• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଣିକି ସରକାରୀ ମହିଳା କର୍ମଚାରୀ ଚାହିଁଲେ ନିଜ ପେନ୍‌ସନ୍‌ ରାଶି ସ୍ୱାମୀ ପରିବର୍ତ୍ତେ ପିଲାଙ୍କ ନାଁରେ କରିପାରିବେ । କେନ୍ଦ୍ର ପକ୍ଷରୁ ଏଭଳି ଏକ ଘୋଷଣା କରାଯାଇଛି । ଏହାକୁ ଅନେକ ମହଲରେ ସ୍ୱାଗତ ମଧ୍ୟ କରାଯାଇଛି । ପୂର୍ବରୁ ନିୟମ ରହିଥିଲା ଯେ, ସ୍ୱାମୀଙ୍କ ଦେହାନ୍ତ ପରେ ପତ୍ନୀ ପାଇବେ ପେନ୍‌ସନ୍‌ । ଆଉ ପତ୍ନୀ ଯଦି ସରକାରୀ ଚାକିରି କରିଥିବେ ତେବେ ତାଙ୍କ ଦେହାନ୍ତ ପରେ ସ୍ୱାମୀ ପାଉଥିଲେ ପେନ୍‌ସନ୍‌ । ଏହା ଏକ ପ୍ରକାର ବିଧିବଦ୍ଧ ଭାବେ ଚାଲି ଆସୁଥିଲା ।

ହେଲେ ଏବେ ଏହି ନିୟମରେ ସାମାନ୍ୟ ସୁଧାର ଆସିଛି । କେନ୍ଦ୍ର ପକ୍ଷରୁ ଏହାକୁ ସୁଧାର କରାଯାଇଛି । ଏଣିକି ଯେଉଁ ମହିଳା ସରକାରୀ ଚାକିରି କରିଥିବେ, ସେ ଚାହିଁଲେ ତାଙ୍କ ଦେହାନ୍ତ ପରେ ସ୍ୱାମୀ ବଦଳରେ ପିଲାମାନେ ପେନ୍‌ସନ୍‌ ପାଇପାରିବେ ।

କେନ୍ଦ୍ରୀୟ ସିଭିଲ ସର୍ଭିସ ପେନ୍‌ସନ୍‌ ନିୟମ ୨୦୨୧ର ଆଇନ ୫୦ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ଜୀବନ ସାଥି ହିଁ ପାଉଥିଲେ ପେନ୍‌ସନ୍‌ । ଅର୍ଥାତ୍‌ ସ୍ୱାମୀଙ୍କ ପରେ ସ୍ତ୍ରୀ ଓ ସ୍ତ୍ରୀଙ୍କ ପରେ ସ୍ୱାମୀ ପାଇ ଆସୁଥିଲେ ପେନ୍‌ସନ୍‌ । କିନ୍ତୁ ଏଥିରେ ଏବେ ସାମାନ୍ୟ ସୁଧାର ଅଣାଯାଇଛି । ମହିଳା କର୍ମଚାରୀ ଚାହିଁଲେ ନିଜର ନୋମିନି ନିଜେ ବାଛିପାରିବେ । ନୂଆ ନିୟମରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଜଣେ ମହିଳା ନିଜ ସ୍ୱାମୀଙ୍କ ପରିବର୍ତ୍ତେ ପିଲାଙ୍କୁ ପେନ୍‌ସନ୍‌ ନୋମିନି ଭାବେ ରଖିପାରିବେ ।

କାରଣ ବିଭିନ୍ନ ସମୟରେ ମହିଳାମାନେ ନିଜ ଶ୍ୱଶୁର ଘର ଲୋକଙ୍କଠାରୁ ନିର୍ଯାତିତ ହେଉଛନ୍ତି । କିମ୍ବା ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ଅନ୍ୟ ମହିଳାଙ୍କ ସହ ରହୁଛନ୍ତି । ଏହି କ୍ଷେତ୍ରରେ ପତ୍ନୀଙ୍କ ପେନ୍‌ସନ୍‌ ପାଇବା ପାଇଁ ସେମାନଙ୍କ କୌଣସି ଅଧିକାର ନାହିଁ ।

ଏହି ଆଇନ ଆସିବାର ମୂଳ ଉଦେଶ୍ୟ ହେଉଛି ଯେ, ଯଦି କୌଣସି କ୍ଷେତ୍ରରେ ଘରୋଇ ହିଂସା ଦେଖାଦିଏ କିମ୍ବା ମହିଳାଙ୍କୁ ନିର୍ଯାତନା ଦେବା ସହ ଛାଡ଼ପତ୍ର ମାମଲା ଚାଲିଥାଏ । ତେବେ ସେହି କ୍ଷେତ୍ରରେ ମହିଳା ଚାହିଁଲେ ନିଜ ପେନ୍‌ସନ୍‌ର ନୋମିନି ବଦଳାଇ ସ୍ୱାମୀ ପରିବର୍ତ୍ତେ ପିଲାଙ୍କୁ ରଖିପାରିବେ ।