• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସରି ଆସୁଛି ଅପେକ୍ଷା, ବଢି ଚାଲିଛି ଉତ୍କଣ୍ଠା । ଅଯୋଧ୍ୟାର ସୁଶୋଭିତ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ତାରିଖ ପାଖେଇ ଆସୁଥିବା ବେଳେ ଏହି ମହାର୍ଗ ମୁହୂର୍ତ୍ତକୁ ଈଶ୍ୱରମୟ କରିବାକୁ ଚାଲିଛି ବିରାଟ ଆୟୋଜନ । ପରିବେଶରେ ସେଇ ଭାବ, ସେଇ ଅନୁଭୂତି ଭରି ଦେବା ଲାଗି ରାମନଗରୀକୁ ଦେବମୟ କରିବା ପ୍ରୟାସରେ ଲାଗିଛି ଏଠିକାର ପ୍ରଶାସନ ଓ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ।

ବଦଳୁଛି ରାମନଗରୀ ଅଯୋଧ୍ୟାର ରୂପ । ପୁରା ସହରର ନବକଳେବର କରାଯିବା ସହ ଏହାକୁ ପୌରାଣିକ କଥାବସ୍ତୁ ଆଧାରରେ ସଜ୍ଜିତ କରାଯାଉଛି । କେଉଁଠି ବୀଣା ତ କେଉଁଠି ଧନୁ ତୀର । ଦେବଦେବୀ ବିଭିନ୍ନ ଉପକରଣର ପ୍ରତିକୃତି ବିଭିନ୍ନ ଛକ ଓ ଗୁରୁତ୍ୱପୂର୍ଣ୍ଣ ଜାଗାରେ ସ୍ଥାନିତ କରାଯାଉଛି । ସହରର କୋଠାବାଡିର ନବୀକରଣ କରାଯିବା ସହ ଏଥିରେ ପୌରାଣିକ କଥାବସ୍ତୁ ଓ ପରିପାଟୀର ଛଟା ଦେଖିବାକୁ ମିଳୁଛି ।

ଯାତ୍ରୀଙ୍କ ସୁବିଧା ଓ ଯାନବାହନ ଚଳାଚଳ ସୁଗମ କରିବା ଲାଗି ଜବରଦଖଲ ଉଚ୍ଛେଦ ସହ ରାସ୍ତାଗୁଡିକର ପ୍ରଶସ୍ତୀକରଣ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । କାନ୍ଥ ବାଡ଼ରେ ଶୋଭା ପାଉଛି ରାମାୟଣ ଓ ପୁରାଣ କଥା ସଂପର୍କିତ ୱାଲପେଣ୍ଟିଂ । କାରୁକାର୍ଯ୍ୟ ଖଚିତ ବିଦ୍ୟୁତ ଖୁଣ୍ଟରେ ସୁନ୍ଦର ଡିଜାଇନର ଆଲୋକ ଲଗାଯାଉଛି ।

ସହରର ପରିମଳ ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ରାମ ମନ୍ଦିରକୁ ସଂଯୋଗ କରାଯାଉଥିବା ରାସ୍ତାକୁ ଅତି ଚମତ୍କାର ଢଙ୍ଗରେ ସଜ୍ଜିତ କରାଯାଉଛି । ନୂଆ ଏୟାରପୋର୍ଟ, ନୂଆ ଷ୍ଟେସନ, ନୂଆ ବସ୍ ଷ୍ଟାଣ୍ଡ ତିଆରି ସରିଛି । ଶ୍ରଦ୍ଧାଳୁଙ୍କ ପାଇଁ ଚାଲିଛି କେତେ କଣ ଆୟୋଜନ । ମର୍ଯ୍ୟାଦା ପୁରୁଷୋତ୍ତମ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ନିର୍ମାଣ କାମ ପ୍ରାୟତଃ ଶେଷ ହୋଇଥିବା ବେଳେ ନୂଆ ରେଳ ଷ୍ଟେସନ ବି ପୂର୍ଣ୍ଣ ହେବାର ନିକଟବର୍ତ୍ତୀ ହୋଇଛି ।

ତେବେ ରେଳ ଷ୍ଟେସନଟି ବାହାରୁ ଏକ ସୁରମ୍ୟ ମନ୍ଦିର ଭଳି ଦୃଶ୍ୟମାନ ହେଉଥିବା ବେଳେ ଭିତରରେ ରହିଛି ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା । ରାମଲାଲାଙ୍କ ଦର୍ଶନ ଲାଗି ଆସୁଥିବା ଯାତ୍ରୀଙ୍କୁ ଏହା ଏକ ସୁଖଦଃ ଯାତ୍ରାର ଅନୁଭୂତି ଦେବ ବୋଲି ଆଶା କରାଯାଇପାରେ । ତେଣେ ଜୋରସୋରରେ ଚାଲିଛି ରାମ ମନ୍ଦିର ନିର୍ମାଣ ।

ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ମାସକରୁ କମ୍ ସମୟ ଥିବାରୁ ଦିନ ରାତି ଲାଗି ପଡିଛନ୍ତି ଶିଳ୍ପୀ ଓ କାରିଗର । ମନଯୋଗ ସହକାରେ ଶିଳ୍ପୀମାନେ ସମସ୍ତ କାର୍ଯ୍ୟ ସଂପନ୍ନ କରୁଛନ୍ତି । ମୁଖ୍ୟ ନିର୍ମାଣ କାମ ଶେଷ ହୋଇଥିବା ବେଳେ ଏବେ ସୌନ୍ଦର୍ଯ୍ୟକରଣ କାମ ଚାଲିଛି । ରାମ ମନ୍ଦିର ଶୁଭ ଉଦଘାଟନ ଉତ୍ସବର ମାହୋଲ କ୍ରମଶଃ ଜମି ଆସୁଥିବା ବେଳେ ଏଠାରେ ଦୈନିକ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ରାମ ଚରିତ ମାନସ ସାଙ୍ଗକୁ ରାମାୟଣ କଥାବସ୍ତୁ ପରିବେଷଣ ହେଉଛି ।