ଭୁବନେଶ୍ୱର: ରାଜ୍ୟରେ MSME ଇସ୍ପାତ ଶିଳ୍ପ ପାଇଁ ଲୁହାପଥରର ଅଭାବ, ହେଲେ ଏହାକୁ ଅଣଦେଖା କରି ବାହାର ରାଜ୍ୟକୁ ପଠାଯାଉଛି।ରୁଗ୍ଣ ଅବସ୍ଥାରେ ଥିବା ରାଜ୍ୟରେ MSME ଇସ୍ପାତ କ୍ଷେତ୍ରର ପୁନରୁଦ୍ଧାର ପାଇଁ ରାଜ୍ୟରେ ଉତ୍ପାଦନ ହେଉଥିବା ସର୍ବନିମ୍ନ ୫୦ ପ୍ରତିଶତ ଲୁହାପଥରକୁ ଓଡିଶାରେ ଥିବା ଇସ୍ପାତ ଉଦ୍ୟୋଗ ପାଇଁ ସଂରକ୍ଷିତ ରଖାଯାଉ। ଆଜି ମୁଖ୍ୟମନ୍ତ୍ରୀଙ୍କୁ ଏହି ନିବେଦନ କରିଛନ୍ତି ଉତ୍କଳ ଚ୍ୟାମ୍ବର୍ସ ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି ଏବଂ ଓଡିଶା ସ୍ପଞ୍ଜ ଆଇରନ ଉତ୍ପାଦନକାରୀ ସଂଘ। ଏପରିକି ଖବର କାଗଜରେ ଖୋଲା ବିଜ୍ଞାପନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ବିଜ୍ଞାପନରେ ଦର୍ଶାଇଛନ୍ତି ସ୍ଥାନୀୟ ଶିଳ୍ପୋଦ୍ୟୋଗୀଙ୍କ ପ୍ରତିବାଦ ସତ୍ତ୍ୱେ ଯେ ରାଜ୍ୟରେ ଉତ୍ପାଦିତ ୬୦ ପ୍ରତିଶତ ଲୁହା ପଥର ଅଲଗା ରାଜ୍ୟକୁ ପଠାଯାଉଛି। ରାଜ୍ୟରେ ଲୁହାପଥର ଦର ଆକାଶଛୁଆଁ ହୋଇଥିବାରୁ ଖଣି ବ୍ୟବସାୟୀ ଲାଭବାନ ହେଉଛନ୍ତି। ହେଲେ ଲୁହା ପଥର ଅଭାବରୁ ରାଜ୍ୟରେ ସ୍ପଞ୍ଜ ଆଇରନ ୟୁନିଟ ବନ୍ଦ ହୋଇଗଲାଣି। ତେଣୁ ପ୍ରି-ଏମ୍ପସନ ଯୋଜନା ଅନୁଯାୟୀ ଲୁହାପଥର ରାଜ୍ୟ ପାଇଁ ସଂରକ୍ଷିତ ରଖିବାକୁ ଅପିଲ କରାଯାଇଛି।
ପ୍ରି-ଏମ୍ପସନ ଯୋଜନା ଅନୁଯାୟୀ ଲୁହାପଥର ରାଜ୍ୟ ପାଇଁ ସଂରକ୍ଷିତ ରଖିବା ଦ୍ୱାରା ରାଜକୋଷକୁ ଅର୍ଥ ଆସିବା ସହ ରୋଜଗାର ସୁଯୋଗ ମଧ୍ୟ ସୃଷ୍ଟି ହୋଇପରିବ ବୋଲି ଅପିଲରେ ଦର୍ଶାଯାଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଇସ୍ପାତ ଶିଳ୍ପ ରୁଗଣ ଅବସ୍ଥାକୁ ଆସିଥିବାବେଳେ ପ୍ରି-ଏମ୍ପସନ ସ୍କିମ ହିଁ ଏହାକୁ ଉଦ୍ଧାର କରିପାରିବ ବୋଲି ବିଜ୍ଞାପନରେ ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରାଯାଇଛି।
ରାଜ୍ୟର ଶିଳ୍ପଜଗତକୁ କଞ୍ଚାମାଲ ସୁନିଶ୍ଚିତ କରିବା ଲାଗି ୨୦୧୨ରେ ଓଡ଼ିଶା ସରକାର ପ୍ରି-ଏମ୍ପସନ୍ ପଲିସି ଘୋଷଣା କରିଥିଲେ। ୨୦୧୪ରେ ଏନେଇ ବିଜ୍ଞପ୍ତି ଜାରି ହୋଇଥିଲା। ଶିଳ୍ପସଂଘ ଫିମି ଏହାକୁ ବିରୋଧ କରି ହାଇକୋର୍ଟ ଓ ସୁପ୍ରିମକୋର୍ଟ ଯାଇଥିଲା କିନ୍ତୁ ରାଜ୍ୟ ସରକାରଙ୍କର ନିଷ୍ପତ୍ତିକୁ କାୟମ ରଖିଥିଲେ ଅଦାଲତ। ପ୍ରି-ଏମ୍ପସନ୍ ନୀତି ଅନୁସାରେ, ରାଜ୍ୟରେ ଥିବା ଶିଳ୍ପ ପାଇଁ ୫୦% କଞ୍ଚାମାଲ ସଂରକ୍ଷିତ ରହିବା କଥା। ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ ଦ୍ୱାରା ଧାର୍ଯ୍ୟ ଦରରେ ରାଜ୍ୟ ଭିତରର ଶିଳ୍ପକୁ ଖଣିଜ ମିଳିବା କଥା।
ଏ ସମ୍ପର୍କରେ ଶିଳ୍ପ ବିଶେଷଜ୍ଞଙ୍କ ମତ ଏବେ ଅର୍ଥନୀତିର ସ୍ଥିତି ଭଲ ନୁହେଁ, ଯଦି ସରକାର ନିଜ ରାଜ୍ୟର ଶିଳ୍ପସଂସ୍ଥା ଓ ଏହା ଉପରେ ନିର୍ଭର କରୁଥିବା ଲୋକଙ୍କ କଥା ନ ବୁଝିବେ, ତାହେଲେ ଓଡ଼ିଶାର ଖଣିଜକୁ ଦୃଷ୍ଟିରେ ରଖି ଯେଉଁ କମ୍ପାନି ୟୁନିଟ୍ ସ୍ଥାପନ କରିଥିଲେ, ଯଦି ସେସବୁ ବନ୍ଦ ହୋଇଯିବ, ତେବେ ନୂଆ ନିବେଶକ କେଉଁଠୁ ଆସିବେ? ସେପଟେ ଖଣି ଓ ଇସ୍ପାତ ମନ୍ତ୍ରୀ କହିଛନ୍ତି, ଆଜିର ବିଜ୍ଞାପନ ତାଙ୍କ ନଜରକୁ ଆସିଛି। ଏହାର ଅନୁଧ୍ୟାନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି।