Advertisment

ସରିଥିଲା ଶୁଦ୍ଧିକ୍ରିୟା, ୨୫ ବର୍ଷ ପରେ ଘରକୁ ଫେରିଲେ ମାଆ

ପତ୍ନୀ ସୋମବାରି କେଉଁଠି ପ୍ରାଣ ହରାଇସାରିଥିବ ଭାବି ଶୁଦ୍ଧିକ୍ରିୟା ସାରିଦେଲେ ସ୍ବାମୀ ଜୟ ସିଂ।

author-image
Chandan Shishu
Missing Odisha woman returns home after 25 years

Missing Odisha woman returns home after 25 years

ସୋମବାରି ବିଶି। ବୟସ ୫୦ ଟପିଲାଣି। ଦୀର୍ଘ ୨ ଦଶନ୍ଧି ପରେ ଗାଁକୁ ଫେରିଛନ୍ତି। ଫେରିଛନ୍ତି ନିଜ ପୁଅ ମାନଙ୍କ ପାଖକୁ, ସ୍ୱାମୀଙ୍କ ପାଖକୁ,ପରିବାର ପାଖକୁ।ହାବଭାବ ଦେଖିଲେ ଲାଗୁଛି, ରକ୍ତ ସଂପର୍କୀୟମାନେ ତାଙ୍କୁ ଝାପ୍ସା ଝାପ୍ସା ମନେପଡୁଛନ୍ତି। କାହାକୁ ଚିହ୍ନି ପାରୁଛନ୍ତି ତ ଆଉ କାହାକୁ ଦେଖି ଦୋ ଦୋ ପାଞ୍ଚ ହେଉଛନ୍ତି। ଏପଟେ ସୋମବାରି ଫେରିଆସିଥିବା ଖବର ଜାଣିବା ପରେ ଜମିଛି ପଡ଼ୋଶୀ, ବନ୍ଧୁ, କୁଟୁମ୍ବ, ସଂପର୍କୀୟଙ୍କ ଭିଡ଼। ତାହାରି ଭିତରେ ଘରୁ ବାହାରି ଆସି ମା ସୋମବାରିଙ୍କୁ ମୁଣ୍ଡିଆ ମାରିଲେ ପୁଅ। ପୁଅ ବି ବିଶ୍ୱାସ କରିପାରୁନାହାଁନ୍ତି, ମାର ବେଶଭୂଷା ଆଉ ରୂପ ରଙ୍ଗକୁ ଦେଖି। ସମ୍ପର୍କିୟ ବି ଜୁହାର ହେଉଛନ୍ତି, ଏତେଦିନ ଧରି କୁଆଡ଼େ ଯାଇଥିଲେ ବୋଲି ପ୍ରଶ୍ନ ବି କରୁଛନ୍ତି। ହେଲେ ସୋମବାରି ଉତ୍ତର ଦେଉଛନ୍ତି ସିନା, କେହି ବୁଝିପାରୁନାହାଁନ୍ତି। ବେଳେବେଳେ ତାଙ୍କ ଆଖିରେ ଲୁହ ଜକେଇ ଆସୁଛି। ସେ ଯାହା ବି ହେଉ, ୨୫ ବର୍ଷ ପରେ ସୋମବାରି ଫେରିଥିବାରୁ ଲୋକେ ଭିନ୍ନ ଢଙ୍ଗରେ ସ୍ୱାଗତ କରିଛନ୍ତି। ବେଶ୍ ଖୁସି ଅନୁଭବ କରିଛନ୍ତି ସ୍ୱାମୀ, ପୁଅ, ସଂପର୍କୀୟ ସମସ୍ତେ। 

Advertisment

ଆଜିକୁ ପ୍ରାୟ ୩୦ ବର୍ଷ ତଳର କଥା। ବଲାଙ୍ଗିର ବେଲପଡ଼ା ବ୍ଲକ କନ୍ଧେନଝୁଲା ଗାଁର ଜୟ ସିଂ ବିଶିଙ୍କୁ ବିବାହ କରିଥିଲେ ସୋମବାରି। ବେଶ ହସଖୁସିରେ ଚାଲୁଥିଲା ତାଙ୍କ ପରିବାର। ୨ପୁଅ ଦିନ ଓ କୃପା ବି ଜନ୍ମନେଇଥିଲେ। ବଡପୁଅକୁ ଯେତେବେଳେ ୮ ବର୍ଷ ଓ ସାନକୁ ୫ବର୍ଷ ଚାଲୁଥିଲା, ସେହି ସମୟରେ ମାନସିକ ରୋଗରେ ଆକ୍ରାନ୍ତ ହେଲେ ସୋମବାରି। ନିଜର କ୍ଷମତା ଅନୁଯାୟୀ ତାଙ୍କ ସ୍ୱାମୀ ଡାକ୍ତରୀ ଚିକିତ୍ସା କଲା ପରେ ବି ସୁସ୍ଥ ହେଲେନି ସେ। ଏସବୁ ଭିତରେ ଦିନେ ଗାୟବ ହୋଇଗଲେ ସୋମବାରି। ବହୁ ଖୋଜାଖୋଳି ପରେ ବି ଆଉ ପତ୍ତା ମିଳିଲାନି ତାଙ୍କର। ଶେଷରେ ପତ୍ନୀ ସୋମବାରି କେଉଁଠି ପ୍ରାଣ ହରାଇସାରିଥିବ ଭାବି ଶୁଦ୍ଧିକ୍ରିୟା ସାରିଦେଲେ ସ୍ବାମୀ ଜୟ ସିଂ।

ପୁଅମାନେ ବଡ଼ ହେବା ପରେ ସେମାନଙ୍କୁ ବାହାସାହା ବି କରାଇଦେଲେ। ତଥାପି ପତ୍ନୀର ଅନୁପସ୍ଥିତିକୁ ଅନୁଭବ କରୁଥିଲେ ସ୍ବାମୀ ଜୟ ସିଂ। ସୌଭାଗ୍ୟକୁ ନିରାଶ୍ରୟ, ମାନସିକ ରୋଗୀ, ଅସହାୟଙ୍କ ପାଇଁ କାର୍ଯ୍ୟ କରୁଥିବା ଶ୍ରଦ୍ଧା ଫାଉଣ୍ଡେସନ୍ ଗତ ୬ ମାସ ତଳେ ପତ୍ତା ପାଇଥିଲା ସୋମବାରିଙ୍କର। ବିଶାଖାପାଟଣାର ଏକ ମେଣ୍ଟାଲ ହସ୍ପିଟାଲ୍‌ରେ ସୋମବାରି ଚିକିତ୍ସାଧିନ ଥିବା ଖବର ପାଇଥିଲା ଏହି ଅନୁଷ୍ଠାନ। ଆଉ ୬ ମାସର ଚିକିତ୍ସା ପରେ ସୁସ୍ଥ ହେବାରୁ ସୋମବାରିକୁ ଧରି ଗାଁରେ ପହଞ୍ଚିଥିଲେ ଅନୁଷ୍ଠାନ ସଦସ୍ୟ। ଆର୍ଥିକ ଅନଟନ ଭିତରେ ଜୀବନ ଜୀଉଁଥିବା ପରିବାର, ୨୫ ବର୍ଷ ପରେ ସୋମବାରିକୁ ପାଇ ବିଭୋର ହୋଇଯାଇଛନ୍ତି ଖୁସିରେ।

Advertisment

(ରିପୋର୍ଟ: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରୁ କରୁଣାକର ବୁଡ଼େକ) 

Missing Woman Appears
Advertisment
Advertisment