• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖୋଲା ଆକାଶ ତଳେ ବିତୁଛି ରାତି ଛୋଟ ପିଲା, ମହିଳା ଓ ବୟସ୍କ ସାରା ରାତି । ବାହାରେ ସମସ୍ତେ ରାତି କାଟିବା ପାଇଁ ବାଧ୍ୟ । ବ୍ରହ୍ମପୁର ସହରରେ କିଛି ଏଭଳି ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ଲାଞ୍ଜିପଲି ଗୋଡ଼ବନ୍ଧ ସାହିର ଶହେରୁ ଅଧିକ ଘରକୁ ପ୍ରଶାସନ ଭାଂଗି ଦେଇଛି । ସରକାରୀ ଜାଗାରେ ୭୦ ବର୍ଷରୁ ଅଧିକ ସମୟ ଧରି ଏମାନେ ରହିଆସୁଥିଲେ । ଅନ୍ୟ ସ୍ଥାନରେ ଏମାନଙ୍କୁ ଘର ଦିଆଯାଇଛି ହେଲେ ସେଠି ଆନୁସଙ୍ଗିକ ସୁବିଧା ନଥିବା କହି ଲୋକେ ନୂଆ ଘରକୁ ଯାଉନାହାନ୍ତି । ଫଳରେ ଦିନକୁ ଦିନ ସ୍ଥିତି ଦୁର୍ବିସହ ହେବାକୁ ଲାଗିଲାଣି ।

ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଗୋଠବନ୍ଧ ସାହିର ୧୦୦ରୁ ଅଧିକ ପରିବାର ଏବେ ଖୋଲା ଆକାଶ ତଳେ ଚଲୁଛନ୍ତି । କିଛି ଦିନ ତଳେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏଠି ଉଚ୍ଛେଦ କରାଯାଇଛି । ସମସ୍ତଙ୍କର ଆକାଶ ତଳେ କଟୁଛି ରାତି । ଯାହା ପାଖରେ ସମ୍ଭଳ ହେଲା ସିଏ ପଲିଥିନ୍ ଟାଣିଲା ଆଉ ଯାହା ପାଖରେ ନାହିଁ ସିଏ ଏମିତି ଖୋଲାରେ ପଡ଼ି ରହିଲା । ଭାଙ୍ଗି ଯାଇଛି ଘର, ଭୁଷୁଡ଼ି ପଡ଼ିଛି ଆଶ୍ରୟସ୍ଥଳୀ ।

ଯେଉଁଠି ବର୍ଷ ବର୍ଷ ଧରି ରହି ଆସୁଥିଲେ ଆଜି ସେଠି ବେସାହାରା । ହେଲେ ଲୋକେ ଏବେ ବି ସେଠୁ ଉଠିବାକୁ ନାରାଜ୍ । ପିଲା ଛୁଆଙ୍କୁ ଧରି ଏମିତି ଭଙ୍ଗା କାନ୍ଥ ଓ ରାସ୍ତା ଉପରେ ଶୋଇ ରହିଛନ୍ତି । ନିଜ ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ ଆଉ ଗୃହପାଳିତ ପଶୁଙ୍କ କଥା କିଏ ପଚାରେ । ତେବେ ଏନେଇ ଜଣେ ମହିଳା କହିଛନ୍ତି, ମରିବୁ ପଛେ ଜାଗା ଛାଡ଼ିବୁନି । ମନର କଷ୍ଟ, ଶରୀର ପିଡ଼ାକୁ କିଛି ଏପରି ଭାବେ ବୟାନ କରୁଛନ୍ତି ମହିଳା । 

ଗୋଠବନ୍ଧ ବସ୍ତିରେ ବହୁ ବର୍ଷ ଧରି ସରକାରୀ ଜାଗାରେ ଲୋକେ ରହି ଆସୁଛନ୍ତି । ଉଚ୍ଛେଦ କରିବାକୁ ବାରମ୍ବାର ନୋଟିସ୍ ଦେବା ପରେ ବି ନିଜ ଜିଦରେ ଅଟଳ ଲୋକେ । ସହରର ଅନ୍ୟତ୍ର ଏମାନଙ୍କ ପାଇଁ ବ୍ୟବସ୍ଥା ହୋଇଛି ହେଲେ ସେଠି ଆନୁସଙ୍ଗିକ ସୁବିଧା ସୁଯୋଗ ନଥିବା ଅଭିଯୋଗ କରିଛନ୍ତି ବସ୍ତିବାସନ୍ଦା । ସ୍କୁଲ, ପାନୀୟ ଜଳ ଏବଂ ପରିମଳ ଭଳି ଅନେକ ସମସ୍ୟା କଥା କହିଛନ୍ତି ।

ଗତ କିଛି ମାସ ତଳେ ଏହାକୁ ନେଇ ବିଏମସି ଓ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ବ୍ରହ୍ମପୁର ମହାନଗର ନିଗମ ବିବାଦର ସମାଧାନ ନକରି ଉଚ୍ଛେଦ କରିଥିବାରୁ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିଛି । ବିଏମସି ଅଫିସ୍ ସମ୍ମୁଖରେ ଧାରଣା ବି ଦେଇଥିଲେ ଲୋକେ । ବସ୍ତିବାସିନ୍ଦାଙ୍କ ଦାବି ଓ ବିଏମସିର କାର୍ଯ୍ୟାନୁଷ୍ଠାନ ଏହାରି ଭିତରେ ଫସିଛି ଲୋକଙ୍କ ବାସସ୍ଥାନ ।

OTV is now on Whatsapp

Join and get latest news update delivered to you via whatsapp

Join Now