• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଧର୍ମମାସ କାର୍ତ୍ତିକରେ ଶ୍ରୀମନ୍ଦିରରେ ଜଗା ଦର୍ଶନ ପରେ ଆଉ ଅବଢ଼ା ଖାଇ ପୂଣ୍ୟଅର୍ଜନ କଥା ମନକୁ ଆସୁନି । କାରଣ ଆକାଶଛୁଆଁ ହୋଇଛି ଅବଢ଼ା ରେଟ୍ । ହବିଷ୍ୟାଳି ହୁଅନ୍ତୁ କି ମଧ୍ୟବିତ୍ତ ଭକ୍ତ, ସମସ୍ତଙ୍କୁ ଖୁବ୍ ବାଧୁଛି । ଦୈନିକ ପ୍ରାୟ ୨୦ ହଜାର ଲୋକଙ୍କ ପାଇଁ ଆନନ୍ଦ ବଜାରରେ ଅବଢ଼ା ବିକ୍ରି ହେଉଛି, କିନ୍ତୁ ୪ବର୍ଷ ତଳୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଆଜି ଯାଏଁ ଲାଗି ପାରିଲାନି ରେଟ୍ ଚାଟ୍ । ଯାହାକୁ ନେଇ ବଢୁଛି ଭକ୍ତଙ୍କ ଅସନ୍ତୋଷ ।

ଅମୂଲ ମୂଲ ଅବଢ଼ା ଦର । ଭକ୍ତଙ୍କୁ ଡର ଆନନ୍ଦ ବଜାର । ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ ପରେ ଆଉ ସାଧାରଣ ଶ୍ରଦ୍ଧାଳୁଟିଏ ଅବଢ଼ା ଖାଇ ଘରକୁ ଫେରିବା କଥା ମନକୁ ଆଣୁନି । କାରଣ ସ୍ଥିତି ଏଭଳି ହୋଇଛି-ମହାପ୍ରସାଦ ପେଟେ ଖାଇ ନୁହେଁ ବରଂ ଟିକେ ତୁଣ୍ଡରେ ମାରି କାମ ସାରି ଦେଉଛନ୍ତି ।

ଧର୍ମମାସ କାର୍ତ୍ତିକରେ ଅବଢ଼ା ରେଟ୍ ହୋଇଛି ଆକାଶଛୁଆଁ । ଦର ଶୁଣି ଭକ୍ତଙ୍କ ମୁଣ୍ଡକାନ ଝାଇଁ ମାରି ଯାଉଛି । ୧୫୦ରୁ ୧୭୦ ଟଙ୍କାରେ ମିଳୁଥିବା ଅନ୍ନ, ଡାଲି ଓ ତରକାରୀରେ ପେଟ ପୁରୁନି । ବଡ଼ବଡ଼ିଆଙ୍କ କଥା ଅଲଗା,ସାଧାରଣ ପରିବାରରୁ ୮ରୁ ୧୦ ସଦସ୍ୟ ଯଦି ଅବଢ଼ା ଖାଇବାକୁ ଇଚ୍ଛା କରନ୍ତି, ଏଥାପାଇଁ ପ୍ରାୟ ଦେଢ଼ ହଜାର ଟଙ୍କା ପଡ଼ିଯାଉଛି ।

 

ସୂଚନା ଅନୁସାରେ, ଯେଉଁ ଜିରା ରାଇସ୍ ବାଇହାଣ୍ଡି ପୂର୍ବରୁ ୫ରୁ ୬ଶହ ଟଙ୍କାରେ ବିକ୍ରି ହେଉଥିଲା । ଏବେ ତା ଦର ୮ ଶହ ପାଖାପାଖି । ସେମିତି ଶହେ ଟଙ୍କିଆ ଡାଲି କୁଡୁଆଟେ ଦେଢ଼ ଶହ ନହେଲେ ୨୦୦ ଟଙ୍କା ପଡୁଛି । ତରକାରୀ, ବେସର, ମହୁର, ଶାଗ ସବୁ ସାଧାରଣ କୁଡୁଆ ପିଛା ଦର ୪୦ରୁ ୫୦ ଟଙ୍କା ଉଚ୍ଚା । ସହଜେ ଏବେ କାର୍ତ୍ତିକ ମାସ, ତେଣୁ ଉଭୟ ହବିଷ୍ୟାଳି ଓ ସାଧାରଣ ଭକ୍ତଙ୍କ ମନ୍ଦିରରେ ପ୍ରବଳ ଗହଳି । ହେଲେ ସମସ୍ତେ କହୁଛନ୍ତି ଅସମ୍ଭବ ଭିଡ଼ରେ ଜଗା ଦର୍ଶନ ଯେକିତି କଷ୍ଟ ଲାଗୁନି, ତାଠୁ ବେଶି ବାଧୁଛି ଅବଢ଼ାର ମହଙ୍ଗା ମାଡ଼ ।

ସୂଚନା ଅନୁସାରେ, ବର୍ତ୍ତମାନ ସମୟରେ ଶ୍ରୀମନ୍ଦିରରେ ଦୈନିକ ପ୍ରାୟ ୨୦ ହଜାର ଲୋକ ଆନନ୍ଦ ବଜାରରୁ ମହାପ୍ରସାଦ କିଣି ସେବନ କରୁଥିବାବେଳେ ୨୦ରୁ ୩୦ ହଜାର ଲୋକଙ୍କ ପାଇଁ ବରାଦି ଅବଢ଼ା ରନ୍ଧା ହେଉଛି । ଅର୍ଥାତ୍ ନିଇତି ପ୍ରାୟ ୫୦ ହଜାର ଲୋକଙ୍କ ପାଇଁ ରୋଷ ଘରେ ଅବଢ଼ା ପ୍ରସ୍ତୁତ ହେଉଛି ।

ତେବେ ମହାପ୍ରସାଦର କୌଣସି ନିର୍ଦ୍ଦିଷ୍ଟ ଦର ଆଜି ଯାଏଁ ସ୍ଥିର ହୋଇପାରି ନାହିଁ । ଯିଏ ଯାହା ରେଟ୍ କହିଲା, ତାକୁ ଦେଇ କିଣୁଛନ୍ତି ଭକ୍ତ । ଏମିତିକି ୨୦୧୮ ମସିହାରେ ମାନ୍ୟବର ସୁପ୍ରିମକୋର୍ଟ, ଶ୍ରୀମନ୍ଦିର ସଂସ୍କାର ସମ୍ପର୍କରେ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ରାୟ ମଧ୍ୟରେ ଆନନ୍ଦ ବଜାର ଶୃଙ୍ଖଳା ବି ପ୍ରମୁଖ ପ୍ରସଙ୍ଗ ଥିଲା । ଯେଉଁଥିରେ ମହାପ୍ରସାଦର ଦର ନିର୍ଦ୍ଧାରଣ ସହ ଆନନ୍ଦବଜାର ଓ ଅନ୍ୟ ସ୍ଥାନରେ ଅବଢ଼ା ଦର ତାଲିକା ଲଗାଇବାକୁ ସ୍ଥିର ହୋଇଥିଲା । ହେଲେ ଇତିମଧ୍ୟରେ ୪ବର୍ଷ ବିତିବାକୁ ବସିଥିବାବେଳେ ସେନେଇ ଜିଲ୍ଲା ପ୍ରଶାସନ କି ଶ୍ରୀମନ୍ଦିର ପ୍ରଶାସନ କାହାରି କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିନି । ଏମିତିକି ପରିଚାଳନା କମିଟିରେ ବି ପଦୁଟିଏ ଏନେଇ ଆଲୋଚନା ହେଉନି ।

ସୁଆର-ମହାସୁଆର ନିଯୋଗ କହୁଛି ଅବଢ଼ା ରନ୍ଧା ପାଇଁ ଆନୁସଙ୍ଗିକ ସାମଗ୍ରୀର ଦର ବଢ଼ିଛି । ତେବେ ଆନନ୍ଦବଜାରରେ ଦୁଇରୁ ତିନିଗୁଣା ଦର ବିକ୍ରି ଉପରେ ଲଗାମ ଲାଗିବା ଉଚିତ୍ । ବରିଷ୍ଠ ସେବାୟତ ବି ଭକ୍ତଙ୍କୁ ସୁଲଭ ମୂଲ୍ୟରେ ମହାପ୍ରସାଦ ଯୋଗାଣ ଉପରେ ଗୁରୁତ୍ୱ ଦେଇଛନ୍ତି ।

ଏବେ ଅପେକ୍ଷା କେବେ ଶୃଙ୍ଖଳିତ ହେଉଛି ଶ୍ରୀମନ୍ଦିର ଆନନ୍ଦ ବଜାର ? କେବେ ଭକ୍ତଙ୍କ ଅବଗତି ପାଇଁ ଲଟକୁଛି ଅବଢ଼ା ଦର ତାଲିକା ?

(ରିପୋର୍ଟ- ପୁରୀରୁ ପ୍ରଦୀପ ମହାନ୍ତି ଓ ମଧୁସୂଦନ ମିଶ୍ର)