• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଅଯୋଧ୍ୟାରେ ନିର୍ମାଣଧୀନ ରାମମନ୍ଦିରରେ ସ୍ଥାପନ ହେବ କେଉଁ ବିଗ୍ରହ ? ମହିଶୂରର ସ୍ଥାପିତ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ମୂର୍ତ୍ତି ମନ୍ଦିରର ଗର୍ଭ ଗୃହରେ ଲାଗିବ ବୋଲି ଖବର ପ୍ରକାଶ ପାଇଥିଲା । ସୋସିାଅଲ ମିଡିଆରେ ଏହାର ଫଟୋ ବି ଭାଇରାଲ ହୋଇଥିଲା । ତେବେ ପରେ ଏସବୁ ଗର୍ଭଗୃହରେ ସ୍ଥାପନ ହେବା ମୂର୍ତ୍ତି ନୁହେଁ ବୋଲି ଶ୍ରୀରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକ କହିଛନ୍ତି । ରାମଲାଲାଙ୍କ ବିଗ୍ରହକୁ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି । ତିନିଟି ବିଗ୍ରହର ନିର୍ମାଣ ହୋଇଛି, ଚୂଡ଼ାନ୍ତ ନିଷ୍ପତ୍ତି ମହନ୍ତ ମାନେ ନେବେ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

ଚୂଡ଼ାନ୍ତ ହୋଇଛି ରାମଲାଲାଙ୍କ ଦିବ୍ୟ ବିଗ୍ରହ ! ମନ୍ଦିରର ଗର୍ଭ ଗୃହରେ ଲାଗିବ ଶ୍ରୀରାମଙ୍କ ଏଭଳି ମୂର୍ତ୍ତି ! ଏଭଳି କିଛି ଖବର ଆଜି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା । କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମଧ୍ୟ ସୋସିଆଲ୍ ମିଡିଆ ସାଇଟ୍ Xରେ ଏନେଇ ସୂଚନା ଦେଇଥିଲେ । କର୍ଣ୍ଣାଟକ ମହିଶୂରର ସ୍ଥପତି ଅରୁଣ ଯୋଗୀରାଜଙ୍କ ହାତ ତିଆରୀ ମୂର୍ତ୍ତି ଶ୍ରୀରାମଙ୍କ ମନ୍ଦିରର ଗର୍ଭ ଗୃହରେ ଲାଗିବ ବୋଲି ପୋଷ୍ଟ କରିଥିଲେ ।

ଖବର ପ୍ରକାଶ ପାଇବା ପରେ ରାମ ଭକ୍ତଙ୍କ ମନରେ ବି ଦେଖାଦେଉଥିଲା ଉତ୍ସାହ । ହେଲେ ପରେ ଏନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା । ଶ୍ରୀରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ମହାରାଜ ମଧ୍ୟ ରାମଲଲ୍ଲାଙ୍କ ମୂର୍ତ୍ତି ଆତ୍ମପ୍ରକାଶ କରିବା ଖବରକୁ ଖଣ୍ଡନ କରିଥିଲେ । ଆଚାର୍ଯ୍ୟ ସତ୍ୟେନ୍ଦ୍ରଙ୍କ କହିବାନୁଯାୟୀ ଅଯୋଧ୍ୟା ହେଉଛି ଭଗବାନ ରାମଙ୍କ ଜନ୍ମଭୂମି । ତେଣୁ ଏହା ଜନ୍ମଭୂମି ହୋଇଥିବାରୁ ପ୍ରଭୁଙ୍କ ବାଳୁତ ରୂପର ମୂର୍ତ୍ତି ଗର୍ଭଗୃହରେ ସ୍ଥାପନ ହେବ । ପୂର୍ବରୁ ଘୋଷଣା କରାଯାଇଛି ଯେ ଭଗବାନ ରାମଙ୍କ ୫ ବର୍ଷର ମୂର୍ତ୍ତି ହିଁ ରାମଲଲ୍ଲା ଆକାରରେ ପୂଜା ପାଇବେ ।

ଅରୁଣ ଯୋଗୀରାଜଙ୍କ ହାତରେ ତିଆରି ମୂର୍ତ୍ତି ଶ୍ରୀରାମ ମନ୍ଦିରରେ ଅବସ୍ଥାନ ଖବର ଶୁଣିବା ପରେ ତାଙ୍କ ଘରେ ଖୁସିର ଲହରୀ ଖେଳିଯାଇଥିଲା । ୫ ପିଢ଼ି ଧରି ମୂର୍ତ୍ତି ନିର୍ମାଣରେ ମଗ୍ନ ଥିବା ଅରୁଣଙ୍କ ପରିବାର ପାଇଁ ମଧ୍ୟ ଏହା ଐତିହାସିକ ମୂହିର୍ତ୍ତ ଥିଲା । ହେଲେ ଏନେଇ ସ୍ଥପତି ଅରୁଣ ଯୋଗୀରାଜଙ୍କ ନିକଟକୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନଥିଲା ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ମଧ୍ୟ ଏନେଇ ବିଧିବଦ୍ଧ ଘୋଷଣା ହୋଇନାହିଁ ।

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଜାନୁଆରୀ ୧୬ରୁ ଆରମ୍ଭ ହୋଇ ୭ ଦିନ ଧରି ଚାଲିବ । ଜାନୁଆରୀ ୨୨ରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । କେମିତି ନିର୍ମାଣ ହୋଇଥିଲା ଶ୍ରୀରାମଙ୍କ ମନ୍ଦିର ? ୨୦୧୯ ପରେ କିପରି ବିଭିନ୍ନ ପର୍ଯ୍ୟାୟ ଦେଇ ଗୋଟି ଗୋଟି କରି ମନ୍ଦିରର କାମ ହୋଇଥିଲା ସେନେଇ ଏକ ଭର୍ଚୁଆଲ୍ ଭିଡିଓ ଜାରି ହୋଇଛି । ମନ୍ଦିର ନିର୍ମାଣର ପ୍ରତିଟି ପର୍ଯ୍ୟାୟକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରାଯାଇଛି ।