• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ତୁଟିଲା କୁକୁର କାମୁଡା କଳି। ଡଗ୍ କେୟାର ସେଣ୍ଟର ଗଲା ସିଜର। ୧୦ ଦିନର ତୁତୁ ମେମେ ପରେ କଲୋନୀ ଛାଡିଲା କୁକୁର ୮ ବର୍ଷର ଶିଶୁକୁ କାମୁଡି ଲହୁଲୁହାଣ କରିଥିବା କୁକୁର ସିଜରକୁ ଆଜି ଡଗ୍ କେୟାର ସେଣ୍ଟର ପଠାଯାଇଛି। ସେଠାରେ ତାର ଚିକିତ୍ସା କରାଯିବ। ସିଜରକୁ ପାଖରେ ରଖିବାକୁ ମାଲିକଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି। ତେଣୁ କୋର୍ଟଙ୍କ ନିଷ୍ପତ୍ତି ନଆସିଲା ଯାଏଁ କୁକୁର ଆଉ ତପସ୍ବିନୀ ସୋସାଇଟିକୁ ଫେରିପାରିବନି।

ସିଜର୍ ପାଇଁ ଉପୁଜିଥିଲା ମହାଭାରତ। ଗୋଟିଏ ପଟେ ଉତ୍ତ୍ୟକ୍ତ କଲୋନୀ ବାସିନ୍ଦା, ଅନ୍ୟପଟେ କୁକୁର ମାଲିକ ଓ ପଶୁପ୍ରେମୀ ଚାଲିଲା ବାକ୍ ବିତଣ୍ଡା, ଟଣା ଅଟରା କୁକୁରକୁ ନେଇ କଥା କଟାକଟି ସହ ଉଭୟ ପକ୍ଷ ମଧ୍ୟରେ ଛକାପଂଝା। କଲୋନୀ ଭିତରେ କୁକୁରକୁ ରଖେଇ ନଦେବାକୁ ଅଡି ବସିଥିଲେ ବାସିନ୍ଦା। ଯେମିତି ହେଲେ ବି କୁକୁରକୁ ସେଠାରୁ ବିଦା କରିବାକୁ ନେଇଥିଲେ ନିଷ୍ପତ୍ତି। କଲୋନୀ ବାସିନ୍ଦାଙ୍କ ବ୍ୟାପକ ବିରୋଧ ଭିତରେ ହଟହଟା ହୋଇଥିଲେ ପଶୁପ୍ରେମୀ। 

ପୂର୍ବରୁ ଘଟଣାକୁ ନେଇ ଇନଫୋସିଟି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଅନୁଧ୍ୟାନ ପାଇଁ ପହଁଚିଥିଲା ପୋଲିସ। ଥାନା ସବଇନ୍ସପେର ଓ ଜଣେ କନଷ୍ଟେବଲ ତପସ୍ବିନୀ କଲୋନୀରେ ସରଜମିନ ତଦନ୍ତ କରିଥିଲେ। କୁକୁର କେୟାରଟେକର ଏବଂ ପଡୋଶୀଙ୍କୁ ବି ପୋଲିସ ପଚରାଉଚରା କରିଥିଲା। ସେପଟେ କୁକୁର କାମୁଡାରେ ଆହତ ପରିବାର, ପୋଲିସ ପରେ ବିଏମସି ପାଖରେ ମଧ୍ୟ ଫେରାଦ ହୋଇଥିଲେ। କୁକୁରକୁ କଲୋନୀରୁ ବାହାର କରିବାକୁ ବିଏମସି ଆଡୁ ପ୍ରତିଶ୍ରୁତି ବି ମିଳିଥିଲା।

ନଭେମ୍ବର ୬ ତାରିଖ ଭୁବନେଶ୍ୱର ତପସ୍ୱିନୀ କଲୋନୀରେ ସୁଚେତାଙ୍କ ୮ ବର୍ଷର ପୁଅ ଅର୍ଜୁନ ସାଇକେଲ ଚଳାଉଥିବା ବେଳେ କୁକୁର ସିଜର ଉପରେ ପଡିଯାଇଥିଲା। କୁକୁରଟି ମାଲିକଙ୍କ ହାତରୁ ଖସିଯାଇ ଆକ୍ରମଣ କରିଥିଲା ଅର୍ଜୁନ ଉପରେ। ତାକୁ କାମୁଡି ରକ୍ତାକ୍ତ କରିଦେଇଥିଲା। କୁକୁର କବଳରୁ ଅର୍ଜୁନକୁ କେୟାରଟେକର ଉଦ୍ଧାର କରିଥିଲେ ବି ସୁସ୍ଥ ହେବାକୁ ନାବାଳକକୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡିଥିଲା।

ସିଜର ହେଉଛି ଆମେରିକାନ୍ ଆକିତା ପ୍ରଜାତିର କୁକୁର। ଏହାର ଦାମ୍ ୩୫ ହଜାରରୁ ୫୦ ହଜାର ଟଙ୍କା। ଅନ୍ୟ କୁକୁର ଠାରୁ ଅଧିକ ଆକ୍ଟିଭ୍। ଅଜଣା ଲୋକଙ୍କୁ ଦେଖିଲେ ଚିହିଁକି ଉଠନ୍ତି। ତେବେ ତା ମାଲିକଙ୍କ ପ୍ରତି ଅତ୍ୟନ୍ତ ବିଶ୍ୱସ୍ତ ଏହି ପ୍ରଜାତିର କୁକୁର।

(ଭୁବନେଶ୍ୱରରୁ ଆଲୋକ ମହାନ୍ତିଙ୍କ ରିପୋର୍ଟ)