• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବୟସ୍କଙ୍କ ମୁହଁରେ ହସ । ପାଦ ଧୋଇ ପୂଜା କଲେ ଗାଁ ଲୋକେ । ପରିଣତ ବୟସରେ ବାପା-ମାଆଙ୍କୁ ଅବହେଳା ନ କରି ସେମାନଙ୍କ ସେବା କରିବା ପ୍ରତ୍ୟେକ ସନ୍ତାନର କର୍ତ୍ତବ୍ୟ ହେବା ଦରକାର। ଅନେକ ସମୟରେ ସମାଜରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଏକଥାକୁ ଅନୁଭବ କରି ଭିନ୍ନ ଏକ ପରମ୍ପରା ସୃଷ୍ଟି କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଅଳିହା ଗାଁର ଯୁବକ ।

ଧାଡ଼ି ଧାଡି ହୋଇ ବସିଛନ୍ତି ବୟସ୍କ। ଏମାନଙ୍କ ପାଦ ଧୁଆ ଚାଲିଛି। କିଏ ଚନ୍ଦନ ମାରି ବନ୍ଦାପନା କରୁଛି ତ, ଆଉ କିଏ ନୂଆବସ୍ତ୍ର ଦେଇ ଆଶୀର୍ବାଦ ଭିକ୍ଷା କରୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଳିହା ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଦରିଆଚଣ୍ଡୀ ପୀଠରେ ହେଉଥିବା ଭାଗବତ ପାରାୟଣ ଅବସରରେ ଗାଁର ଯୁବକ-ଯୁବତୀ ଓ କନିଷ୍ଠମାନେ ବୟୋଜ୍ୟୋଷ୍ଠଙ୍କ ପୂଜାର୍ଚ୍ଚନା କରିଛନ୍ତି । ବୟସ୍କଙ୍କ ମୁହଁରେ ହସ ଫୁଟାଇ ପାରିଲେ ତାଙ୍କ ଆଶୀର୍ବାଦରୁ ଅଖଣ୍ଡ ସୁଖ, ଶାନ୍ତି ଓ ସଫଳତା ମିଳିଥାଏ ବୋଲି ଆୟୋଜକମାନେ କୁହନ୍ତି।

ସାଂପ୍ରତିକ ସମୟରେ ବୟୋଜ୍ୟେଷ୍ଠମାନେ ଘୋର ଅବହେଳାର ଶୀକାର ହେଉଥିବା ବେଳେ ଅଳିହା ଗ୍ରାମରେ ଆୟୋଜିତ ବୟୋଜ୍ୟେଷ୍ଠ ପୂଜନ କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ବୁଦ୍ଧିଜିବୀମାନେ ମତବ୍ୟକ୍ତ କରିଛନ୍ତି। କେବଳ ଗୋଟିଏ ଦିନ ନୁହେଁ, ବୟୋଜ୍ୟେଷ୍ଠମାନଙ୍କୁ ପ୍ରତ୍ୟେକ ଦିନ କନିଷ୍ଠମାନେ ପୂଜା କରିବାର ଆବଶ୍ୟକ ରହିଛି।

କେନ୍ଦ୍ରାପଡା ଜିଲ୍ଲା ଆଳିରୁ ବନମାଳୀ ସାହୁଙ୍କ ରିପୋର୍ଟ