• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଶେଷରେ ବିଜେଡିରୁ ବହିଷ୍କାର ହେଲେ ରାଜେନ୍ଦ୍ର ଦାସ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବିଦା କରିଛି ବିଜେଡି । ସେପଟେ ମୈଦାନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଘନଘନ ପ୍ରଚାର କରୁଥିବାବେଳେ ବିଜେଡି ଭୋଟ୍‌କୁ ରାଜେନ୍ଦ୍ର ବିଭାଜନ କରିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ସେପଟେ ବିଷ୍ଣୁ ସେଠୀଙ୍କ ଦେହାନ୍ତର ଏକ ମାସ ଅବସରରେ ଆଜି ସବୁ ପଂଚାୟତରେ ଶ୍ରଦ୍ଧାଞ୍ଜଳି ସଭା କରିଛି ବିଜେପି । ଯାହାକୁ ନେଇ ତେଜିଛି ରାଜନୀତି ।

ରୋଚକ ହେଉଛି ଧାମନଗର ଉପନିର୍ବାଚନ । ପ୍ରଚାର ଯେତିକି ଆଗକୁ ବଢୁଛି ରାଜନୀତି ସେତିକି ସରଗରମ ହେଉଛି । ଏହାରି ଭିତରେ ଯାହା ଆଶା କରାଯାଉଥିଲା, ଶେଷରେ ତାହା କରିଛି ବିଜେଡି । ଶେଷରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହୋଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ।

ବିଜେଡି ଟିକଟ୍ ନମିଳିବା ସତ୍ତ୍ୱେ ଦଳର ନିଷ୍ପତ୍ତିକୁ ଗ୍ରହଣ ନକରି ସେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦଳ । ହେଲେ ବଡ଼ ପ୍ରଶ୍ନ, କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହେଲା ? କଣ ପାଇଁ ରାଜେନ୍ଦ୍ରଙ୍କୁ ଟିକଟ୍ ଦେଲାନାହିଁ ବିଜେଡି ? ୨୦୧୯ରେ ୫ ହଜାରରୁ ବି କମ୍ ଭୋଟ୍ ବ୍ୟବଧାନରେ ହାରିଥିବା ରାଜେନ୍ଦ୍ର ଗତ ପଂଚାୟତ ଓ ପୌର ନିର୍ବାଚନରେ ବିଜେଡି ପାଇଁ ବେଶ୍ ଭଲ ରେଜଲ୍ଟ ଆଣିଥିଲେ ।

 

ରାଜେନ୍ଦ୍ରଙ୍କ ଫିଲ୍ଡ ଭଲ ଥିବା ସତ୍ତ୍ୱେ କାହିଁକି ତାଙ୍କୁ ବିଦ୍ରୋହୀ ହେବା ପାଇଁ ସୁଯୋଗ ଦିଆଗଲା ? କେଉଁ ପାୱାରଫୁଲ୍ ଗୋଷ୍ଠୀ ଲବିରେ ରାଜୁଙ୍କ ଟିକଟ୍ କଟିଲା ? ନା ସ୍ୱୟଂ ସହାୟକ ଗୋଷ୍ଠୀର ଚେହେରା ହୋଇଥିବାରୁ ଅବନ୍ତୀ ଦାସଙ୍କୁ ସୁଯୋଗ ମିଳିଲା ? ଏହା ବି ଚର୍ଚ୍ଚା ହେଉଛି- ବିଜେଡି ଉପରେ ଭାରି ପଡ଼ିବାକୁ ଯାଉଛି ସ୍ୱୟଂ ସହାୟକ ଗୋଷ୍ଠୀ । ବିଜେଡି ସଙ୍ଗଠନ ଭଳି ଲକ୍ଷ ଲକ୍ଷ ଏସ୍ଏଚ୍‌ଜି ସଦସ୍ୟାମାନଙ୍କୁ ନେଇ ଆଉ ଏକ ସମାନ୍ତରଳ ସଙ୍ଗଠନ ଗଠନ ହେଉଥିବାରୁ ସେମାନଙ୍କୁ ଗୁୁରୁତ୍ୱ ଦିଆଯାଉଥିବା କୁହାଯାଉଛି ।

ତେବେ ରାଜୁ ଦାସ ବିଜେଡି ରଙ୍ଗ ଭଳି ପ୍ଲା କାର୍ଡ, ପୋଷ୍ଟର, ବ୍ୟାନର ବ୍ୟବହାର କରି ଦ୍ୱନ୍ଦ୍ୱ ସୃଷ୍ଟି କରିବା ଓ ବିଜେଡି କର୍ମୀମାନେ ରାଜେନ୍ଦ୍ରଙ୍କୁ ଭିତରେ ଭିତରେ ସମର୍ଥନ କରୁଥିବାରୁ ଭୟ ଦେଖାଇବା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି । ତେବେ ରାଜେନ୍ଦ୍ର କହିଛନ୍ତି, କାର୍ଯ୍ୟାନୁଷ୍ଠାନ ବଡ କଥା ନୁହେଁ, ସେ ଲୋକଙ୍କ ପାଇଁ କାମ କରୁଛନ୍ତି, ଜିତିବା ନିଶ୍ଚିତ ।

ସେପଟେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତକୁ ଆଜି ମାସେ ପୁରିଛି । ଏହି ଅବସରରେ ସବୁ ପଂଚାୟତରେ ଶ୍ରଦ୍ଧାଞ୍ଜଳି ସଭା କରିଛି ବିଜେପି । ଯାହାକୁ ନେଇ ତେଜିଛି ରାଜନୀତି । ଏବେ ସବୁ ଦଳର ପ୍ରାର୍ଥୀ ପ୍ରଚାର ମୈଦାନରେ । ବିଜେଡିର ମନ୍ତ୍ରୀ, ବିଧାୟକ ଓ ସାଂସଦ ବି ପ୍ରଚାରକୁ ଓହ୍ଲାଇ ଥିବା ବେଳେ ଆଗକୁ କେନ୍ଦ୍ର ମନ୍ତ୍ରୀମାନେ ବି ବିଜେପିର ପ୍ରଚାର ଲାଗି ଆସିବେ ।

(ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ, ଭୁବନେଶ୍ୱରୁ ଜଗଦୀଶ ଦାସ ଓ ହରିହର ଚାନ୍ଦ)