• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

କେନ୍ଦୁଝର କଲେକ୍ଟର ଆଶିଷ ଠାକରେଙ୍କ ପ୍ରତି ରାଜ୍ୟ ସରକାରଙ୍କର କାହିଁକି ଏତେ ଦରଦ? ଆଦିବାସୀଙ୍କ ସମସ୍ୟାକୁ ଅଣଦେଖା କରୁଥିବା ଜଣେ ଜିଲ୍ଲାପାଳଙ୍କୁ ବଞ୍ଚେଇବାକୁ କଣ ପାଇଁ ଏତେ ଆନ୍ତରିକତା? ତାକୁ ନେଇ ଆଲୋଚନା ସମାଲୋଚନା ଚାଲିଥିବାବେଳେ ଜିଲ୍ଲାପାଳଙ୍କୁ ସୁରକ୍ଷା ଦେବାକୁ କେମିତି ଅଣ୍ଟା ଭିଡ଼ିଛନ୍ତି ସରକାର, ଜାଣନ୍ତୁ। ଏପ୍ରିଲ ୨୬ ତାରିଖରେ ଜାତୀୟ ଜନଜାତି ଆୟୋଗଙ୍କ ନିକଟରେ ଜିଲ୍ଲାପାଳ ଆଶିଷ ଠାକ୍‌ରେ ନୁହଁନ୍ତି ବରଂ ହାଜର ହେବେ ରାଜ୍ୟ ଚିଫ୍ ରେସିଡେଣ୍ଟ କମିଶନର ଓ ସୁପ୍ରିମକୋର୍ଟର ନାମୀ ଓକିଲ ପିଙ୍କି ଆନନ୍ଦ। ଏନେଇ ଆଇନ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖି ପରାମର୍ଶ ଦେଇଛନ୍ତି ଆଡଭୋକେଟ୍ ଜେନେରାଲ।

ଖାଲି ସେତିକି ନୁହେଁ, ଜିଲ୍ଲାପାଳଙ୍କ ପାଇଁ ହାଜର ହୋଇ ପକ୍ଷ ରଖିବାକୁ ବରିଷ୍ଠ ଓକିଲ ପିଙ୍କି ଆନନ୍ଦଙ୍କ ଫି କେତେ, ତା ବି ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି। ଯାହାର ମୋଟ୍ ପରିମାଣ ରହିଛି ୯ଲକ୍ଷ ୭ ହଜାର ୫ଶହ ଟଙ୍କା। ଇଏ ହେଉଛି ତାର ପୁରା ବିବରଣୀ ଯେଉଁଥିରେ କେବଳ ଥରୁଟିଏ ହାଜିରା ପାଇଁ ସିନିଅର୍ ଆଡଭୋକେଟ୍ ପିଙ୍କି ଆନନ୍ଦଙ୍କ ଫି ରହିଛି ସାଢ଼େ ୫ଲକ୍ଷ ଟଙ୍କା ଯାହାକୁ ନେଇ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ।

କେନ୍ଦୁଝର ବିଧାୟକ ମୋହନ ମାଝୀ କହିଛନ୍ତି, ଆଦିବାସୀଙ୍କ ସମସ୍ୟା ଶୁଣୁନଥିବାରୁ ବାରମ୍ବାର ସମନ ସତ୍ତ୍ୱେ ଜାତୀୟ ଏସଟି କମିଶନଙ୍କ ପାଖରେ କଲେକ୍ଟର ହାଜର ନହେବାରୁ ତାଙ୍କୁ ଗିରଫ କରି କମିଶନଙ୍କ ସାମ୍ନାରେ ହାଜର ପାଇଁ ଓଡ଼ିଶା ଡିଜିପିଙ୍କୁ କମିଶନ ନିର୍ଦ୍ଦେଶ ଦେଇଥିଲେ। ତା ନକରି ଜଣେ ଆଦିବାସୀ ବିରୋଧୀ ଅଫିସରଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଂଗ୍ରେସ କହିଛି। ଏଭଳି ଏସ୍‌ଟି କମିଶନ ଭଳି ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥାର ନିର୍ଦ୍ଦେଶକୁ ଖାତିର ନକରିବା ପାଇଁ ସରକାର ଓ ସରକାରୀ ଅଧିକାରୀଙ୍କ ଭିତରେ ଏକ ଗୁପ୍ତ ବୁଝାମଣା ହୋଇଛି।

ଏଭଳି ଦୋଷୀ ଅଧିକାରୀ ନିଜ ଖର୍ଚ୍ଚରେ ମାମଲା ପରିଚାଳନା କରିବା କଥା କିନ୍ତୁ ତାର ଓଲଟା ଫଳ ଦେଖିବାକୁ ମିଳିଛି। କେନ୍ଦୁଝର ଭଳି ଖଣିଖାଦାନ ଭରା ଜିଲ୍ଲାରୁ ଶାସକ ଦଳ ପାଇଁ ଅଧିକ ପାଣ୍ଠି ସଂଗ୍ରହ କରୁଥିବାରୁ ଜିଲ୍ଲାପାଳଙ୍କୁ ସରକାର ଏଭଳି ସୁରକ୍ଷା ଦେଉଥିବା ଦଳ ଅଭିଯୋଗ କରିଛି। ତେବେ ଏନେଇ କେନ୍ଦୁଝର ଜିଲ୍ଲାପାଳ କିମ୍ବା ଶାସକଦଳ ପକ୍ଷରୁ ପ୍ରତିକ୍ରିୟା ମିଳିନାହିଁ।

କେନ୍ଦୁଝର ଜିଲ୍ଲାର ଆଦିବାସୀଙ୍କ ବିଭିନ୍ନ ଆବେଦନର ଶୁଣାଣି ପାଇଁ ଗତ ବର୍ଷେ ଧରି ବାରମ୍ବାର କେନ୍ଦ୍ର ଏସ୍‌ଟି କମିଶନଙ୍କ ନୋଟିସ୍ ଓ ସମନ ସତ୍ତ୍ୱେ ହାଜର ହେଉନଥିଲେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେ। ଗତ ୧୨ ତାରିଖରେ ଜିଲ୍ଲାପାଳଙ୍କ ବିରୋଧରେ ଜାତୀୟ ଅନୁସୂଚିତ ଜନଜାତି କମିଶନ୍ ଗିରଫ ପରଓ୍ୱାନା ଜାରି କରିବା ସହ ତାଙ୍କୁ ଗିରଫ କରି କମିଶନଙ୍କ ସାମ୍ନାରେ ହାଜର କରିବାକୁ ପୋଲିସ୍ ଡିଜି ସୁନିଲ ବଂଶଲଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆଶିଷ ଠାକ୍‌ରେ। ଗତ ୧୮ ତାରିଖରେ ହାଇକୋର୍ଟ ତାଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରି ଜାତୀୟ ଏସ୍‌ଟି କମିଶନଙ୍କୁ ନୋଟିସ ଜାରି କରିଥିଲେ ଓ  ୬ ସପ୍ତାହ ପରେ ଏହାର ଶୁଣାଣି ପାଇଁ ଧାର୍ଯ୍ୟ କରିବା ସହ ସେ ଯାଏଁ ଜିଲ୍ଲାପାଳଙ୍କ ଗିରଫ ଉପରେ ସ୍ଥଗିତାଦେଶ ଦେଇଥିଲେ। ଏଣେ ଏସ୍‌ଟି କମିଶନଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତା ୨୬ରେ ଆଶିଷ ଠାକରେଙ୍କ ପରିବର୍ତ୍ତେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ସୁପ୍ରିମକୋର୍ଟ ଓକିଲଙ୍କୁ ତାଙ୍କ ପାଇଁ ପକ୍ଷ ରଖିବା ପାଇଁ ରାଜ୍ୟ ସରକାର ନିଯୁକ୍ତି ଦେବାକୁ ସହଜରେ ଗ୍ରହଣ କରୁନାହାନ୍ତି ବରିଷ୍ଠ ସାମ୍ବାଦିକ।

ଜାତୀୟ ଏସ୍‌ଟି କମିଶନ ଓ କେନ୍ଦୁଝର କଲେକ୍ଟରଙ୍କ ମଧ୍ୟରେ ଏ ବିବାଦ ଦିନକୁ ଦିନ ଜଟିଳ ହେଉଥିବା ବେଳେ, ଦେଖିବାର କଥା ଏହାର ପରବର୍ତ୍ତୀ ମୋଡ଼ କଣ ହେଉଛି।

ରିପୋର୍ଟ: ପ୍ରଣୟ ପାଣି, ଜଗଦୀଶ ଦାସ ଓ ସ୍ୱାତୀ ଜେନା