Advertisment

‘ସବୁ ବୁଥ୍‌ରେ ମିଳିବ ମୌଳିକ ସୁବିଧା...ହିଂସାକୁ ରୋକିବ ସି-ଭିଜିଲ୍ ଆପ୍’

ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପରେ CECଙ୍କ ସୂଚନା...‘ବୁଥରେ ହିଂସା ରୋକିବାକୁ ବ୍ୟବହାର ହେବ ସି-ଭିଜିଲ୍ ଆପ୍...ସବୁ ପଲିଟିକାଲ ପାର୍ଟିଙ୍କ ପ୍ରତି ସମାନ ମନୋଭାବ ପୋଷଣ’

author-image
Otv Khabar Bureau
ଅଦ୍ୟତନ ହୋଇଛି
Election Commission

Election Commission

ଲୋକସଭା ଓ ବିଧାନସଭା ଭୋଟ୍ ପାଇଁ ଆମେ ପ୍ରସ୍ତୁତ । ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପରେ ଏହା ସ୍ପଷ୍ଟ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ବିଭିନ୍ନ ରାଜନୈତିକ ଦଳଙ୍କ ଅଭିଯୋଗର ଲମ୍ବା ତାଲିକା ଶୁଣିବା ପରେ, ନିର୍ବାଚନ ପ୍ରକ୍ରିୟାରେ ନିରପେକ୍ଷତା ରକ୍ଷା କରିବାକୁ ଜିଲ୍ଲାପାଳ ଓ SPମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଇଲେକ୍ସନ କମିଶନ । ଏଥିସହ ବୁଥରେ ହିଂସା ରୋକିବାରେ ସି-ଭିଜିଲ୍ ଆପ୍ ସହାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି । ଆଗାମୀ ନିର୍ବାଚନରେ ଭୋଟ ଦେବେ ରାଜ୍ୟର ମୋଟ ୩ କୋଟି ୩୨ ଲକ୍ଷ ଭୋଟର ।

Advertisment

 ସଧାରଣ ନିର୍ବାଚନ ପାଇଁ ପୂରା ପ୍ରସ୍ତୁତ ଓଡ଼ିଶା ସମସ୍ତ ପ୍ରସ୍ତୁତି ସରିଥିବା ସ୍ପଷ୍ଟ କଲେ ନିର୍ବାଚନ କମିଶନ୍ ଏଥର ଫୋକସରେ ସ୍ବଚ୍ଛତା, ସଂପୃକ୍ତି ଓ ସୂଚନା ସବୁ ଭୋଟରକୁ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବକୁ ଇସିଆଇଙ୍କ ଆହ୍ବାନ ଓଡ଼ିଶା ଗସ୍ତରେ ଆସି ସମୀକ୍ଷା ପରେ, ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। CEC ରାଜୀବ କୁମାର କହିଛନ୍ତି, ପ୍ରସ୍ତୁତି ସମୀକ୍ଷା ପୂର୍ବରୁ ପ୍ରଥମେ ବିଭିନ୍ନ ରାଜନୈତିକ ଦଳଙ୍କ ଆପତ୍ତି-ଅଭିଯୋଗ ଏବଂ ଦାବିକୁ ଦିଆଯାଇଥିଲା ଗୁରୁତ୍ବ । ସେଗୁଡ଼ିକ ମଧ୍ୟରେ ଥିଲା, ସରକାରୀ କଳ ନିରପେକ୍ଷତା ରକ୍ଷା କରୁ, ନିର୍ବାଚନ ପ୍ରଚାରରେ ସମସ୍ତଙ୍କୁ ସମାନ ଅଧିକାର ମିଳୁ, ହିଂସା ରୋକା ଯାଉ ।

ଏଥିସହ ସରକାରୀ ଗାଡ଼ି ଓ ଆମ୍ବୁଲାନ୍ସରେ ଟଙ୍କା ନେବା ଆଣିବା ଏବଂ ସରକାରୀ କୋଠାରେ ଟଙ୍କା ଗଚ୍ଛିତ ରଖି ନିର୍ବାଚନରେ ବ୍ୟବହାର ହେଉଥିବା ବି ଅଭିଯୋଗ ହୋଇଛି । ରାଜନୈତିକ ଦଳର ଚିହ୍ନ ସରକାରୀ ଯୋଜନାରେ ବ୍ୟବହାର ଏବଂ ପେଡ୍ ନ୍ୟୁଜର ତର୍ଜମା କଥା ବି ଉଠାଇଛନ୍ତି ରାଜନୈତିକ ଦଳ । ନିର୍ବାଚନ କମିଶନଙ୍କ ପକ୍ଷରୁ ଏଥିପାଇଁ ଜିଲ୍ଲାପାଳ ଓ ଏସପିମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଇସିଆଇ । ସବୁ ରାଜନୈତିକ ଦଳ ପ୍ରତି ସମାନ ମନୋଭାବ ପୋଷଣ, ସବୁ ରାଜନୈତିକ ଦଳର ଅଭିଯୋଗ ଶୁଣିବାକୁ ଏବଂ ନିରପେକ୍ଷ ଓ ଶୃଙ୍ଖଳିତ ନିର୍ବାଚନ ପରିଚାଳନା କରିବାକୁ କହିଛନ୍ତି କମିଶନ। ନଚେତ୍ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ।

Advertisment

 ସାଧାରଣ ନିର୍ବାଚନ ପାଇଁ ଓଡ଼ିଶା କେତେ ପ୍ରସ୍ତୁତ, ତାର ସମୀକ୍ଷା ପାଇଁ ଗତକାଲି ଓ ଆଜି ଭୁବନେଶ୍ବରରେ ସମୀକ୍ଷା କରିଥିଲେ ନିର୍ବାଚନ କମିଶନଙ୍କ ୭ ଜଣିଆ ଟିମ୍ । ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ ଏବଂ ରାଜନୈତିକ ଦଳ ପ୍ରତିନିଧିଙ୍କୁ ଭେଟିଥିଲେ । ମୁଖ୍ୟ ନିର୍ବାଚନ କମିଶନର ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଯେ, ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ସରିଯାଇଛି । ସବୁ ଭୋଟର ଆସନ୍ତୁ ଏବଂ ଗଣତନ୍ତ୍ର ମହାପର୍ବରେ ସାମିଲ ହୁଅନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି ।

ଏଥିସହ ଦୃଢ଼ କଣ୍ଠରେ କହିଛନ୍ତି ଯେ, ସି- ଭିଜିଲ୍ ଜରିଆରେ ହିଂସାକାଣ୍ଡ ଓ ବୁଥରେ ଗଣ୍ଡଗୋଳ ଉପରେ ନଜର ରଖାଯିବ । କେଉଁଠି କିଛି ଗଡ଼ବଡ଼ି ହେଲେ, ସି-ଭିଜିଲ୍ ଆପ୍ ଜରିଆରେ ଲୋକେ କମିଶନଙ୍କୁ ଜଣାଇପାରିବେ । ଅଭିଯୋଗକାରୀଙ୍କ ନାଁ ଗୋପନ ରଖାଯିବ । ଯେଉଁଠୁ ଅଭିଯୋଗ ଆସିବ, ସେଠି ୧୦୦ ମିନିଟ୍ ଭିତରେ ଆମେ ପହଞ୍ଚିବୁ। ସେହିଭଳି ନିର୍ଦ୍ଦିଷ୍ଟ ଜାଗାରେ ସଭା ପାଇଁ ଯିଏ ପ୍ରଥମେ ଆବେଦନ କରିବ, ତାକୁ ପ୍ରଥମେ ମିଳିବ ।

ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ଥିଲେ ସେ ଟେଲିଭିଜନ ଓ ଖବର କାଗଜରେ ୩ ଥର ବିଜ୍ଞାପନ ଦେଇ ଜଣାଇବେ । କୌଣସି ସରକାରୀ କୋଠା ରାଜନୈତିକ ଦଳଙ୍କ କାର୍ଯ୍ୟରେ ଲାଗିପାରିବ ନାହିଁ । ଇଭିଏମ୍ ଓ ଭିଭିପାଟ୍ ସିଲ୍ ରାଜନୈତିକ ଦଳର ପ୍ରତିନିଧିଙ୍କ ସାମ୍ନାରେ ଖୋଲାଯିବ ବୋଲି ସ୍ପଷ୍ଟ କରିଛନ୍ତି ଇସିଆଇ। ତା ଛଡ଼ା, ପେଡ୍ ନ୍ୟୁଜ୍  ଅଭିଯୋଗ ଆସିଲେ ଏକ ସ୍ବତନ୍ତ୍ର କମିଟି ତଦନ୍ତ କରି, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଅଭିଯୋଗ ସତ ହୋଇଥିଲେ, ସମସ୍ତ ଖର୍ଚ୍ଚ ଉକ୍ତ ପ୍ରାର୍ଥୀଙ୍କ ନାଁରେ ଯିବ ବୋଲି ସେ କହିଛନ୍ତି ।

ଆଗାମୀ ନିର୍ବାଚନରେ ଓଡ଼ିଶାରେ ଭୋଟ ଦେବେ ମୋଟ ୩ କୋଟି ୩୨ ଲକ୍ଷ ଭୋଟର। ୧ କୋଟି ୬୮ ଲକ୍ଷ ପୁରୁଷ ଏବଂ ୧ କୋଟି ୬୪ ଲକ୍ଷ ମହିଳା ଏବଂ ୩୩୮ ଜଣ ତୃତୀୟ ଲିଙ୍ଗୀ । ଅର୍ଥାତ୍ ପ୍ରତି ହଜାରେ ଜଣ ପୁରୁଷରେ ୯୭୨ ମହିଳା ଭୋଟର ଅଛନ୍ତି । ସାଢ଼େ ୭ ଲକ୍ଷ ୧୮ରୁ ୧୯ ବର୍ଷୀୟ ଏବଂ ୯ ହଜାର ୬୦ ଜଣ ଶତାୟୁ ଭୋଟର୍ ଅଛନ୍ତି । ଭୋଟ ଗ୍ରହଣ ପାଇଁ ମୋଟ ୩୭ ହଜାର ୮୦୯ଟି ବୁଥ୍ ହେବ ଏବଂ ସେଥିରୁ ୨୨ ହଜାର ୬୮୫ରେ ୱେବକାଷ୍ଟିଂ ହେବ। ୪ ହଜାର ବୁଥ୍ ରେ କେବଳ ମହିଳା ଅଧିକାରୀ ନିୟୋଜିତ ହେବେ।

Election Commission General Elections
Advertisment
Advertisment