Advertisment

୩ ଦଶନ୍ଧି ପରେ ବଦଳିବ ଭାରତୀୟ ସେନାର ମୁଖ୍ୟ ହତିଆର

ବିଗତ ୩ ଦଶନ୍ଧି ହେଲା ମୁଖ୍ୟ ପର୍ସନାଲ୍ ଓ୍ୱିପନ୍ ଭାବେ ଇନସାସ୍ ରାଇଫଲକୁ ବ୍ୟବହାର କରିଆସୁଛନ୍ତି ଭାରତୀୟ ସେନାର ଯବାନ। ତେବେ ଏହା ଅପେକ୍ଷାକୃତ ଓଜନିଆ, ଲମ୍ବା ଏବଂ କମ୍ ଘାତକ।

author-image
Chandan Shishu
AK-203 Rifles

AK-203 Rifles

ନୂଆଦିଲ୍ଲୀ: ପ୍ରାୟ ତିନି ଦଶନ୍ଧି ପରେ ବଦଳିବ ଭାରତୀୟ ସେନାର ମୁଖ୍ୟ ହତିଆର୍। ସେନା ଜଓ୍ୱାନଙ୍କ ହାତରେ ଇନସାସ୍ ରାଇଫଲର ସ୍ଥାନ ନେବ ଅତ୍ୟାଧୁନିକ AK-203 ରାଇଫଲ୍। ଆସନ୍ତା ୬ ତାରିଖରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ଭାରତ ଗସ୍ତ ଅବସରରେ ଏହି ଡିଲ୍ ହେବ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଶକ୍ତିଶାଳୀ ବନ୍ଧୁକ ଭାରତରେ ହିଁ ତିଆରି ହେବ। ଉତ୍ତରପ୍ରଦେଶର ଆମେଠିରେ ୫ଲକ୍ଷରୁ ଅଧିକ AK-203 ରାଇଫଲ୍ ଉତ୍ପାଦନ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି କେନ୍ଦ୍ର ସରକାର, ଯାହାକି ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ଆଉ ଏକ ମାଇଲଖୁଣ୍ଟ ହେବାକୁ ଯାଉଛି।

Advertisment

AK ସିରିଜର ଲେଟେଷ୍ଟ୍ ଭର୍ସନ୍। ହାଲୁକା ଅଥଚ ମଜବୁତ ଓ ଶକ୍ତିଶାଳୀ। ମିନିଟକୁ ୬ଶହ ରାଉଣ୍ଡ୍ ଫାୟାରିଂ କ୍ଷମତା। ୩ଶହ ମିଟର ଦୂରରୁ ଲଗାଇ ହେବ ନିର୍ଭୁଲ୍ ନିଶାନା। ଇଏ AK-203 ଆସଲ୍ଟ ରାଇଫଲ୍। ଆତଙ୍କୀ ହୁଅନ୍ତୁ, ଅବା ଯୁଦ୍ଧସ୍ଥିତିରେ ଶତ୍ରୁପକ୍ଷର ସୈନ୍ୟ  ସେମାନଙ୍କୁ ନିପାତ କରିବା ପାଇଁ ଭାରତୀୟ ସେନା ହାତରେ ତୟାର୍ ରହିବ ଏହି ଆଧୁନିକ ବନ୍ଧୁକ। ପରିବର୍ତ୍ତିତ ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି, ରୁଷ ସହାୟତାରେ ୫ ଲକ୍ଷରୁ ଅଧିକ AK-203 ରାଇଫଲ୍ ଉତ୍ପାଦନ ପାଇଁ ୫ ହଜାର ଶହେ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ଦେଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି। ଉତ୍ତରପ୍ରଦେଶ ଆମେଠିର କୋର୍ଓ୍ୱା ସ୍ଥିତ ଇଣ୍ଡୋ-ରଷିଆନ୍ ରାଇଫଲ୍ ପ୍ରାଇଭେଟ୍ ଲିମିଟେଡ୍ ବା IRRPLରେ ତିଆରି ହେବ। ଏହି ପ୍ରକଳ୍ପ ବିଭିନ୍ନ ଭାରତୀୟ ପ୍ରତିରକ୍ଷା ଶିଳ୍ପସଂସ୍ଥା ପାଇଁ ବ୍ୟବସାୟ ଓ ପରୋକ୍ଷରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ମେକ୍-ଇନ୍-ଇଣ୍ଡିଆକୁ ବଳ ଦେବ।

ବିଗତ ୩ ଦଶନ୍ଧି ହେଲା ମୁଖ୍ୟ ପର୍ସନାଲ୍ ଓ୍ୱିପନ୍ ଭାବେ ଇନସାସ୍ ରାଇଫଲକୁ ବ୍ୟବହାର କରିଆସୁଛନ୍ତି ଭାରତୀୟ ସେନାର ଯବାନ। ତେବେ ଏହା ଅପେକ୍ଷାକୃତ ଓଜନିଆ, ଲମ୍ବା ଏବଂ କମ୍ ଘାତକ। ଏହାର 5.56.45mm କ୍ୟାଲିବର୍ ବୁଲେଟ୍ ଅପେକ୍ଷାକୃତ ଛୋଟ ଆକାରର ହୋଇଥିବାରୁ, ଏହା ବାଜିଲେ ଶତ୍ରୁ ହୁଏତ ଆହତ ହେଉଥିଲେ ଅବା ଅଚଳ ହୋଇଯାଉଥିଲେ  କିନ୍ତୁ ସେମାନଙ୍କୁ ଜୀବନରୁ ମାରିବା କଷ୍ଟସାଧ୍ୟ ଥିଲା। ଇନସାସ୍ ବାରମ୍ବାର ଜାମ୍ ହେଉଥିବା ମଧ୍ୟ ଅଭିଯୋଗ ଆସୁଥିଲା। ତେବେ କାଲାସ୍ନିକୋଭ୍ ଶ୍ରେଣୀର ଆଧୁନିକ ରାଇଫଲ୍ AK-203 ବ୍ୟବହାର ଦୃଷ୍ଟିରୁ ଭରସାଯୋଗ୍ୟ ବୋଲି ପ୍ରମାଣିତ ହୋଇଛି। ଏଥିସହ ଏହାର 7.62 X 39mm କ୍ୟାଲିବର୍ ଗୁଳି ଟାର୍ଗେଟ୍ ପାଇଁ ଅତ୍ୟନ୍ତ ଘାତକ। ଏହାକୁ ମୋଡ଼ି ଛୋଟ କରିହେବ ଏବଂ ଏଥିରେ ଲେଜର୍ ଓ ଲାଇଟ୍ ଭଳି ହାଇଟେକ୍ ଆକ୍ସେସୋରିଜ୍ ମଧ୍ୟ ଯୋଡ଼ିହେବ।

Advertisment

ଆସନ୍ତା ୬ ତାରିଖରେ ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ଶିଖର ବୈଠକ ହେବ। ପ୍ରତିରକ୍ଷା ଡିଲ୍ ଏହାର ମୁଖ୍ୟ ପ୍ରସଙ୍ଗ ଥିବା ବେଳେ, AK-203 ଉତ୍ପାଦନ ପାଇଁ ଚୁକ୍ତି ସ୍ବାକ୍ଷର ସହ ଏହି ସମୟରେ S-400 ଏୟାର୍ ଡିଫେନ୍ସ ସିଷ୍ଟମର ପ୍ରଥମ ସ୍କ୍ୱାଡ୍ରନ୍ ଡେଲିଭରି ମଧ୍ୟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ରିପୋର୍ଟ: ଶିବାନନ୍ଦ ରାଉତ

Russia Uttar Pradesh Indian Army
Advertisment
Advertisment