• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କିଛି ଗାଁର ନାଁ ମନରେ କୌତୁହଳ ସୃଷ୍ଟି କରେ । ମନରେ ପ୍ରଶ୍ନ ଆସେ ଗାଁର ଏଭଳି ନାମକରଣ କାହିଁକି ହେଲା । କ’ଣ ୟା ପଛର କାରଣ । ସେହିଭଳି ଦୁଇଟି ଗାଁ ହେଉଛି ଛେଳିଆପଡ଼ା ଓ ବୋଦାମୁଣ୍ଡାଇ । ଆଜିକାଲିକା ନୁହେଁ କାହିଁ କେଉଁ ଦିନରୁ ଗାଁର ନାଁ ଏହିଭଳି । କୁଳୁକୁଳୁ ହୋଇ ବହିଯାଉଛି ଝରଣା । ଅସ୍ତଗାମୀ ସୂର୍ଯ୍ୟଙ୍କ ସୁନେଲି କିରଣରେ ବିଚ୍ଛୁରିତ ପଶ୍ଚିମ ଆକାଶ । ପାହାଡ଼ ପର୍ବତ ଝରଣା ସହ ସୁନ୍ଦର ପରିବେଶ ଭିତରେ ଗାଁଟି ।

ଗାଁର ନାଁ ଛେଳିଆପଡ଼ା । ଅନୁଗୁଳ ସହରଠାରୁ ଅଳ୍ପଦୂରରେ ଅବସ୍ଥିତ ଏହି ଗାଁରେ ବସବାସ କରନ୍ତି ପ୍ରାୟ ୧୦ ହଜାର ଲୋକେ । ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭରଶୀଳ । ଚାଷବାସ ସାଙ୍ଗକୁ ଏଠାରେ ଭଲ ମାଟି ଥିବାରୁ ଅନେକ ପରିବାର କୁମ୍ଭକାର ଅଟନ୍ତି । ତେବେ ଗାଁ ନାଁକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ । ଗାଁର ନାଁ କାହିଁକି ଛେଳିଆପଡା ହୋଇଛି ସେ ନେଇ ଅନେକ ଲୋକ ଅନେକ କଥା କହିଥାନ୍ତି ।

ବ୍ରିଟିଶ ଶାସନ ପୂର୍ବରୁ ଅଷ୍ଟାଦଶ ଶତାବ୍ଦୀରେ ଅନୁଗୋଳ ଏକ ପାଟଣା ଥିଲା । ରାଜା ଅନୁଙ୍କର ଦୁଇ ସେନାପତି ନିଜର ଶୌର୍ଯ୍ୟ ଓ ପରାକ୍ରମ ପାଇଁ ଅତ୍ୟନ୍ତ ପ୍ରିୟଭାଜନ ହୋଇ ପାରିଥିଲେ । ଅନୁ ରାଜାଙ୍କର ଦୁଇ ସେନାପତି ଥିଲେ ଛେଳିଆର ସିଂ ଓ ବଳିଆର ସିଂ । ଦୁଇ ସେନାପତିଙ୍କୁ ଅନେକ ଅଞ୍ଚଳର ଦାୟିତ୍ୱ ଦିଆ ଯାଇଥିଲା । ତେଣୁ ଯେଉଁ ଅଞ୍ଚଳର ଶାସନ ଭାର ଛେଳିଆର ସିଂ ଉପରେ ନ୍ୟସ୍ତ ଥିଲା, ତାଙ୍କରି ନାଁ ଅନୁସାରେ ଗାଁର ନାମ ଛେଳିଆପଡା ହୋଇଥିଲା ବୋଲି ବୁଦ୍ଧିଜୀବୀ ମତ ରଖନ୍ତି ।

କଟକ ସାଲେପୁର ପିକୋଳ ପଂଚାୟତର ବୋଦାମୁଣ୍ଡାଇ ଗାଁ । କଣ ପାଇଁ ଗାଁର ନାଁ ଏଭଳି ରଖାଗଲା, କିଏ ଏବଂ କାହିଁକି ରଖିଛି ଏ ନାଁ, ତାକୁ ନେଇ ଚାଲେ ଆଲୋଚନା । ଗାଁର ପୁରୁଖା ଲୋକଙ୍କ କହିବା ଅନୁଯାୟୀ ଗାଁକୁ କୁଆଡେ ବ୍ରିଟିଶ ଶାସନ ଅମଳରେ ଜଣେ ଗୋରା ଅଫିସର ଆସିଥିଲେ । ସିଏ କଣ ଗୋଟେ ଇଂରାଜୀରେ କହିଦେଲେ ଆଉ ଗାଁ ଲୋକେ ଇଂରାଜୀ ବୁଝି ନପାରି ବୋଦାମୁଣ୍ଡାଇ ଶୁଭିଥିବା କହିଥିଲେ ।

ଆଉ କେହି କୁହନ୍ତି ବହୁ ଦିନ ପୂର୍ବେ କୁଆଡେ ଏହି ଗାଁର ଆଖପାଖ ଅଞ୍ଚଳର ଲୋକେ ବୋଦା ଆଣି ଛାଡି ଦେଇ ଯାଉଥିଲେ । ବହୁ ବୋଦା ଏହି ଗାଁରେ ରହିଯିବାରୁ କୁଆଡେ ଏହି ଗାଁକୁ ବୋଦାମୁଣ୍ଡାଇ କୁହାଗଲା । କାହିଁକି ଗାଁ ନା ବୋଦାମୁଣ୍ଡାଇ ହେଲା ତାର ସଠିକ କାରଣ କି ଯୁକ୍ତି କିନ୍ତୁ କାହା ପାଖେ ନାହିଁ ।