• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଶୁଣିଲାନି ପ୍ରଶାସନ, ନିଜ ପାଇଁ ପୋଲ ନିର୍ମାଣ କଲେ ଗ୍ରାମବାସୀ

  • ଅସ୍ଥାୟୀ ବ୍ରିଜ ୫ ଖଣ୍ଡ ଗାଁର ଲୋକଙ୍କ ପାଇଁ ପାଲଟିଛି ଲାଇଫଲାଇନ୍‌

  • ସ୍ଥାୟୀ ବ୍ରିଜ୍ ନ ହେଲେ ଭୋଟ୍ ବର୍ଜନ ପାଇଁ ଲୋକଙ୍କ ଚେତାବନୀ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କହି କହି ଶୁଣିଲାନି ପ୍ରଶାସନ। ଶେଷରେ ନିଜ ପାଇଁ ପୋଲ ନିର୍ମାଣ କଲେ ଗ୍ରାମବାସୀ। ଅସ୍ଥାୟୀ ବ୍ରିଜ୍ ହେଲେ ବି ଆଖପାଖ ୫ ଖଣ୍ଡ ଗାଁର ଲୋକଙ୍କ ପାଇଁ ପାଲଟିଛି ଲାଇଫ୍ଲାଇନ୍। ତେବେ ଆଗକୁ ସ୍ଥାୟୀ ବ୍ରିଜ୍ ନ ହେଲେ ଭୋଟ୍ ବର୍ଜନ ପାଇଁ ଲୋକେ ଚେତାବନୀ ଦେଇଛନ୍ତି।

କାଠ ପୋଲରେ ବିପଦଶଙ୍କୁଳ ଯାତ୍ରା କରୁଛନ୍ତି ଲୋକେ। ତଳେ ଖରଶ୍ରୋତା ପୋଡ଼ ନଦୀ, ଉପରେ ଜୀବନକୁ ବାଜି ଲଗାଇ ସ୍କୁଲ୍ ଯାଉଛନ୍ତି କୁନିକୁନି ପିଲା। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଦଶମନ୍ତପୁର ଗିଲ୍ଲିଗୁମ୍ମା ପଞ୍ଚାୟତ ଫୁଣ୍ଡାଗୁଡ଼ା ଗାଁରେ। ବଜାର ଘାଟ ଯିବାକୁ ହେଲେ ପୋଡ଼ ନଦୀ ଉପରେ ହୋଇଥିବା ଅସ୍ଥାୟୀ କାଠ ପୋଲ ହିଁ ଲୋକଙ୍କ ଏକମାତ୍ର ଭରସା। ଆଉ ଏହି କାଠ ପୋଲ ନିଜେ ଗାଁ ଲୋକେ ହିଁ ତିଆରି କରିଛନ୍ତି। ଅସ୍ଥାୟୀ କାଠ ବ୍ରିଜ୍ ପାଇଁ ପଥର ଛାତିରେ ଲୁହା ରଡ଼ ଫୁଟାଇ କଂକ୍ରିଟ୍ ପିଲାର କରିବା ପରେ ତା ଉପରେ କାଠଗଣ୍ଡି ରଖି ନିର୍ମାଣ କରିଛନ୍ତି ପୋଲ। ଏଥିଲାଗି କିଏ ଶ୍ରମ ଦାନ କରିଛି ତ କିଏ ଚାନ୍ଦାଭେଦା କରି ଏକାଠି କରିଛି ଅର୍ଥ। ଦୁଇ ମାସର ପରିଶ୍ରମ ପରେ ଫଳ ମିଳିଛି। କାଠ ପୋଲ ହେଲେ ବି ଆଖପାଖ ୫ଖଣ୍ଡ ଗାଁର ଲୋକଙ୍କ ପାଇଁ ପାଲଟିଛି ଜୀବନ ରେଖା।

ପୋଲ ନିର୍ମାଣ ପାଇଁ ଲୋକେ ପ୍ରଶାସନଠୁ ଆରମ୍ଭ କରି ଜନ ପ୍ରତିନିଧି ସମସ୍ତଙ୍କୁ ଜଣାଇଥିଲେ। ମାତ୍ର କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ନିଜେ ନିଜ ପାଇଁ ନିର୍ମାଣ କରିଛନ୍ତି ଅସ୍ଥାୟୀ ବ୍ରିଜ୍। ଆଗକୁ ସ୍ଥାୟୀ ବ୍ରିଜ୍ ନହେଲେ ଭୋଟ୍ ବର୍ଜନ ପାଇଁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। କ୍ୟାମେରା ସାମ୍ନାରେ ମୁହଁ ନଖୋଲିଲେ ମଧ୍ୟ ବିଜୁ ସେତୁ ଯୋଜନାରେ ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ। ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବିଧାୟକ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।