• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୂର୍ବ ଲଦ୍ଦାଖ ପାଙ୍ଗଙ୍ଗ୍ ହ୍ରଦରେ ପାଟ୍ରୋଲିଂ କରିବା ଓ ଚୀନ୍ ସେନାର ଗତିବିଧି ଉପରେ ନଜର ରଖିବା ହେବ ଆହୁରି ସହଜ । କାରଣ ଏହି ହ୍ରଦରେ ପାଟ୍ରୋଲିଂ କରିବା ପାଇଁ ସେନାକୁ ମିଳିଛି ଲ୍ୟାଣ୍ଡିଂ କ୍ରାଫ୍ଟ ଆସଲ୍ଟ । ଏହା ପୂରାପୂରି ସ୍ୱଦେଶୀ । ଏଥିସହ ଏଲ୍ଏସି ଉପରେ ଉଡ଼ି ଆକାଶ ମାର୍ଗରୁ ସ୍ୱଦେଶୀ ଡ୍ରୋନ୍ ମଧ୍ୟ ନଜର ରଖିବ ସୀମା ଉପରେ ।

ଭାରତୀୟ ସେନା ପାଇଁ ଆଉ ଅପହଞ୍ଚ ନୁହେଁ ପାଙ୍ଗଙ୍ଗ୍ । ନିମିଷକେ ହ୍ରଦର କୋଣ ଅନୁକୋଣରେ ପହଞ୍ଚିପାରିବ ଦେଶର ଜାଗ୍ରତ ପ୍ରହରୀ । ଲ୍ୟାଣ୍ଡିଂ କ୍ରାଫ୍ଟ ଆସଲ୍ଟ ସବୁ କିଛି ସହଜ କରିଦେଇଛି । ପାଙ୍ଗଙ୍ଗର ଗୋଟିଏ ପାର୍ଶ୍ୱ ଭାରତ ସୀମାକୁ ଲାଗିଥିବା ବେଳେ, ଅନ୍ୟଟି ଚୀନ୍ ଅଧୀନସ୍ଥ ତିବ୍ବତକୁ ଲାଗିଛି । ଗଲଓ୍ୱାନ୍ ଘାଟିରେ ସଂଘର୍ଷ ପରେ ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେବି ଶାନ୍ତ ପଡ଼ିନି ।

ପାଙ୍ଗଙ୍ଗ୍ ଉପରେ ତୀକ୍ଷ୍ଣ ନଜର ରଖିଛି ଭାରତୀୟ ସେନା । ତେବେ ପାଙ୍ଗଙ୍ଗ୍ ହ୍ରଦର କିଛି ଅଞ୍ଚଳରେ ଭାରତୀୟ ସେନା ନିୟମିତ ପାଟ୍ରୋଲିଂ କରୁଥିବା ବେଳେ ଏହାକୁ ସହଜ କରିଦେଇଛି ସେନାର ଏହି ସ୍ପିଡ୍ ବୋଟ୍ । ଲ୍ୟାଣ୍ଡିଂ କ୍ରାଫ୍ଟ ଆସଲ୍ଟରେ ଏକାଥରକେ ୩୫ ଯବାନ ଯାଇପାରିବେ । ଭାରତୀୟ ସେନାର କୋର୍ ଅଫ୍ ଇଞ୍ଜିନିୟର୍ସ ଏହାର ରକ୍ଷଣାବେକ୍ଷଣ କରୁଥିବା ବେଳେ ଏହାକୁ ଗତକାଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ହ୍ରଦରେ ଭର୍ଚୁଆଲ୍ ମୋଡରେ ସେନାରେ ସାମିଲ କରିଛନ୍ତି ।

ପାଙ୍ଗଙ୍ଗ୍ ହ୍ରଦରେ ଲ୍ୟାଣ୍ଡିଂ କ୍ରାଫ୍ଟ ଆସଲ୍ଟ ସହିତ LAC ଉପରେ ଆକାଶମାର୍ଗରୁ ନଜର ରଖିବା ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଡ୍ରୋନ୍ ସିଷ୍ଟମକୁ ମଧ୍ୟ ମୁତୟନ କରାଯାଇଛି । ଏହା ଆକାଶରୁ ଥାଇ ଶତ୍ରୁ ସୈନ୍ୟଙ୍କ ଗତିବିଧି ସଂପର୍କରେ ଭାରତୀୟ ସେନାକୁ ସୂଚନା ଦେଇପାରିବ । ଏଥିସହ LAC ରେ ମୁତୟନ ଯବାନଙ୍କ ପାଇଁ ମେଡ୍ ଇନ୍ ଇଣ୍ଡିଆ ଯୁଦ୍ଧ ବାହନକୁ ମଧ୍ୟ ସେନାକୁ ହସ୍ତାନ୍ତର କରିଛନ୍ତି ରାଜନାଥ ।

ଏସବୁ ଛଡା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଆହୁରି ଅନେକ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଏବଂ ଯୁଦ୍ଧ ଉପକରଣ ମଧ୍ୟ ଭାରତୀୟ ସେନାରେ ସାମିଲ କରାଯାଇଛି । ଏଥି ମଧ୍ୟରେ ରହିଛି ଏକ ମାନବ ବିହୀନ ଏରିଏଲ ସିଷ୍ଟମ, କୁଇକ ରିଆକ୍ସନ ଯୁଦ୍ଧ ଯାନ, ସର୍ଭିଲେନ୍ସ ଯନ୍ତ୍ରାଂଶ । ଏହା ବ୍ୟତୀତ ଆଣ୍ଟି-ପର୍ସନେଲ ମାଇନ -ନିପୁଣ ଏବଂ ଫ୍ୟୁଚରିଷ୍ଟିକ୍-ଇନସାସ୍ ରାଇଫଲ ମଧ୍ୟ ସେନାକୁ ହାସ୍ତାନ୍ତର କରାଯାଇଛି ।

ବଡ କଥା ହେଉଛି ଏହି ଦୁଇଟି ଯାକ ସିଷ୍ଟମ ଭାରତୀୟ କଂପାନୀ ଦ୍ୱାରା ନିର୍ମାଣ କରାଯାଇଛି । ସେହିପରି ଇନଫାଣ୍ଟ୍ରି ପ୍ରୋଟେକଟେଡ ମୋବିଲିଟି ଭେଇକିଲ, ସ୍ୱୟଂଚାଳିତ ବା ଅଟୋମ୍ୟାଟିକ କମ୍ୟୁନିକେସନ ସିଷ୍ଟମ, ଟ୍ୟାଙ୍କ ପାଇଁ ଉନ୍ନତ ଧରଣର ସାଇଟ୍ ସିଷ୍ଟମ ଏବଂ ଅତ୍ୟାଧୁନିକ ଥର୍ମାଲ ଇମେଜର୍ ମଧ୍ୟ ସାମିଲ କରାଯାଇଛି, ଯାହା ସେନାକୁ ଆହୁରୀ ଶକ୍ତିଶାଳୀ କରାଇବାରେ ସହାୟକ ହେବ । ଏହି ଅବସରରେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ ।