• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଅନେକ ଲୋକ ଘରେ ପଶୁ ପକ୍ଷୀ ରଖିବାକୁ ଭଲ ପାଆନ୍ତି। ଏଥିରୁ ବିଲେଇ ମଧ୍ୟ ଅନ୍ୟତମ। ଆପଣ ବିଲେଇମାନଙ୍କୁ ଭଲ ପାଆନ୍ତି କି? ଯଦି ନୁହେଁ, ତେବେ ହୁଏତ ଏହି ଭାଇରାଲ୍ ଭିଡିଓ ଦେଖିବା ପରେ ଆପଣ ମଧ୍ୟ ବିଲେଇ ପ୍ରେମରେ ପଡ଼ିଯିବେ। କଥା କ’ଣ କି ଏକ ବିଲେଇ ପ୍ରାଣ ପଣେ ଚେଷ୍ଟାକରି ଏକ ଛୋଟ ଶିଶୁର ଜୀବନ ରକ୍ଷା କରିଛି। ଏଭଳି ଏକ ସିସିଟିଭି ଫୁଟେଜ୍‌ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଦେଖିବା ପରେ ସମସ୍ତେ ବିଲେଇଙ୍କୁ ପ୍ରଶଂସା କରୁଛନ୍ତି। ଏହି ଭିଡିଓଟି ବହୁ ପୁରୁଣା ହୋଇଥିଲେ ବି ଟ୍ୱିଟରରେ ପୁଣି ଭାଇରାଲ ହେଉଛି।

ଏହି ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ ଯେ ଏକ ଶିଶୁ ଆଣ୍ଠେଇ ଆଣ୍ଠେଇ ଯାଉଥିବା ବେଳେ ଏକ ବିଲେଇଟି ଚୌକି ଉପରେ ବସିଥିବାର ନଜର ଆସିଛି। ଏହାର କିଛି ସମୟ ପରେ ପିଲାଟି ସିଡି ଆଡକୁ ଯିବାକୁ ଆରମ୍ଭ କରୁଛି। ତଥାପି ବିଲେଇଟି ଚୌକି ଉପରେ ବସିଛି। ଯେତେବେଳେ ପିଲାଟି ଛାତର ସିଡି ନିକଟରେ ପହଞ୍ଚିଛି ବିଲେଇଟି ସାଙ୍ଗେ ସାଙ୍ଗେ ତା’ ସାମ୍ନାକୁ ଡେଇଁ ପିଲାଟିକୁ କଳେବଳେ ଚେଷ୍ଟା କରି ଉଦ୍ଧାର କରୁଛି। ଭିଡିଓ ଦେଖି ଲାଗୁଛି ଯେ ଯଦି ବିଲେଇ ଠିକ୍ ସମୟରେ ସେଠାରେ ପହଞ୍ଚି ନ ଥାନ୍ତା ତେବେ ପିଲାଟି ସିଡ଼ିରୁ ଖସି ଯାଇଥାନ୍ତା।

ଏହି ୧୮ ସେକେଣ୍ଡର ଭିଡିଓ କ୍ଲିପ୍ @ @aflyguynew1 ନାମକ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। ୨୩ ସେପ୍ଟେମ୍ବରରେ ଟ୍ୱିଟରରେ ସେୟାର ହୋଇଥିବା ଏହି ଭିଡିଓକୁ ଏପର୍ଯ୍ୟନ୍ତ ୯୦ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ପାଖାପାଖି ୫ ଲକ୍ଷ ଲୋକ ଏହାକୁ ପସନ୍ଦ କରିଛନ୍ତି। ଏଥିସହିତ, ଏହି ଭିଡିଓ ଦେଖିବା ପରେ ହଜାର ହଜାର ଲୋକ ଏହା ଉପରେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

ଏହି ଭିଡିଓ ଦେଖିବା ପରେ ଅଧିକାଂଶ ଉପଭୋକ୍ତା ବିଲେଇଙ୍କୁ ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି। କେହି କେହି ଲେଖିଛନ୍ତି ଯେ ଏହି ବିଲେଇ ଆଶ୍ଚର୍ଯ୍ୟଜନକ, ତ ଆଉ କେହି କହିଛନ୍ତି ଯେ ବିଲେଇମାନଙ୍କ ପ୍ରତି ମୋର ସେମିତି ଭଲପାଇବା ନ ଥିଲା, କିନ୍ତୁ ଏହି ଭିଡିଓ ଦେଖିବା ପରେ ମୁଁ ମଧ୍ୟ ସେମାନଙ୍କ ପ୍ରେମରେ ପଡ଼ିବା ଆରମ୍ଭ କରିଛି। ଅନ୍ୟପକ୍ଷରେ କେତେକ ଉପଭୋକ୍ତା ଏହାକୁ ରଙ୍ଗମଞ୍ଚ ବୋଲି ମଧ୍ୟ କହୁଛନ୍ତି। ଉପଭୋକ୍ତାମାନେ ଏହା ପଛରେ ଯୁକ୍ତି ଦର୍ଶାଇ ବିଭିନ୍ନ ଚିତ୍ର ମଧ୍ୟ ଶେୟାର କରୁଛନ୍ତି।