ପରେ ମୁଣ୍ଡ ଉପରେ ଥିବା ଚାଳ ବି ଚାଲିଯାଇଥିଲା । ଏତେ ଦୁଃଖ ଭିତରେ ବାପା ମୋତେ ପାଠ ପଢ଼ିବା ପାଇଁ ପ୍ରେରଣା ଦେଉଥିଲେ ।

ସେ କହିଛନ୍ତି, ମୁଁ ସେ ସମୟରେ ଦଶମରେ ପଢ଼ୁଥାଏ । ବାପା ଘର ପାଖରେ ଛୋଲେ ଭଟୁରେ ବିକ୍ରି କରିବା ଆରମ୍ଭ କରିଥିଲେ । ହେଲେ ଦିନେ ଜଣେ ପୋଲିସ ବାବୁ ଆସି ବାପାଙ୍କୁ ଚାପୁଡ଼ା ମାରି ଦୋକାନ ଭାଙ୍ଗି ଦେଇଥିଲେ। ସେତେବେଳେ ବାପାଙ୍କୁ ଏପରି ଅପମାନିତ ହେଉଥିବା ଦେଖି ଭାରି କଷ୍ଟ ହେଉଥିଲା । ହେଲେ ମୁଁ ନିରୁପାୟ ଥିଲି, କିଛି ବି କରିପାରି ନଥିଲି ।

ଦିନେ କଥାରେ କଥାରେ କମଲେଶଙ୍କ ବାପା ପୁଅକୁ କହିଥିଲେ ପୁଲିସବାବୁମାନେ ଜଜ୍‌କୁ ଭାରି ଡରନ୍ତି । ଆଉ ତା’ ପରଠାରୁ ସେ ଜଜ୍ ହେବା ପାଇଁ ପରିଶ୍ରମ ଆରମ୍ଭ କରିଥିଲେ । ଦିନ ରାତି ତାଙ୍କ ପାଇଁ କିଛି ନଥିଲା । କେବଳ ଜଜ୍‌ ହେବାର ନିଶା ଘାରିଥିଲା ।

ଓକିଲାତି ପାଠ ପଢ଼ା ଶେଷ କରିବା ପରେ ପ୍ରଥମ ଥର ପାଇଁ ୨୦୧୭ରେ କମଲେଶ ୟୁପି ନ୍ୟାୟପାଳିକାର ପରୀକ୍ଷା ଦେଇଥିଲେ । ଏହା ପରେ ସେ ବିହାର ନ୍ୟାୟପାଳିକା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ହେଲେ ପ୍ରଥମ ପ୍ରୟାସରେ ସେ ବିଫଳ ହୋଇଥିଲେ । ତା’ପରେ କରୋନା ପାଇଁ ପ୍ରାୟ ୩ ବର୍ଷ ନଷ୍ଟ ହୋଇଗଲା । ତଥାପି କମଲେଶ ହାର ମାନିନଥିଲେ । ସେ ପ୍ରସ୍ତୁତି ଜାରି ରଖିଥିଲେ, ପାଠ ପଢ଼ା ଚାଲିଥିଲା । ଶେଷରେ ୨୦୨୨ରେ ବିହାର ଜୁଡିସିଆରୀ ପରୀକ୍ଷାରେ କମଲେଶ ୬୪ ତମ ସ୍ଥାନ ହାସଲ କରିବାରେ ସଫଳ ହୋଇ ପାରିଛନ୍ତି ।

ଜଣେ ଠେଲାବାଲାର ପୁଅ ଆଜି ଜଜ୍‌ ହୋଇ ବିଚାର କରିବ । ପୋଲିସ୍‌ ତାଙ୍କ ନିର୍ଦ୍ଦେଶକୁ ମଥାପାତି ସହିବାକୁ ବାଧ୍ୟ ହେବେ । ଏଭଳି ପ୍ରତିଶୋଧର କାହାଣୀ ସତରେ ପ୍ରେରଣାଦାୟୀ ।