• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେନ୍ଦ୍ରାପଡ଼ା ସହର ଭିତର ଦେଇ ଯାଇଥିବା ଗୋବରୀ ନଦୀର ପୁନରୁଦ୍ଧାର ନାଁରେ ୭ କୋଟି ଟଙ୍କା ସ୍ୱାହା । ନଦୀର ମାଟି ଖୋଳା ଓ ଦଳ ସଫା, ପଥର ପ୍ୟାକିଂ ଓ ସୌନ୍ଦର୍ଯ୍ୟକରଣ ପାଇଁ ଭିନ୍ନ ଭିନ୍ନ ଠିକା ସଂସ୍ଥାକୁ ଗତବର୍ଷ କାମ ଦିଆଯାଇଥିଲା । କାମ କିଛି ହୋଇନି, କିନ୍ତୁ ମଧୁଚନ୍ଦ୍ରିକାରେ ଚଳୁ ହୋଇଛି ଟଙ୍କା । ଏବର୍ଷ ପୁଣିଥରେ ଟେଣ୍ଡର ପ୍ରକ୍ରିୟା ପାଇଁ ପ୍ରସ୍ତୁତି କରାଯାଉଛି ।

କେନ୍ଦ୍ରାପଡ଼ା ସହର ଦେଇ ଯାଇଥିବା ଗୋବରୀ ନଦୀର ପୁନରୁଦ୍ଧାର ହୋଇନଥିବାରୁ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ୧୧ କିଲୋମିଟର ବ୍ୟାପୀ ଗୋବରି ନଦୀର ଦଳ ସଫା ଓ ମାଟି ଖୋଳା, ପଥର ପ୍ୟାକିଙ୍ଗ ଓ ସୌନ୍ଦର୍ଯ୍ୟକରଣ ପାଇଁ ଗତ ବର୍ଷ ସରକାରୀ ତହବିଲରୁ ଖର୍ଚ୍ଚ ହୋଇଥିଲା । ୬ କୋଟି ୮୬ ଲକ୍ଷ ଅର୍ଥାତ୍ ପ୍ରାୟ ୭ କୋଟି ଟଙ୍କା ନଦୀର ଉଭୟ ପାର୍ଶ୍ୱ ଯେଉଁଠି କୂଳ ଖାଉଛି ସେଠାରେ ପଥର ପ୍ୟାକିଙ୍ଗ ଏବଂ ନଦୀରୁ ମାଟି ଖୋଳା ବାବଦକୁ ଏହି ଟଙ୍କା ବ୍ୟୟ କରାଯାଇଥିଲା । ବର୍ଷଟିଏ ବି ଯାଇନି, ଅବସ୍ଥା ଯଥା ପୂର୍ବଂ ପରଂ । ବଡ଼ ବଡ଼ ଦଳ ଭର୍ତ୍ତି ପଚା ପାଣି, ଦୁର୍ଗନ୍ଧ ବାହାରୁଛି । ଏଥିରୁ ସ୍ପଷ୍ଟ, ପ୍ରକୃତରେ କାମ ହୋଇଛି ନା ଖାଲି କାଗଜ କଲମରେ ସୀମିତ ରହିଛି । କେବଳ ଠିକାଦାର, ଯନ୍ତ୍ରୀ ଓ ନେତାଙ୍କ ଭିତରେ ଟଙ୍କା ଭାଗ ବଣ୍ଟା ଯାଉଥିବା ଅଭିଯୋଗ ହେଉଛି ।

ଗୋବରୀ ନଦୀ ପୁନରୁଦ୍ଧାର କାର୍ଯ୍ୟରେ କୋଟି କୋଟି ଟଙ୍କା ପାଣିରେ ପଡ଼ିଥିବାରୁ ସିଧାସଳଖ ଅସୁବିଧା ଭୋଗୁଛନ୍ତି ସ୍ଥାନୀୟ ଗ୍ରାମବାସୀ । ଲୋକଙ୍କ ଗାଧୋଇବା, ପାଣି ସାରବାର କରିବା, ଚାଷ ଜମିକୁ ପାଣି ମାଡ଼ିବା ସବୁ କାର୍ଯ୍ୟରେ ଅସୁବିଧା ହେଉଛି । ନଦୀରେ ପାଣି ବୁନ୍ଦେ ନାହିଁ ଖରା ଦିନେ ନଦୀର ଜଳସ୍ତର କମିଯାଉଥିବାରୁ ଏହା ଉପରେ ନିର୍ଭର କରୁଥିବା ଶହ ଶହ ପରିବାର ପାଣି ପାଇଁ ଡହଳ ବିକଳ ହେଉଛନ୍ତି ।

ଗୋବରୀ ନଦୀର ପୁନରୁଦ୍ଧାର ପାଇଁ ଡ୍ରେନେଜ୍ ଡିଭିଜନ୍ ପକ୍ଷରୁ ଟେଣ୍ଡର ହୋଇଥିଲା । ମାଟି ଖୋଳା ଓ ଦଳ ସଫା, ପଥର ପ୍ୟାକିଙ୍ଗ ଓ ସୌନ୍ଦର୍ଯ୍ୟକରଣ ପାଇଁ ଭିନ୍ନ ଭିନ୍ନ ଠିକା ସଂସ୍ଥାକୁ ଦିଆଯାଇଥିଲା କାମ । ନଦୀର ଚଉଡ଼ା ୨୩ ଫୁଟ୍ ଖୋଳାଯିବାର ନିୟମ ଥିବା ବେଳେ ତାହା କରାଯାଇନି । ନଦୀର ମଧ୍ୟସ୍ଥଳ ଖୋଳିବା ପରିବର୍ତ୍ତେ କୂଳରୁ ମାଟି ଉଠାଇ ଠିକା ସଂସ୍ଥା କାମ ସାରି ଦେଇଛି । ଫଳରେ ଦୈନନ୍ଦିନ ବ୍ୟବହାର ପାଇଁ ନଦୀ ଉପରେ ନିର୍ଭର କରୁଥିବା କେନ୍ଦ୍ରାପଡ଼ା ଓ ଡେରାବିଶ ବ୍ଲକର ଶହ ଶହ ଲୋକ ଅସୁବିଧା ଭୋଗୁଛନ୍ତି । ୭ କୋଟିର କାମ, କିନ୍ତୁ ୭ ଲକ୍ଷ ଟଙ୍କାର କାମ ହୋଇନଥିବା ଲୋକଙ୍କ ଅଭିଯୋଗ ଯାହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ ।

ଗୋବରୀ ନଦୀର ପୁନରୁଦ୍ଧାର ଓ ଖନନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ସରକାରଙ୍କ ରାଜକୋଷରୁ ଗତବର୍ଷ କାଗଜପତ୍ରରେ ଖର୍ଚ୍ଚ ହୋଇଛି ୭ କୋଟି ଟଙ୍କା କିନ୍ତୁ କୌଣସି କାମ ହୋଇନି । ଚଳିତଥର ପୁନର୍ବାର ଟେଣ୍ଡର ଡକାଯାଇ ୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି । କାମର ଅନୁଧ୍ୟାନ ପରେ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରାଯିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଯେଉଁଠି ଥରେ ୭ କୋଟି ଟଙ୍କାର ଟେଣ୍ଡର ପରେ କିଛି କାମ ନହୋଇ ବିଭାଗୀୟ ଅଧିକାରୀ, ଠିକାଦାର ଓ ଯନ୍ତ୍ରୀ ପକେଟ୍ ଗରମ କରିଛନ୍ତି, ସେ କ୍ଷେତ୍ରରେ ପୁଣି କିଭଳି ଟେଣ୍ଡର ପାଇଁ ଚାଲିଛି ପ୍ରକ୍ରିୟା ? କୁଆଡେ ଗଲା ୭ କୋଟି ଟଙ୍କା ? କେଉଁ ବାଟରେ ଖର୍ଚ୍ଚ ହେଲା ? କାହିଁକି ଯାଞ୍ଚ ହେଲା ନାହିଁ? ତେଣୁ ଗୋବରୀ ନଦୀର ପୁନରୁଦ୍ଧାର ଦୁର୍ନୀତିରେ ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତି ମଧ୍ୟ ଜଳ ଜଳ ଦିଶୁଛି ।

କେନ୍ଦ୍ରାପଡ଼ାରୁ ଉମାକାନ୍ତଙ୍କ ସହ ମନୋଜ ସ୍ୱାଇଁଙ୍କ ରିପୋର୍ଟ