• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ସଂସଦୀୟ ବିତର୍କକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ମୁଖ୍ୟ ବିଚାରପତି । ସୁପ୍ରିମକୋର୍ଟରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଏନ.ଭି ରମଣା ସଂସଦୀୟ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ପ୍ରଧାନ ବିଚାରପତି ତାଙ୍କ ଅଭିଭାଷଣରେ କେବଳ ଗୃହରେ ଚାଲିଥିବା ହଙ୍ଗାମା ସମ୍ପର୍କରେ କହିନାହାଁନ୍ତି, ବରଂ ବିଲ୍ ପାସ୍ ପ୍ରକ୍ରିୟା ଚାଲିଥିବା ସଂସଦୀୟ ବିତର୍କ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି । ଆବଶ୍ୟକ ତର୍କ ବିନା ‍‍ବିଲ୍ ପାସ ହେବା ନେଇ ଉଦବେଗ ପ୍ରକାଶ କରିଛନ୍ତି । 

ଅତୀତ ଦିନକୁ ତୁଳନା କରି ମୁଖ୍ୟ ବିଚାରପତି କହିଛନ୍ତି, ପୂର୍ବରୁ ସଂସଦର ଉଭୟ ଗୃହରେ ଓକିଲମାନଙ୍କ ଦ୍ୱାରା ପରିପୂର୍ଣ୍ଣ ଥିଲା, କିନ୍ତୁ ବର୍ତ୍ତମାନର ପରିସ୍ଥିତି ଭିନ୍ନ । ବର୍ତ୍ତମାନର ସ୍ଥିତି ନିରାଶାଜନକ ଏବଂ ସଂସଦର ଉଭୟ ଗୃହରେ ପର୍ଯ୍ୟାପ୍ତ ବିତର୍କ ହେଉନାହିଁ । ଅନ୍ୟପଟେ ନ୍ୟାୟିକ କାର୍ଯ୍ୟ ବ୍ୟତୀତ ଜନସେବାରେ ସହଯୋଗ କରିବାକୁ ସେ ଓକିଲମାନଙ୍କୁ କହିଛନ୍ତି ।

“ବର୍ତ୍ତମାନ ଆଇନ ଉପରେ କୌଣସି ସ୍ପଷ୍ଟତା ନାହିଁ । ଆଇନର ଉଦ୍ଦେଶ୍ୟ ବିଷୟରେ କେହି ଅବଗତ ନାହାନ୍ତି । ଲୋକଙ୍କ ଉଦ୍ଦେଶ୍ୟରେ ହୋଇଥିବା ବେଳେ ଆଇନ୍ ନଜାଣିବା ଲୋକଙ୍କ ପାଇଁ ଏକ ବଡ଼ କ୍ଷତି । ଗୃହରେ ଆଇନଜୀବୀ ଏବଂ ବୁଦ୍ଧିଜୀବୀ ନରହିଲେ, ଏପରି ଘଟେ । ସ୍ୱାଧୀନତା ସଂଗ୍ରାମୀଙ୍କୁ ଦୃଷ୍ଟିରେ ରଖିଲେ ଜାଣିପାରିବେ ସେମାନଙ୍କ ମଧ୍ୟରୁ ଅନେକ ଆଇନଗତ ପୃଷ୍ଠଭୂମିରୁ ଆସିଥିଲେ । ଲୋକସଭା ଏବଂ ରାଜ୍ୟସଭାର ପୂର୍ବତନ ସଦସ୍ୟମାନେ ଅଧିକାଂଶ ଆଇନଗତ ପୃଷ୍ଠଭୂମିରୁ ଆସିଥିଲେ ।

ପ୍ରଧାନ ବିଚାରପତି କହିଛନ୍ତି, ବର୍ତ୍ତମାନ ଗୃହର ସ୍ଥିତି ସମ୍ପର୍କରେ ସମସ୍ତେ ଅବଗତ, ଯାହା ଅତି ଦୁଃଖଦ । ଅତୀତରେ ସଂସଦର ବିତର୍କ ଅତ୍ୟନ୍ତ ଗଠନମୂଳକ ଥିଲା । ମୁଁ ଆର୍ଥିକ ବିଲ୍ ଉପରେ ବିତର୍କ ଦେଖିଛି ଏବଂ ସେଠାରେ ବହୁତ ଗଠନମୂଳକ ମନ୍ତବ୍ୟ ଥିଲା । ଓକିଲମାନେ ତର୍କ କରୁଥିଲେ ଏବଂ ସେମାନଙ୍କ ସହିତ ଆଲୋଚନା କରାଯାଉଥିଲା । ସେମାନଙ୍କୁ ଆଇନଗତ ଦିଗ ବିଷୟରେ ସ୍ପଷ୍ଟତା ମିଳୁଥିଲା । କେବଳ ଆଇନ୍ ସେବାରେ ଜଡ଼ିତ ନରହିବ ଦେଶ ସେବାରେ ମଧ୍ୟ ଜ୍ଞାନକୁ ବ୍ୟବହାର କରିବାକୁ ଆଇନଜୀବୀ ମାନଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ।

ନୀତି ଏବଂ ସଫଳତାର ସମୀକ୍ଷା କରିବାର ଏହା ହେଉଛି ସମୟ। କୌଣସି ଦେଶର ଇତିହାସରେ ୭୫ ବର୍ଷ କମ୍ ସମୟ ନୁହେଁ । ଯେତେବେଳେ ଆମେ ସ୍କୁଲ ଯାଉଥିଲୁ, ଆମକୁ ଗୁଡ଼ ଏବଂ ଏକ ଛୋଟ ପତାକା ମିଳିଥାଏ । ଆଜି ଆମ ପାଖରେ ବହୁତ କିଛି ଅଛି, କିନ୍ତୁ ଆମେ ଖୁସି ନୁହଁ । ଆମର ସନ୍ତୁଷ୍ଟର ସ୍ତର ବହୁତ ତଳକୁ ଖସିସାରିଛି ।