• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚାଖଣ୍ଡେ କନା ଆଉ ପେଟକୁ ଦିମୁଠା ଦାନା ପାଇଁ ଦାଦନ ଯାଇ ଦହଗଞ୍ଜ ହେଉଛି ମଣିଷ । ପେଟ ପୁରୁଛି କି ନାହିଁ, ଜଣାନାହିଁ । କିନ୍ତୁ ସେ କେବେ ଫେରୁଛି ପଙ୍ଗୁ ହୋଇ ତ ଆଉ କେବେ ଫେରୁଛି ଶବ ହୋଇ । ଦୁର୍ଦ୍ଦଶାର ଏହି ଦୟନୀୟ କାହାଣୀ, ଦଶନ୍ଧି ଦଶନ୍ଧି ଧରି ଜାରି ରହିଛି । ତାହାରି ଭିତରେ ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡରେ ୧୦ ଦିନ ଭିତରେ ୧୦ ଶ୍ରମିକଙ୍କ ଶବ ଫେରିବା ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନାକୁ ଉପହାସ କରୁଛି ।

ଦାଦନଗଡ଼ ବଲାଙ୍ଗିର ଜିଲ୍ଲାର କାହାଣୀ । କାହାକୁ ଆଶ୍ୱାସନା ଦେବେ, କାହାକୁ କେଉଁ ଭାଷାରେ ଶାନ୍ତ୍ୱନା ଦେବେ । ପରିବାରର ରୋଜଗାରିଆ ପୁଅ, ବାପା, ଭାଇ କିମ୍ବା କୌଣସି ସମ୍ପର୍କୀୟଙ୍କୁ ଯିଏ ହରାଇଛି ସିଏ ଜାଣିଛି ତାମରମ ବେଦନା । ଏମିତି କେତେ ଶବ ଆସିଛି ଭିଟାମାଟିକୁ, ଏମିତି କେତେ ଅନାଥ ହୋଇଛନ୍ତି ନିରୀହ ପିଲା, କାହା ପାଖରେ ହିସାବ ନାହିଁ ।

ଗତ ୧୦ ଦିନ ଭିତରେ ଦଶ ଦଶଟି ଦାଦନ ଶ୍ରମିକଙ୍କ ଶବ ଆସିଲାଣି ପାଟଣାଗଡ଼ ଉପଖଣ୍ଡକୁ । ସେହିପରି ବେଲପଡା ବ୍ଳକ ଯୁବା ଗାଁର ନକୂଳ ଧରୁଆଙ୍କ ମୃତଦେହ ଫେରିଛି । ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିଲେ । ନିର୍ଯାତନା ସହିନପାରି ସେଇଠି ହିଁ ଆଖି ବୁଜିଦେଲେ । ନକୂଳଙ୍କ ଶବ ଆସିବାର ୩ ଦିନ ପରେ, ଘରେ ପହଞ୍ଚିଲା ସେହି ବ୍ଳକର ସୁଲେକେଲା ଗାଁର ସ୍ନେହଲତା ଦଳେଇଙ୍କ ଶବ । ହାଇଦ୍ରାବାଦ ନିକଟ ଇଟାଭାଟିକୁ କାମ କରିବାକୁ ଯାଇ ମାଲିକର ନିର୍ଯାତନାରେ ଗୁରୁତର ହୋଇ ପ୍ରାଣ ହରାଇଲେ ସ୍ନେହଲତା । ତାର ଠିକ୍ ୫ ଦିନ ପରେ ଖଲଖଲି ଗାଁର ଜଗଦିଶ ମାଝିଙ୍କ ଶବ ପହଞ୍ଚିଥିଲା ଭିଟାମାଟିରେ ।

କାମ ଧନ୍ଧା ଅଭାବରୁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ଦହଗଞ୍ଜ ହେଉଛନ୍ତି ବଲାଙ୍ଗିର ଜିଲ୍ଲାର ଲୋକେ । ବିଶେଷ କରି ବେଲପଡ଼ା ବ୍ଲକରୁ ଅଧିକ ଯାଉଛନ୍ତି ବାହାରକୁ । ଏହି ବ୍ଲକରେ ୩ ହଜାର ୪ଶହ ପଞ୍ଜିକୃତ ଶ୍ରମିକ ଦାଦନ ଯାଇଥିବାବେଳେ ବେସରକାରୀ ଭାବେ ଏହି ସଂଖ୍ୟା ଅଧିକ ହେବ ବୋଲି ଖୋଦ୍ ବେଲପଡ଼ା ବିଡ଼ିଓ ସ୍ୱୀକାର କରୁଛନ୍ତି । ଜିଲ୍ଲାବ୍ୟାପି ଏହି ସମସ୍ୟା ରୋକିବାକୁ ରାଜ୍ୟ ସରକାରଙ୍କ ନାନା ଯୋଜନା ନାନା କସରତ କରୁଛନ୍ତି, ହେଲେ ଫଳ ଶୂନ ।

ଦାଦନ ଚାଲାଣରେ ରୋକ ଲଗାଇବାକୁ ନିଜେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ସଭା କରିଥିଲେ । ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।ବଲାଙ୍ଗିର ଜିଲ୍ଳାର ଦାଦନ ପ୍ରବଣ ବ୍ଳକରେ କୋଟି କୋଟି ଟଙ୍କାର ଯୋଜନା ବି ଘୋଷଣା କରିଥିଲେ । ପ୍ରତିବର୍ଷ ଦାଦନ ଋତୁରେ ଗାଁ ଗାଁରେ ନିର୍ମାଣ ଶ୍ରମିକ ସହାୟତା ରଥ ବୁଲାଇଲେ । ଏପରିକି ପଡେଶୀ ଆନ୍ଧ୍ର, ତେଲେଙ୍ଗାନା ରାଜ୍ୟର ବରିଷ୍ଠ ଅଧିକାରୀଙ୍କୁ ଡାକି ସଦର ମହକୁମାରେ ଉଚ୍ଚସ୍ତରୀୟ ବୈଠକ ବି କରିଥିଲେ । କିନ୍ତୁ ସବୁ ଯୋଜନା ଯୋଜନା ବାଟରେ । ଦାଦନ ସମସ୍ୟା ସମସ୍ୟା ବାଟରେ ।

କେବଳ ବଲାଙ୍ଗିର ନୁହେଁ, ଦାଦନ ଦୁଃଖର ଅଭାବନୀୟ କାହାଣୀ ରାଜ୍ୟବ୍ୟାପି ଦେଖିବାକୁ ମିଳୁଛି । କୋରାପୁଟ ଜିଲ୍ଲା ପୋଡ଼ାପଦର ଗାଁରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ୨ବର୍ଷ ତଳେ ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଥିଲେ ଘାସି ଅମାନତ୍ୟ । କୌଣସି ପତ୍ତା ନମିଳିବାରୁ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ଭାବି ଶୁଦ୍ଧି ସଂସ୍କାର ସାରିଦେଇ ବିଧବା ବନିଯାଇଥିଲେ ପତ୍ନୀ ସୁବର୍ଣ୍ଣ । ଶେଷରେ ୨ ବର୍ଷ ପରେ ସ୍ବାମୀ ଏବେ ପହଞ୍ଚିବାରେ ପୁଣି କ୍ରିୟାକର୍ମ କରି ସଧବା ବନିଥିଲେ ପତ୍ନୀ ।