• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଢ଼ୁଛି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଡ଼ୁଆ । ଯେତେ ଘୋଡ଼ାଇବାକୁ ଚାହିଁଲେ ବି ଲୁଚିପାରିଲାନି ମାମଲା । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ମାମଲାରେ ଆସିଲା ନୂଆ ମୋଡ଼ । ବିଜେପି ନେତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ । କହିଲେ ‘ରାତାରାତି ଝାରସୁଗୁଡ଼ାରେ ମୃତଦେହକୁ ବ୍ୟବଚ୍ଛେଦ କରି ଢ଼େଙ୍କାନାଳ ଆଣି ସଂସ୍କାର କରାଯାଇଛି ।’

ତେବେ ଏତେ ତରବର ହେବାର କ’ଣ ଆବଶ୍ୟକ ଥିଲା ବୋଲି ବିଜେପି ନେତ୍ରୀ ପ୍ରଶ୍ନ କରିଛନ୍ତି । ଏମିତିକି ସେ ଆଉ ଏକ ବଡ଼ ଅଭିଯୋଗ କରିଛନ୍ତି ଯେ, ମନ୍ତ୍ରୀ ନବ ଦାସଙ୍କ ଡ୍ରାଇଭର ମୃତ ବ୍ୟକ୍ତି ଘରେ ଜଗି ବସିଛନ୍ତି । କାହାକୁ ବି ତାଙ୍କ ପରିବାର ସହ ମିଶାଇବାକୁ ଦେଉ ନାହାନ୍ତି । ଖାଲି ସେତିକି ନୁହେଁ ବିଜେପି ନେତ୍ରୀ ଯେତେବେଳେ ମୃତକଙ୍କ ପରିବାରକୁ ଭେଟିବାକୁ ଚେଷ୍ଟା କରିଥିଲେ ସେତେବେଳେ ତାଙ୍କୁ ମଧ୍ୟ ମନ୍ତ୍ରୀଙ୍କ ଡ୍ରାଇଭର ଦୁର୍ବ୍ୟହାର କରିଥିଲେ ଏବଂ ଅଟକାଇଥିଲେ ।

ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝାରସୁଗୁଡ଼ା ବାସଭଭନରେ କାର୍ଯ୍ୟରତ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଏବେ ରାଜନୀତି ଉଷ୍ମ ହେବାରେ ଲାଗିଛି । ମୃତ ଯୁବକ ନାଁ ଲଳିତ । ତାଙ୍କ ଗାଁ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ଡେଙ୍ଗବୋରାଇରେ । ସେହି ଗାଁରେ ପହଞ୍ଚି ଲଳିତଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ବିଜେପି ନେତ୍ରୀ ଅଞ୍ଜଳି ବେହେରା । ହେଲେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା । ତାଙ୍କୁ ଲଳିତଙ୍କ ପରିବାର ସହ ଭେଟିବାକୁ ଼ବାରଣ କରାଯାଇଥିଲା । ତାଙ୍କ ସହ ଦୁର୍ବ୍ୟହାର କରିଥିଲେ ମନ୍ତ୍ରୀ ନବ ଦାସଙ୍କ ଡ୍ରାଇଭର । ଯିଏ କି ଛାଇ ଭଳି ୨୪ ଘଣ୍ଟା ଲଳିତଙ୍କ ପରିବାରକୁ ଜଗି ରହିଛନ୍ତି ।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ଅଞ୍ଜଳି । ଏହାସହ ରାତାରାତି ଶବ ବ୍ୟବଚ୍ଛେଦ କରାଯାଇ ସଂସ୍କାର କରାଯିବାକୁ ନେଇ ମଧ୍ୟ ସେ ସନ୍ଦେହ ପ୍ରକାଶ କରିଛନ୍ତି । ଏହାସହ ମନ୍ତ୍ରୀଙ୍କ ଡ୍ରାଇଭର କାହିଁକି ସେଠି ଉପସ୍ଥିତ ଅଛନ୍ତି ଏବଂ କାହିଁକି କାହାକୁ ଲଳିତଙ୍କ ପରିବାର ସହ ମିଶିବାକୁ ଦିଆଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । 

ଅନ୍ୟପଟେ ଝାରସୁଗୁଡ଼ାରେ ସାମ୍ବାଦିକ ସମ୍ମିଳନୀ କରି ରାତାରାତି ଶବ ବ୍ୟବଚ୍ଛେଦ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ଟଙ୍କଧର ତ୍ରିପାଠୀ । ଲଳିତ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କ ମୃତ୍ୟୁରେ ଆଉ କିଛି ରହସ୍ୟ ଅଛି ? ତାହାର ତଦନ୍ତ ହେବା ଉଚିତ ବୋଲି ଟଙ୍କଧର କହିଛନ୍ତି । ସେହିଭଳି ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେଲେ ଭଲ ହେବ କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ତେବେ ଏନେଇ ମନ୍ତ୍ରୀ ନବ ଦାସଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।