• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲୁଟ୍ ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ । ପ୍ରତି ଚାଉଳ ବସ୍ତାରେ ୨ରୁ ୫ କେଜି କମ୍ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳକୁ ଖୁଲମ୍ଖୁଲ୍ଲା ଲୁଟ୍ କରୁଛନ୍ତି ଯୋଗାଣ ଦାୟିତ୍ୱରେ ଥିବା ସଂସ୍ଥା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବିଭିନ୍ନ ସ୍କୁଲକୁ ଆସୁଥିବା ଚାଉଳ ଓଜନରେ ହେଉଛି ଏଭଳି ହେରାଫେରି । କଣ୍ଟାମାଳ ବ୍ଲକ ଦେଢନମାଲ ସ୍କୁଲର ଖୋଦ୍ ପ୍ରଧାନ ଶିକ୍ଷୟିତ୍ରୀ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ସ୍କୁଲକୁ ଚାଉଳ ଯୋଗାଣ ବେଳେ ଶିକ୍ଷକଙ୍କ ଉପସ୍ଥିତିରେ ଓଜନ କରି ଦେବା କଥା କିନ୍ତୁ ବିନା ଓଜନରେ ଚାଉଳ ଦେଉଛି ସଂପୃକ୍ତ ସଂସ୍ଥା । ଓଲଟି ଓଜନ କରି ଦେବାକୁ ପ୍ରଧାନ ଶିକ୍ଷୟିତ୍ରୀ କହିଲେ, ବସ୍ତା ପିଛା ୫ ଟଙ୍କା ଲେଖାଏଁ ଦାବି କରୁଥିବା ଅଭିଯୋଗ ହେଉଛି ।

କେବଳ ଦେଢନମାଲ ନୁହେଁ, କଣ୍ଟାମାଳ ବ୍ଲକର ଅନେକ ସ୍କୁଲରେ ଚାଉଳ ଯୋଗାଣ ସମୟରେ ଏଭଳି ଅନିୟମିତତା ହେଉଥିବା ନଜରକୁ ଆସୁଛି । କଣ୍ଟାମାଳ ବ୍ଲକ ଶ୍ରୀମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଘନଶ୍ୟାମ ବାଘ ମଧ୍ୟ ସମାନ ଅଭିଯୋଗ କରିଛନ୍ତି । ଯୋଗାଣ ଦାୟିତ୍ୱରେ ଥିବା ସଂସ୍ଥା ଓଜନ ନକରି ପ୍ରତି ବସ୍ତାରେ ୨ରୁ ୩ କେଜି କମ୍ କରି ଦେଉଥିବା ଘନଶ୍ୟାମ ଅଭିଯୋଗ କରିଛନ୍ତି ।

ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳ ଓଜନରେ କମ୍ ଥିବା ଘଟଣାକୁ ସ୍ବୀକାର କରିଛନ୍ତି ସିଆରସିସି । ସେ ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିବେ ବୋଲି କହିଛନ୍ତି । ତେବେ କଣ୍ଟାମାଳ ବ୍ଲକ ଶିକ୍ଷା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ସେପଟେ କଣ୍ଟାମାଳ ବ୍ଲକରେ 5T ଅଧୀନରେ ହେଉଥିବା ସ୍କୁଲ ରୂପାନ୍ତରୀକରଣ ନାଁରେ ଲୁଟ୍ ହେଉଛି ସରକାରୀ ଟଙ୍କା । ନିମ୍ନମାନର କାମ କରି ସରକାରୀ ଅର୍ଥ ଚଳୁ କରୁଛନ୍ତି ଠିକାଦାର ଓ ସରକାରୀ ବାବୁ । କଣ୍ଟାମାଳ ବ୍ଲକର ଲମ୍ବସରି ହାଇସ୍କୁଲ ଚକାଚକ୍ ଦେଖାଯାଉଛି, ବାରଣ୍ଡାରେ ସୁନ୍ଦର ରଙ୍ଗ ସହ ଅଙ୍କାଯାଇଛି ମହାପୁରୁଷଙ୍କ ଫଟୋ । ସୁନ୍ଦର ଭାବେ 5T କଥା ଲେଖାଯାଇଛି । ତେବେ ବାହାରୁ ଆକର୍ଷଣୀୟ ହୋଇଥିବା ସ୍କୁଲ କୋଠାର ବାରଣ୍ଡାରେ କିନ୍ତୁ ନୂଆ କରି ବିଛାଯାଇଥିବା ଟାଇଲ୍ସ ଭାଙ୍ଗିଗଲାଣି ।

କେବଳ ଟାଇଲ୍ସ ନୁହେଁ ଫାଟିଯାଇଥିବା ସ୍କୁଲ କାନ୍ଥକୁ ରଙ୍ଗ ମାରି ନୂଆ ରୂପ ଦିଆଯାଉଛି । କ୍ଲାସରୁମ୍ ଓ କାନ୍ଥ ପୁରୁଣା, ହେଲେ ସେଥିରେ କେବଳ ରଙ୍ଗ ଦେଇ ନୂଆ ଭଳି ଫିନ୍ ଫିନ୍ କରି ଦେଖାଇବାର ଉଦ୍ୟମ କରାଯାଇଛି । ପୁଣି ବିଭାଗୀୟ ଜେଇଙ୍କ ଉପସ୍ଥିତିରେ ଚାଲିଛି କାମ । ସ୍କୁଲ ରୂପାନ୍ତରୀକରଣ ନାଁରେ ନିମ୍ନମାନର କାମ ଅଭିଯୋଗ ନେଇ ଜେଇଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ କିଛି କହିବାକୁ ଅମଙ୍ଗ ।

ଠିକାଦାରଙ୍କଠୁ ଜେଇ ଓ ଅନ୍ୟ ଅଧିକାରୀ ସମସ୍ତଙ୍କ ମିଲିଭଗତରେ ଟଙ୍କା ବାଟମାରଣା ହେଉଥିବା ଅଭିଯୋଗ । ସରକାରୀ ଟଙ୍କା ଯଦି ଏଭଳି ବାଟମାରଣା ହୁଏ, ତେବେ କାମରେ କିଭଳି ଆସିବ ସ୍ୱଚ୍ଛତା, ତାକୁ ନେଇ ଉଠିଛି ପ୍ରଶ୍ନ ।

(ରିପୋର୍ଟ- ରବୀନ୍ଦ୍ର ହୋତା, ବୌଦ୍ଧ)