• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଅମିତ୍ ଶାହାଙ୍କ ଓଡ଼ିଶାରେ ସରକାର ଗଢ଼ିବାର ଦମ୍ଭୋକ୍ତି ହଠାତ୍ ବଢ଼ାଇ ଦେଇଛି ଭାଜପା ନେତା ଓ କର୍ମୀଙ୍କ ମନୋବଳ । ଯଦି ତ୍ରିପୁରାରେ ଦଳ ମାତ୍ର ୧.୪ ପ୍ରତିଶତ ଭୋଟ୍ ପାଇ ସରକାର ଗଢି ପାରିଲା, ତାହାଲେ ଓଡିଶାରେ କାହିଁକି ସମ୍ଭବ ନୁହେଁ ବୋଲି କହିବା ପରେ ଆରମ୍ଭ ହୋଇଛି ରଣନୀତି ।

ଏଣେ ତ୍ରିପୁରା ସରକାର ଗଠନ ଫର୍ମୁଲା ଶିଖେଇବାକୁ ଓଡିଶାରେ ବି ପହଞ୍ଚିଲେଣି ସେଠିକାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ । ନିର୍ବାଚନ ସରିବା ଯାଏଁ ସେ ଓଡ଼ିଶାରେ ରହିବେ । ଏମିତିକି ଆଗକୁ ଦଳର ୩୦ କେନ୍ଦ୍ରୀୟ ନେତା ବି ୩୦ ଜିଲ୍ଲାରେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିବା ନିଷ୍ପତ୍ତି ହୋଇଛି ।

ଓଡିଶା ଦଖଲ ପାଇଁ ବିଜେପିର ନୂଆ ଷ୍ଟ୍ରାଟେଜି... ତ୍ରିପୁରା ଫର୍ମୁଲା ଓଡିଶାରେ ବି ଲାଗୁ ପାଇଁ ରଣନୀତି । ସେଥିପାଇଁ ଓଡ଼ିଶା ଆସିଛନ୍ତି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ । ଗତ ଗୁରୁବାର ଦିନ ଭୁବନେଶ୍ୱର କାର୍ଯ୍ୟକର୍ତ୍ତା ବୈଠକରେ ଅମିତ୍ ଶାହ ତ୍ରିପୁରା ଉଦାହରଣ ଦେଇ ଓଡିଶାରେ ବିଜେପି ସରକାର ଗଠନର ଦୃଢ଼ୋକ୍ତି ପ୍ରକାଶ କରିବା ପରେ ବଢ଼ିଛି ନେତା ଓ କର୍ମୀଙ୍କ ମନୋବଳ ।

ଶାହା କହିଥିଲେ ତ୍ରିପୁରାରେ ୧.୪ ପ୍ରତିଶତ ଭୋଟରୁ ସରକାର ତ ଆସାମରେ ୪ ପ୍ରତିଶତରୁ ଦଳ ଏକାକୀ ସରକାର ଗଢ଼ିବାରେ ସମର୍ଥ ହୋଇଥିଲା । ତେଣୁ ଓଡିଶାରେ ୩୨ ପ୍ରତିଶତ ଭୋଟ୍ ଥାଇ କାହିଁକି କ୍ଷମତା ଦଖଲ କରି ହେବନି ବୋଲି ପ୍ରଶ୍ନ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ । ସେପଟେ କମ୍ ପ୍ରତିଶତ ଭୋଟ୍ ସତ୍ତ୍ୱେ କେମିତି ଗଢ଼ା ହୋଇଥିଲା ତ୍ରିପୁରାରେ ସରକାର ?

ସେ ଫର୍ମୁଲା ଓଡିଶାରେ ଲାଗୁ ପାଇଁ ଭୁବନେଶ୍ୱର ପହଞ୍ଚିଛନ୍ତି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ବିଳ୍ପବ ଦେବ । ଆଜି ପାର୍ଟି ଅଫିସରେ ସେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସାଧାରଣ ନିର୍ବାଚନ ସରିବା ଯାଏଁ ସେ ଓଡିଶାରେ ରହିବେ । ନେତା ଏବଂ କର୍ମୀଙ୍କୁ ଷ୍ଟେପ୍ ଟୁ ଷ୍ଟେପ୍ ଷ୍ଟ୍ରାଟେଜି ବତାଇବେ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଗେ ବ୍ରହ୍ମପୁରରେ ଡେରା ପକାଇବେ ବିଳ୍ପବ । ତେବେ କେବଳବିଳ୍ପବ ଦେବ ନୁହଁନ୍ତି ଆଗକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବି ମନ୍ତ୍ର ଦେବାକୁ ଆସିବେ । ଏଣେ ପୁରା ନିର୍ବାଚନ ପରିଚାଳନା ପାଇଁ ବିଜେପି କରିଛି ବଡ଼ ରଣନୀତି। ୩୦ ଜିଲ୍ଲା ଦାୟିତ୍ୱରେ ରହିବେ ଭୂପେନ୍ଦ୍ର ଯାଦବ ଓ ବିଳ୍ପବ ଦେବଙ୍କ ଭଳି ଦଳର ୩୦ କେନ୍ଦ୍ରୀୟ ନେତା ।

କିଏ ୱାର ରୁମ୍ ଜଗିବ ତ କିଏ ଗ୍ରାଉଣ୍ଡ ଜିରୋରେ ପ୍ରଚାର ପରିଚାଳନା ବୁଝିବେ । ଯଦିଓ ବହୁ ଆଗରୁ ଦଳ କ୍ଲଷ୍ଟର ଷ୍ଟ୍ରାଟେଜି ସହ ପ୍ରବାସୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ନେତାମାନଙ୍କୁ ଓଡିଶା ପଠାଇ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି । ତଥାପି ପ୍ରଚାର ରଣନୀତି ଆହୁରି ଶାଣିତ କରିବାକୁ ଦଳ ଉଦ୍ୟମ ଚଳାଇଛି ।

୨୦୧୯ରେ ବିଜେପି ବିଧାନସଭାରେ ୩୨ ପ୍ରତିଶତ ଓ ଲୋକସଭାରେ ୩୮ ପ୍ରତିଶତ ଭୋଟ୍ ପାଇଥିଲା । ତେବେ ବିଧାନସଭାରେ ବିଜେଡିଠାରୁ ମାତ୍ର ୧୨ ପ୍ରତିଶତ କମ୍ ପାଇଥିଲା ଦଳ । ହେଲେ ବଡ଼ କଥା ହେଲା ୨୦୧୪ ତୁଳନାରେ ୨୦୧୯ରେ ବିଜେପିକୁ ୧୪.୫ ପ୍ରତିଶତ ଅଧିକ ଭୋଟ୍ ମିଳିଥିଲା ।

ଏବେ ଯଦିଓ ଦଳ ପ୍ରତି ବୁଥରେ ୫୦ ପ୍ରତିଶତ ଭୋଟ୍ ହାସଲ ଲକ୍ଷ୍ୟ ନେଇ ଲଢୁଛି । କିନ୍ତୁ ଚର୍ଚ୍ଚା ହେଉଛି ଦଳ ୪୦ ପ୍ରତିଶତରୁ ଅଧିକ ଅର୍ଥାତ ଆଉ ମାତ୍ର ୮ ପ୍ରତିଶତ ଭୋଟ ହାତେଇ ପାରିଲେ ଓଡିଶାରେ ସରକାର ଗଢିବା ଏକ ରକମ ଥୟ । ଏବେ ସେଇ ସମୀକରଣ ପାଇଁ କେନ୍ଦ୍ର ବିଜେପି ଓଡିଶା ପାଇଁ କରିଛି ସ୍ୱତନ୍ତ୍ର ପ୍ଲାନ ।

ସୋନପୁରରେ ବିଜେଡି ସରକାରକୁ ଶାଣିତ ଆକ୍ରମଣ କରିଥିଲେ ଅମିତ ଶାହା । ତାର ୩ ଦିନ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ସହ ଆଗକୁ ପ୍ରଧାନମନ୍ତ୍ରୀ ଓ ଏକାଧିକ କେନ୍ଦ୍ରୀୟ ନେତାଙ୍କ ପ୍ରଚାରରୁ ଜଳ ଜଳ ଦିଶୁଛି ବିଜେପିର ଓଡ଼ିଶା ଦଖଲ ରଣନୀତି ।

  • Reported by:
  • SOUMYA RANJAN SAHOO