/odishatv-khabar/media/post_attachments/uploadimage/library/16_9/16_9_0/sunusunia__1651656768.jpg)
sunusunia
ଜମିରେ ଛନଛନିଆ ସୁନୁସୁନିଆ । ସବୁ ଚାଷ କରି ବିଫଳ ହେବା ପରେ ଶାଗ ଚାଷ କରିବାକୁ ଆଦରି ନେଲେ । ଏକର ଏକର ଜମିରେ ସୁନୁସୁନିଆ ଶାଗ କରି ବେଶ୍ ଦି ପଇସା ରୋଜଗାର କରିପାରୁଛନ୍ତି ଯାଜପୁର କୋରେଇ ବ୍ଲକ ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତର ଅନେକ ଚାଷୀ । କେବଳ ରାଜ୍ୟରେ ନୁହେଁ ରାଜ୍ୟ ବାହାରକୁ ମଧ୍ୟ ଶାଗ ପଠାଉଛନ୍ତି ସେମାନେ ।
କୋରେଇ ବ୍ଲକ ଗୋଳେଇପୁର ପଞ୍ଚାୟତ ମିର୍ଜାପୁର, ସିଙ୍ଗଡ଼ା, ସୋତି, ହାଟସାହି ପ୍ରଭୃତି ଅଞ୍ଚଳରେ କରାଯାଉଛି ସୁନୁସୁନିଆ ଶାଗ । ଚାଷୀଙ୍କ କଠିନ ପରିଶ୍ରମ ଯୋଗୁଁ କ୍ଷେତରେ ହସୁଛି ସୁନାର ଫସଲ । ଯିଏ ଦେଖୁଛି ତା ମନ ପୂରି ଉଠୁଛି । ସତେ ଯେମିତି ଏକର ଏକର ଜମି ଉପରେ ସବୁଜ ମଖମଲି ଗାଲିଚା ବିଛେଇ ହୋଇଛି, ଯାହା ଆଜି ପାଲଟିଛି ଚାଷୀଙ୍କ ପାଇଁ ଏକ ମାତ୍ର ଭାତ ହାଣ୍ଡି ।
ସ୍ଥାନୀୟ ଅଞ୍ଚଳର ଚାଷୀ ଧାନ ଓ ପନିପରିବା ଚାଷ କରି ଅଧିକ ଲାଭ ନମିଳିବାରୁ ବାଧ୍ୟ ହୋଇ ସୁନୁସୁନିଆ ଶାଗ ଚାଷ କରୁଛନ୍ତି । କିଛି ବୟୋଜ୍ୟେଷ୍ଠ ଚାଷୀଙ୍କ ଠାରୁ ପ୍ରେରଣା ପାଇ ଅନେକ ଚାଷୀ ଏହି ସୁନୁସୁନିଆ ଶାଗ ଚାଷ କରିବାକୁ ମନବଳାଇଲେ । ଆଉ ଏଥିରୁ ଏମାନେ ଭଲ ଦି ପଇସା ରୋଜଗାର ମଧ୍ୟ କରିପାରୁଛନ୍ତି ।
ଏ ଅଞ୍ଚଳର ଚାଷୀ ପୂର୍ବରୁ କେବଳ ଧାନ ଚାଷ କରୁଥିଲେ । କିନ୍ତୁ ଧାନ ଚାଷରେ ନାନା ସମସ୍ୟା ଦେଖାଦେଲା । ନଦୀକୂଳିଆ ଅଞ୍ଚଳ ହୋଇଥିବାରୁ ଅଧିକାଂଶ ବର୍ଷ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବରେ ଏଠାରେ ବ୍ୟାପକ କ୍ଷତି ହୋଇଥାଏ । ଏବେ କିନ୍ତୁ ଏହି ସୁନୁସୁନିଆ ଶାଗରେ କମ୍ ସାର ବ୍ୟବହାର କରି ଅଧିକ ଲାଭ କରିପାରୁଛନ୍ତି ଚାଷୀ ।
ଚାଷୀ ମାନଙ୍କ ଠାରୁ ବ୍ୟବସାୟୀ ମାନେ ଶାଗ ନେଇ ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଉଛନ୍ତି । ଯେଉଁଥି ପାଇଁ ବର୍ଷକୁ ଚାଷୀ ଗୁଣ୍ଠ ପ୍ରତି ୫୦ ହଜାରରୁ ଅଧିକ ଟଙ୍କା ରୋଜଗାର କରିପାରୁଛନ୍ତି। ଏହି ଚାଷରେ ଭଲ ଦି ପଇସା ମିଳୁଥିବାରୁ ଅଧିକରୁ ଅଧିକ ଚାଷୀ ଏହି ଚାଷ ପ୍ରତି ଆଗ୍ରହୀ ହେଉଛନ୍ତି ।
ଚାଷୀ ମାନେ ପାରମ୍ପରିକ ଚାଷ ପରିବର୍ତ୍ତେ ଏଭଳି ନୂଆ ନୂଆ ଚାଷ କଲେ ଭଲ ଦି ପଇସା ରୋଜଗାର କରି ଆର୍ଥିକ ଦିଗରେ ବେଶ ସ୍ୱାବଲମ୍ବୀ ହୋଇପାରନ୍ତେ । ତେବେ ଏ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ଯୋଗାଇଦେବା ଆବଶ୍ୟକ ।
ଯାଜପୁରରୁ ଜନ୍ମେଜୟ ଦାସଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)