• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଖୋଲିଲା ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପର ଆଉଟର ଆକସେସ୍ ରୋଡ । ଓବିସିସି ଅଧିକାରୀଙ୍କ ଉପସ୍ଥିତିରେ ଏହା ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲେ ବି ଚାରିଦ୍ୱାର ପଟେ ଅସମ୍ପୂର୍ଣ୍ଣ କାମକୁ ନେଇ ଭକ୍ତ ଓ ସାହି ବାସିନ୍ଦାଙ୍କ ଅସନ୍ତୋଷ ଥମିନି । ଆଗାମୀ ରଥଯାତ୍ରାରେ ଭକ୍ତଙ୍କ ଯାତାୟାତ ପାଇଁ ଏହା ବେଶ୍ ଫଳପ୍ରଦ ହେବ ବୋଲି ପ୍ରଶାସନ କହୁଥିଲାବେଳେ ବାସ୍ତବ ସ୍ଥିତି ପରଖିଥିଲା ଓଟିଭି ଟିମ୍ ।

ଦୀର୍ଘ ପ୍ରତୀକ୍ଷା ଓ ବାରମ୍ବାର ପ୍ରତିଶ୍ରୁତିର ଅବସାନ ଘଟିଲା । ଖୋଲିଲା ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ଆଉଟର ଆକ୍ସେସ ରୋଡ୍ । ତରତର ହୋଇ ସିନା ରାସ୍ତା ଖୋଲିଦେଲେ, ହେଲେ ଖୋଳା ପୋତା କାମ କିନ୍ତୁ ସରିନି । ଅର୍ଥାତ୍ ବାହାରୁ ଆସୁଥିବା ଜଗା ଦର୍ଶନାର୍ଥୀ ହୁଅନ୍ତୁ କି  ଶ୍ରୀମନ୍ଦିର ଚତୁପାର୍ଶ୍ୱ ସାହି ବାସିନ୍ଦା, ସେମାନଙ୍କ ଯାଆସ ବିପଦ ମୁକ୍ତ ହୋଇନି । ସିଂହଦ୍ୱାର ଆଗରେ ମାର୍ବଲ ଓ ନିର୍ମାଣ ପଥର ସବୁ ବିକ୍ଷିପ୍ତ ହୋଇ ରହିଛି । ଆଉ ଏମିତି ଅବସ୍ଥାରେ ହିଁ ଏଥର ଏଠି ରଥଯାତ୍ରା ହେବ । ସ୍ଥିତି ଦେଖି ପୁରୀ ବାସିନ୍ଦା କହୁଛନ୍ତି ଯେଉଁଠି ମଣିଷ ଠିକ୍‌ରେ ଯିବା ଅସମ୍ଭବ, ସେଠି ବାଇକ୍ ଓ ସାଇକେଲ କଥା ପଚାରେ କିଏ । କାମ ଯେମିତି ମନ୍ଥର ଗତିରେ ଚାଲିଛି, ରଥଯାତ୍ରା ଆଗରୁ ସରିଲା ଭଳି ଲାଗୁନାହିଁ ।

ସ୍ଥିତି ଆହୁରି ସଂଗୀନ ଏମଏଆର୍ ମଠ ପଛପାଖ କାକୁଡ଼ିଖାଇ ଛକ ଓ ବାଲିସାହି ପ୍ରବେଶ ପଥ ସହ ଦକ୍ଷିଣ ଦ୍ୱାର ସମ୍ମୁଖରେ । ଦକ୍ଷିଣଦ୍ୱାର ସାମ୍ନାରେ ତ ପାହାଡ଼ ଭଳିଆ ଗଦା ହୋଇଛି ଶହ ଶହ ଟ୍ରିପ୍ ବାଲି । ଏଭଳି ସ୍ଥିତିରେ ଭକ୍ତଙ୍କ ଯାଆସ କେତେ ସୁଖପ୍ରଦ ହେଉଥିବ, ତାହା ସ୍ପଷ୍ଟ ଅନୁମେୟ କରିପାରୁଥିବେ । ପଶ୍ଚିମ ଦ୍ୱାର ସାମ୍ନାରେ ତ ଏବେ ଆଉଟର ଆକ୍ସେସ ଖୋଲିବାର ମାନେ କିଛି ନାହିଁ ବୋଲି କହିଲେଣି ସାହି ବାସିନ୍ଦା । ତା’ସହ ସେଠି ଭକ୍ତଙ୍କ ସୁବିଧା ପାଇଁ ଖୋଲିଥିବା ଇନଫରମେସନ କିଓସ୍କ ଓ ଶୌଚାଳୟ ଆଦି ଏବେ କାମରେ ଲାଗିବା ସ୍ଥିତିରେ ନାହିଁ ।

କରିଡର ପ୍ରକଳ୍ପ ଆରମ୍ଭରୁ କୁହାଯାଉଛି ପ୍ରତି ସାହିରୁ, ଆଉଟର ଆକ୍ସେସ ରୋଡ୍‌କୁ ସଂଯୋଗୀକରଣ ରାସ୍ତା ହେବ । ହେଲେ ତାହା ଯେମିତି ନିର୍ମାଣ ଦାୟିତ୍ୱରେ ଥିବା ସଂସ୍ଥା ଭୁଲି ଯାଇଛନ୍ତି ବୋଲି କହିଲେଣି ସ୍ଥାନୀୟ ବାସିନ୍ଦା । ଏମିତିକି ଠାକୁରଙ୍କ ନୀତିକାନ୍ତି ସହ ସଂପର୍କ ରଖୁଥିବା ଅନେକ ସେବକ ପରିବାର ବି ଶୁଦ୍ଧପୂତ ହୋଇ ଶ୍ରୀମନ୍ଦିର ଆସିବାରେ ଅସୁବିଧା ଭୋଗୁଛନ୍ତି । ଏଇ ଯେମିତି ଦତ୍ତମହାପାତ୍ର ସାହି, ଏଇଠୁ ଠାକୁରଙ୍କ ଖଡ଼ିପ୍ରସାଦ ବିଜେ ସାମଗ୍ରୀ ନେଇ ଯିବେ, ହେଲେ ନଳା ଉପରେ ଯିବାକୁ ପଡୁଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ୫୫ମିଟର ପରେ ଆଉ ୨୦ ମିଟରରେ ହୋଇଥିବା ଆଉଟର ଆକସେସ୍ ରୋଡରେ ରହିଛି ସଟଲ ଲେନ । ଯେଉଁଥିରେ ଇ-ବାଇକରେ ବସି ଭକ୍ତ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ବୁଲି ପାରିବେ ବୋଲି କହିଛନ୍ତି ନିର୍ମାଣଧୀନ ସଂସ୍ଥା ଓବିସିସି । ତା’ସହ ରଥଯାତ୍ରା, ସୁନାବେଶ ଓ ନିଳାଦ୍ରିବଜେ ସମୟରେ ବି ଭକ୍ତମାନେ ଏହିବାଟ ଦେଇ ସିଂହଦ୍ୱାରକୁ  ଯାଇପାରିବେ ବୋଲି ସୂଚନା ଦେଇଛନ୍ତି ପୁରୀ ଏସପି । ଏବେ ଅପେକ୍ଷା ଆଗାମୀ ରଥଯାତ୍ରା ସମୟରେ ଭକ୍ତଙ୍କ ଯାତାୟାତ ପାଇଁ କେତେ ସହାୟକ ହେଉଛି ଆଉଟର ଆକ୍ସେସ ରୋଡ୍ ।

  • Reported by:
  • MADHUSUDAN MISHRA