Advertisment

ଦିନେ ଗଂଜେଇ ଚାଷ କରୁଥିଲେ ଆଉ ଆଜି କରୁଛନ୍ତି ପରିବା....

ଦିନେ ଗଂଜେଇ ଚାଷ କରୁଥିଲେ, ଏବେ ବିଭିନ୍ନ ପ୍ରକାର ଚାଷ କରି ଇନିଜ ପରିବାରର କରୁଛନ୍ତି ପ୍ରତିପୋଷଣ

author-image
Sarbeswar
Ganja Farming

Ganja Farming

ମାଲକାନଗିରି(ଜୀତେନ୍ଦ୍ର ବେଉରା): ନକ୍ସଲଙ୍କ ନାଲି ଆଖି ଡରରେ ଯେଉଁ ଅଞ୍ଚଳ ଦିନେ ନିଶାବୃକ୍ଷ ଚାଷର ଗନ୍ତାଘର ଥିଲା, ସେ ସ୍ଥାନ ଏବେ ହସୁଛି ଭଳିକି ଭଳି ପାରମ୍ପରିକ ଫସଲରେ । ମାଓବାଦୀଙ୍କ ବନ୍ଧୁକ ମୁନକୁ ଡରି ଯେଉଁମାନେ ଗଂଜେଇ ଚାଷ କରୁଥିଲେ, ସେମାନେ ମନ ବଦଳାଇ ଜମିରେ ଫଳାଉଛନ୍ତି ପନି ପରିବାର।

Advertisment

ଗଛରେ ଝୁଲୁଛି ଲମ୍ବା ଲମ୍ବା କଞ୍ଚାଲଙ୍କା। ଆଉ ଦିନ କେଇଟା ପରେ ଅମଳ ହେବ ଟମାଟୋ। କେବଳ ଏତିକି ନୁହେଁ ବରଂ ଅମୃତ ଭଣ୍ଡା ଓ କଖାରୁ ବି କିଛି କମ୍ ଫଳିନି। ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଏମିତିକି ପରିବା କ୍ଷେତ ତ ରାଜ୍ୟ ସାରା ଅଛି। ତେବେ ଏଠି ନୂଆ କଥା କଣ? ଏହାକୁ ନେଇ ଏଇଥି ପାଇଁ ଚର୍ଚ୍ଚା ହେଉଛି କାରଣ, ଏମିତି ଚିତ୍ର ଦେଖିବାକୁ ମିଳିଛି ଖୋଦ୍ ଲାଲବାହିନୀର ନାଲି ଆଖିରୁ ମୁକ୍ତ ହୋଇଥିବା ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ଖଜୁରିଗୁଡ଼ାରେ।

Advertisment

ଯେଉଁଠି ବର୍ଷ ବର୍ଷ ଧରି ଚାଲୁଥିଲା କେବଳ ଗଞ୍ଜେଇ ଚାଷ। ଏକର ଏକର ଜମିରେ ନକ୍ସଲଙ୍କ ନାଲି ଆଖି ଡରରେ ଲୋକେ ବାଧ୍ୟ ହୋଇ ବେଆଇନ୍ ଭାବେ ଗଂଜେଇ ଚାଷ କରୁଥିଲେ। ଆଉ ତାକୁ ବିକିଲା ପରେ ଯାହା ଅର୍ଥ ଆସୁଥିଲା, ସେଥିରୁ ସିଧା ସିଧା ଅଧା ଭାଗ ମାରି ନେଉଥିଲେ ମାଓବାଦୀ। ହେଲେ ଯୋଡ଼ା ଆମ୍ବରେ ପୋଲିସ୍ କ୍ୟାମ୍ପ ପ୍ରତିଷ୍ଠା ପରେ, ହଠାତ୍ ପରିବର୍ତ୍ତନ ହୋଇଛି। ଲୋକଙ୍କ ଜୀବୀକା ନିଶା ବୃକ୍ଷ ଚାଷ ଛାଡ଼ି ପୁଣି ଆପଣାଇଛନ୍ତି ପାରମ୍ପରିକ ପନିପରିବା ଫସଲ। ତେବେ ସେମାନଙ୍କ ଦୁଃଖ ରହିଛି ଯେ, ସରକାର ସେମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦେଉନାହାନ୍ତି। ଉନ୍ନତ କିସମର ପନିପରିବା ମଞ୍ଜି, ଜଳ ସେଚନ ଉପକରଣ, ସାର ଓ ଅନ୍ୟ ସାହାଯ୍ୟ ସହଯୋଗ ମିଳିଲେ ଆଗକୁ ଆଦିବାସୀମାନେ ଆହୁରି ସ୍ୱାବଲମ୍ବୀ ହୋଇପାରିବେ ବୋଲି କହିଛନ୍ତି।

ଲାଲଗଡ଼ ଭାବେ ପରିଚିତ ସ୍ୱାଭିମାନ ଅଞ୍ଚଳରେ ପରିବା ଛଡ଼ା ଧାନ ଚାଷ ବି ହେଉଛି। ଗଂଜେଇ ସେମାନଙ୍କ ବାପ-ଅଜା ଅମଳର ଚାଷ ନୁହେଁ ବରଂ ଲାଲବାହିନୀ ନିଜ ସ୍ୱାର୍ଥ ସାଧନ ପାଇଁ ଡରାଇ-ଧମକାଇ ଏ ଚାଷ କରିବାକୁ ସେମାନଙ୍କୁ ବାଧ୍ୟ କରୁଛନ୍ତି। ଏଣେ ଜିଲ୍ଲା ଅବକାରୀ ବିଭାଗ ବି ସ୍ୱାଭିମାନ ଅଞ୍ଚଳର ଲୋକଙ୍କୁ ପାରମ୍ପରିକ ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭିନ୍ନ ପନ୍ଥା ଆପଣାଇବ ବୋଲି କହିଛି। ଏମିତିକି ଜୀବୀକା ମିଶନ ଜରିଆରେ ସରକାରଙ୍କ ଯୋଜନା ବି ଅଞ୍ଚଳବାସୀଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ତେବେ ଏଥିପାଇଁ ଦରକାର ସଚେତନତା ଯାହାକୁ ପଞ୍ଚାୟତ ସ୍ତରରୁ ଗାଁ ଗାଁକୁ ନିଆଯିବ ବୋଲି କହିଛନ୍ତି ସ୍ଥାନୀୟ ଅବକାରୀ ଅଧିକ୍ଷକ।

ତେବେ ଚିନ୍ତାର କଥା ହେଲା, ଏବେ ବି ପଣସପୁଟ, ଅଣ୍ଡ୍ରାପାଲ୍ଲୀ ଓ ଯନ୍ତ୍ରୀ ଭଳି ଅନେକ ପଞ୍ଚାୟତରେ ମାଓବାଦୀଙ୍କ ଛତ୍ରଛାୟାତଳେ ଚାଲିଛି ବିପୁଳ ଗଂଜେଇ ଚାଷ। ହେଲେ ଲାଲବାହିନୀଙ୍କୁ ମୂଳପୋଛ କରି ଲୋକଙ୍କୁ ସୁରକ୍ଷାର ନିର୍ଭର ପ୍ରତିଶ୍ରୁତି ଦେଲେ ହିଁ ସ୍ୱାଭିମାନ ଅଞ୍ଚଳରେ ସାକାର ହୋଇପାରିବ ବିକାଶର ସ୍ୱପ୍ନ।

Ganja Farming In Malkangiri
Advertisment
Advertisment