• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ସ୍ୱାଧୀନତା ଦିବସର ଅବସରରେ କରୋନା ସଙ୍କଟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଚ୍ୟାଲେଞ୍ଜ ବିଷୟରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ଏକ ବଡ଼ ଘୋଷଣା କରିଛନ୍ତି । ଦେଶର ସମସ୍ତ ସୈନିକ ସ୍କୁଲ ବର୍ତ୍ତମାନ ଝିଅ ମାନଙ୍କ ପାଇଁ ଖୋଲାଯିବ ବୋଲି କହିଛନ୍ତି । 'ଏହି ସମୟ, ଏହା ଉପଯୁକ୍ତ ସମୟ' ର ଏକ ନୂତନ ମନ୍ତ୍ର ମଧ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ଭାରତ ୭୫ତମ ସ୍ୱାଧୀନତା ଦିବସ ପାଳନ କରୁଛି ଏବଂ ଏହା ସହିତ ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବଙ୍କ ଉତ୍ସବ ଆରମ୍ଭ ହୋଇଛି ।

'ଏହା ହେଉଛି ସଠିକ୍ ସମୟ'

ଏକବିଂଶ ଶତାବ୍ଦୀରେ କୌଣସି ପ୍ରତିବନ୍ଧକ ସ୍ୱପ୍ନ ପୂରଣ କରିବାରେ ବାଧା ସାଜି ପାରିବ ନାହିଁ । 'ଏହା ହେଉଛି ସଠିକ୍ ସମୟ' । ୨୦୪୭ ମସିହାରେ ଯେତେବେଳେ ସ୍ୱାଧୀନତାର ୧୦୦ ବର୍ଷର ପୂରିବ, ସେତେବେଳେ ଯିଏ ବି ଦେଶର ପ୍ରଧାନମନ୍ତ୍ରୀ ହେବ ଏବଂ ସେ ଏଠାରୁ ସମ୍ବୋଧିତ କରିବେ, ସେତେବେଳେ ଆଜିର ସଙ୍କଳ୍ପ ସମ୍ପର୍କରେ ଆଲୋଚନା କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଦେଶବାସୀଙ୍କ ଶକ୍ତି ହେଉଛି ଏକତା । ଏହା ହେଉଛି ସ୍ୱପ୍ନ ଦେଖିବାର ସମୟ । ଏହା ହେଉଛି ଭାରତର ଅମୂଲ୍ୟ ସମୟ, ଅସଂଖ୍ୟ ଅସ୍ତ୍ରଶସ୍ତ୍ରର ଶକ୍ତି ଅଛି । ଦେଶ ପାଇଁ ସବୁଠାରେ ଭକ୍ତି ଅଛି, ତୁମେ ଉଠ ଆଉ ତ୍ରିରଙ୍ଗା ଲହରାଇଦିଅ . . . .

ଆତ୍ମନିର୍ଭରଶୀଳତା ଆଡ଼କୁ ବଢ଼ୁଛି ଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଗ୍ରୀନ୍ ହାଇଡ୍ରୋଜେନ ଯୋଜନାର ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶକୁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ସହିତ ରପ୍ତାନୀର ରାଜା କରିବା ଆବଶ୍ୟକ । ଧାରା 370, ଜିଏସଟି, ୱାନ ରାଙ୍କ ୱାନ ପେନ୍‌ସନ୍‌, ରାମ ଜନ୍ମଭୁମି ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ଭଳି ଅନେକ ନିଷ୍ପତ୍ତି ରହିଛି, ଯାହା ଗତ କିଛି ବର୍ଷ ମଧ୍ୟରେ ସତ କରି ଦେଖାଇଛି ଦେଶ । ଆଜି ଦେଶ ବଦଳୁଛି, କଠୋର ନିଷ୍ପତ୍ତି ନେବାରେ ଭାରତ ପଛରେ ନାହିଁ । କରୋନା ଅବଧି ପରେ ବିଶ୍ୱ ଶୃଙ୍ଖଳା ବଦଳୁଛି । ଭାରତ ଆତଙ୍କବାଦର ଆହ୍ୱାନକୁ ମୁକାବିଲା କରୁଛି ଏବଂ ସାହସ ସହିତ ଜବାବ ଦେଉଛି । ସେନାବାହିନୀଙ୍କୁ ମଜବୁତ କରିବା ପାଇଁ ସବୁ ଉଦ୍ୟମ କରାଯିବ ।

ଦେଶର ବିକାଶରେ ଭିତ୍ତିଭୂମିର ଗୁରୁତ୍ୱ ଅନେକ

ଭାରତୀୟ ରେଲୱେ ଆଧୁନିକତାର ରାସ୍ତାରେ ଆଗକୁ ବଢ଼ୁଛି । ବନ୍ଦେ ଭାରତ ଯୋଜନାରେ ସାରା ଦେଶକୁ ଯୋଡ଼ାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅନେକ ସ୍ଥାନକୁ ବିମାନପଥ ଜରିଆରେ ଯୋଡ଼ା ଯାଇଛି । ବିକାଶ ପାଇଁ ଦେଶକୁ ଉତ୍ପାଦନ ଓ ରପ୍ତାନୀ ବଢ଼ାଇବାକୁ ପଡ଼ିବ । ସେହିପରି ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ ଜ୍ଞାନକୌଶଳ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ମୋବାଇଲ ଫୋନ ଉତ୍ପାଦନରେ ଭାରତ ବହୁତ ସଫଳତା ପାଇଛି । ନିକଟ ଅତୀତରେ ୩ ବିଲିଅନ ସେଲ୍ ଫୋନ୍ ବିଦେଶକୁ ରପ୍ତାନୀ କରାଯାଇଛି । ମେଡ ଇନ୍ ଇଣ୍ଡିଆ ସ୍ୱପ୍ନ ଦେଖିବାକୁ ‌ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିପାଇଁ ସରକାର ସମସ୍ତଙ୍କ ପଛରେ ଛିଡ଼ା ହୋଇଛନ୍ତି ।

୧୦୦ ଲକ୍ଷ କୋଟି ଯୋଜନାର ଘୋଷଣା

ଅମୃତ ସ୍ୱାଧୀନତାର ୭୫ ସପ୍ତାହ ମଧ୍ୟରେ ୭୫ଟି ବନ୍ଦେ ଭାରତ ଟ୍ରେନ୍ ଦେଶର ପ୍ରତ୍ୟେକ କୋଣକୁ ସଂଯୋଗ କରିବ । ଦେଶରେ ଏକ ନୂତନ ଗତିରେ ବିମାନବନ୍ଦର ନିର୍ମାଣ କରାଯାଉଛି । ଉଡ଼ାଣ ଯୋଜନା ଲୋକଙ୍କ ସ୍ୱପ୍ନକୁ ଉଡ଼ାଣ ଦେଇଛି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଖୁବ୍ ଶୀଘ୍ର ଦେଶର 'ପ୍ରଧାନ ମନ୍ତ୍ରୀ ଗତିଶକ୍ତି ଯୋଜନା' ଘୋଷଣା କରାଯିବ । ୧୦୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଯୋଜନାର ଆରମ୍ଭ ହେବ, ଯାହା ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ରୋଜଗାରର ସୁଯୋଗ ଆଣିବ । ଏହା ଦେଶ ପାଇଁ ମାଷ୍ଟରପ୍ଲାନ ହେବ ଯାହା ନୂତନ ଭିତ୍ତିଭୂମି ପାଇଁ ମୂଳଦୁଆ ପକାଇବ ।

କ୍ଷୁଦ୍ର ଚାଷୀ ଦେଶର ଗର୍ବରେ ପରିଣତ ହେଲେ: ପ୍ରଧାନମନ୍ତ୍ରୀ

କୃଷି କ୍ଷେତ୍ରରେ ବୈଜ୍ଞାନିକଙ୍କ ପରାମର୍ଶ କାର୍ଯ୍ୟକାରୀ କରିବାକୁ ପଡ଼ିବ । ଏହାକୁ ଅଧିକ ବିଳମ୍ବ କରାଯାଇପାରିବ ନାହିଁ । ଦେଶରେ କୃଷକଙ୍କ ଏକ ବୃହତ ବିଭାଗ ରହିଛି, ଯେଉଁମାନଙ୍କର ୨ ହେକ୍ଟରରୁ କମ୍ ଜମି ଅଛି । ପୂର୍ବରୁ ଏହି ସଂସ୍କାରକୁ ଗୁରୁତ୍ୱ ଦେଇ ଦେଶରେ କ୍ଷୁଦ୍ର ଚାଷୀଙ୍କୁ ଧ୍ୟାନ ଦିଆ ଯାଇନଥିଲା, ତେବେ ଏଥିରେ ସୁକ୍ଷାର ଆଣି ଏବେ ଅନେକ ନିଷ୍ପତ୍ତି ନିଆଯାଉଛି । ବର୍ତ୍ତମାନ ବ୍ଲକ ସ୍ତରରେ ଗୋଦାମ ଗୃହ ନିର୍ମାଣ କରାଯିବ । କ୍ଷୁଦ୍ର ଚାଷୀଙ୍କୁ ଦେଶର ଗର୍ବ କରିବାକୁ ଚାହୁଁଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସ୍ୱାଧୀନତାର ହିରୋଙ୍କୁ ପ୍ରଧାନମନ୍ତ୍ରୀଙ୍କ ସଲାମ୍

ସ୍ୱାଧୀନତାର ହିରୋଙ୍କୁ ସ୍ମୁତିଚାରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜିର ପବିତ୍ର ଦିବସରେ ପ୍ରଥମେ ଦେଶ ପାଇଁ ବଳିଦାନ ଦେଇଥିବା ମହାନାୟକଙ୍କୁ ସମ୍ମାନ ଜଣାଇଛନ୍ତି ନରେନ୍ଦ୍ର ମୋଦି । ଜାତିର ପିତା ମହାତ୍ମା ଗାନ୍ଧୀ, ନେତଜୀ ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂ, ରାମପ୍ରସାଦ ବିସ୍ମିଲ, ଶଫକଉଲ୍ଲା ଖାନ, ରାଣୀ ଲକ୍ଷ୍ମୀବାଇ, ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବାବା ସାହେବ ଆମ୍ବେଦକର ଏବଂ ଅନ୍ୟ ସମସ୍ତଙ୍କୁ ଆଜି ସ୍ମରଣ କରୁଛି ଦେଶ । ବିଜୟ ଏବଂ ପରାଜୟ ଆସୁଛି, କିନ୍ତୁ ମନରେ ସ୍ୱାଧୀନତାର ଇଚ୍ଛା କେବେ ବି ଶେଷ ହୋଇନାହିଁ ।

ନୂଆ ଶିକ୍ଷା ନୀତି ଉପରେ  ଗୁରୁତ୍ୱ

ଜାତୀୟ ଶିକ୍ଷା ନୀତି ନୂଆ ଲକ୍ଷ୍ୟ ଦେଇଛି। ଭାଷାଗତ ପ୍ରଭେଦ ଶିକ୍ଷାରେ ପ୍ରତିବନ୍ଧକ ସୃଷ୍ଟି କରିପାରିବ ନାହିଁ । ମାତୃଭାଷା ଜରିଆରେ ବି ଶିଖର ଛୁଇଁହେବ । ଟଙ୍କାପଇସା ଅଭାବରୁ  କେହି ବି ଶିକ୍ଷାରୁ ବଞ୍ଚିତ ହେବେ ନାହିଁ । ଏହା ହିଁ ନୂଆ ଶିକ୍ଷା ନୀତିର ଲକ୍ଷ୍ୟ । ଖେଳକୁଦରେ ଗରିବ ବର୍ଗର ପିଲାମାନେ ଦେଶକୁ ଗର୍ବିତ କରିଛନ୍ତି । ସେନାବାହିନୀରେ ପ୍ରବେଶ ପାଇଁ ଝିଅଙ୍କୁ ଅନୁମତି ମିଳିଛି । ଏଥର ପ୍ରତି ସୈନିକ ସ୍କୁଲରେ ପୁଅଙ୍କ ଭଳି ଝିଅମାନେ ମଧ୍ୟ ପଢ଼ିପାରିବେ।  ଦେଶରେ ଝିଅମାନଙ୍କ ପାଇଁ ମଧ୍ୟ ସୈନିକ ସ୍କୁଲ ଖୋଲିବ ବୋଲି ମୋଦି କହିଛନ୍ତି।

ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ନାରା

ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ପାଇଁ ଆହ୍ୱାନ ଦେଇଛନ୍ତି । ଦେଶବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା କରାଯାଇଛି । ଶତ ପ୍ରତିଶତ ଲୋକଙ୍କ ଘରେ ଶୌଚାଳୟ ପହଞ୍ଚାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ସମସ୍ତଙ୍କ ଘରେ ବିଜୁଳି ଓ ପାନୀୟ ଜଳ ପହଞ୍ଚାଇବା ପାଇଁ ମଧ୍ୟ ଲକ୍ଷ୍ୟ ରହିଛି । ଆଜି ସୁଦ୍ଧା ଦେଶରେ ୫୪ କୋଟି ଲୋକ କରୋନା ଟିକା ନେଇଛନ୍ତି । ଅସୁବିଧା କାଳରେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଇଛି । ସେହିପରି ଅଗଷ୍ଟ ୧୪କୁ ବିଭାଜନ ବୀଭିଷିକା ଦିବସ ଭାବେ ପାଳିବାକୁ ଅପିଲ କରିଛନ୍ତି ମୋଦି ।