କଟକ ବଡ଼ ଡାକ୍ତରଖାନା ନାଁରେ ବଡ଼ ଅଭିଯୋଗ । ଏସ୍ସିବିରେ ଶିଶୁ ବଦଳ ଅଭିଯୋଗ ମାମଲାରେ ହାଇକୋର୍ଟଙ୍କ ନୋଟିସ୍ । ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି ଉଚ୍ଚ ନ୍ୟାୟଳୟ । ସାଂଘାତିକ ଅଭିଯୋଗ ଆଣିଛନ୍ତି ଆବେଦନକାରୀ । ତେବେ କ’ଣ ଥିଲା ସମ୍ପୂର୍ଣ୍ଣ ମାମଲା, ଆସନ୍ତୁ ଜାଣିବା ।
Also Read
ଅଧିକ ପଢ଼ନ୍ତୁ: ଦୁର୍ନୀତିଖୋର୍ଙ୍କୁ ସରକାରୀ ଛାଟ, ୫ ବର୍ଷରେ ୧୫୯ ବାବୁ ବିଦା
ଅଭିଯୋଗ ଅନୁସାରେ, ଗତ ଫେବ୍ରୁଆରୀ ୧୦ ତାରିଖରେ ଏସ୍ସିବିରେ ଭର୍ତ୍ତି ହୋଇଥିଲେ ପ୍ରସୂତି । ପରଦିନ ୧୧ ତାରିଖରେ ତାଙ୍କର ଏକ ଝିଅ ଜନ୍ମ ହୋଇଥିଲା । ପରିବାର ଲୋକ ନବଜାତର ଫଟୋ ବି ଉଠାଇଥିଲେ । ସୁସ୍ଥ ଥିବା ସତ୍ତ୍ବେ ଛୁଆଟିକୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା କୁହାଯାଇଥିଲା । କିନ୍ତୁ ୧୨ ତାରିଖରେ ଶିଶୁର ଆଇମା’ଙ୍କୁ ମଲା ଛୁଆଟେ ଧରାଇ ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ତା ପୂର୍ବରୁ ପିଲାର ସ୍ବାସ୍ଥ୍ୟାବସ୍ଥାରେ କିଛି ଖରାପ ଥିବା ବି ପରିବାର ଲୋକଙ୍କୁ ଜଣାଇ ନଥିଲେ । ମୃତ ଛୁଆଟିକୁ ମହାନଦୀରେ ପୋତିବାକୁ ନେଲା ବେଳେ ସେମାନଙ୍କର ସନ୍ଦେହ ହୋଇଥିଲା । ମୁହଁ ଖୋଲି ଦେଖିବା ପରେ ଛୁଆଟି ତାଙ୍କର ନଥିବା ଓ ଛୁଆ ପୋଷାକରେ ବାଲି ଲାଗିଥିବା ଦେଖାଯାଇଥିଲା ।
ଏନେଇ ଏସସିବି ମେଡିକାଲରୁ ଥାନା, ଡିସିପି ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ପ୍ରସୂତିଙ୍କ ସ୍ବାମୀ । କିନ୍ତୁ ତାଙ୍କ କଥା କେହି ଶୁଣିନଥିବା ଅଭିଯୋଗ ହୋଇଛି । ଏପରିକି କଟକ ଜିଲ୍ଲାପାଳଙ୍କ ନିକଟରେ ଫେବ୍ରୁଆରୀ ୨୫ ତାରିଖରେ ବି ଲିଖିତ ଅଭିଯୋଗ କରିଥିଲେ । ତଥାପି ତାଙ୍କ ଅଭିଯୋଗ ଉପରେ କିଛି ପଦକ୍ଷେପ ନିଆଯାଇ ନଥିଲା । ସବୁଆଡୁ ନିରାଶ ହେବା ପରେ ଶେଷରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଛୁଆର ବାପା । ମାମଲାର ଶୁଣାଣି କରି ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଏପ୍ରିଲ ୨ ତାରିଖରେ ମାମଲାର ଶୁଣାଣି ହେବ ।
ତେବେ ଏହି ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ହାଇକୋର୍ଟ । ମାମଲାର ଶୁଣାଣି ବେଳେ ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀ କହିଥିଲେ ଯେ, କୋର୍ଟଙ୍କ ସାମନାରେ ଉପସ୍ଥାପିତ ତଥ୍ୟ ସାଂଘାତିକ ଅବହେଳାଠାରୁ ବି ଅଧିକ ଦର୍ଶାଉଛି । ଏହି ଅନୁଷ୍ଠାନ ସବୁଠୁ ଦୁର୍ବଳ ଶ୍ରେଣୀ ଲୋକଙ୍କର ଯତ୍ନ ଓ ସୁରକ୍ଷା ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ । ତେବେ ଏହି ଘଟଣା ଏକ ଗମ୍ଭୀର ବିଶ୍ୱାସ ଭଙ୍ଗକୁ ପ୍ରତିଫଳିତ କରୁଛି । ହସ୍ପିଟାଲ କେବଳ ଚିକିତ୍ସାର ସ୍ଥାନ ନୁହେଁ ବରଂ ଏକ ଆଶ୍ରୟସ୍ଥଳ । ଯେଉଁଠାରେ ଲୋକେ ସେମାନଙ୍କର ପ୍ରିୟଜନଙ୍କୁ ମର୍ଯ୍ୟାଦା ଓ ଯତ୍ନ ନେବାରେ ଭରସା କରନ୍ତି। ଯେତେବେଳେ ସେହି ବିଶ୍ୱାସ ଭାଙ୍ଗେ, ତାହା କେବଳ ସାଂଗଠନିକ ତ୍ରୁଟି ନୁହେଁ ବରଂ ଏକ ବିଫଳତା । ଯାହା ସମଗ୍ର ବ୍ୟବସ୍ଥା ଉପରେ ବିଶ୍ୱାସକୁ ଦୋହଲାଇ ଦିଏ। ଏପରି ପରିସ୍ଥିତିରେ ଜଣେ ନବଜାତ ଶିଶୁ ନିଖୋଜ ହେବା ଓ ଆବେଦନକାରୀଙ୍କ ଆବେଦନକୁ ଶୁଣି ନିରବ ରହିବା ଗଭୀର ଚିନ୍ତାଜନକ। କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତାକୁ ଅଣଦେଖା କରାଯାଇପାରିବ ନାହିଁ ।