• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚାଷୀ ଓ ଚାଷର ଉନ୍ନନ୍ନି ପାଇଁ ପାଣିକୁ  ବାନ୍ଧି  ସରକାର ଡ୍ୟାମ ନିର୍ମାଣ କରି କେନାଲ ଦ୍ୱାରା ପାଣି ଜମିକୁ ପହଁଚାଇଲେ ।  ହେଲେ ବିଗତ ୪ବର୍ଷ ହେଲାଣି ଚାଷୀକୁ ମିଳୁନି ପାଣି । ଫଳରେ  ଚାଷ କାମ ଆଗେଇ ପାରୁନି । ଏପଟେ ଜଳ ନପାଇ ଜଳକର ଦେଇ ଚାଷୀ ହନ୍ତସନ୍ତ ହେଉଛନ୍ତି । ରେଢାଖୋଲ କେରାଣ୍ଡି ଡ୍ୟାମ ପାଣି ଉପରେ ନିର୍ଭର କରୁଥିବା ଚାଷୀଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି ।

ରେଢାଖୋଲ ବ୍ଲକ ବଡବାହାଲ ପଞ୍ଚାୟତର ଲଡବାହାଲ ଗାଁର  କେରାଣ୍ଡି ଡ୍ୟାମରୁ ବଡବାହାଲର ପ୍ରଧାନସାହିରୁ ଲଡବାହାଲ ପ୍ରାୟ ୩ କି.ମି ପର୍ଯ୍ୟନ୍ତ ଲମ୍ବିଥିବା କେନାଲ ଏବେ ଚାଷୀଙ୍କ କାମରେ ଆସୁନି । ନା କେହି କେନାଲର ଯତ୍ନ ନେଉଛି ନା କେହି ମରାମତି କରୁଛି । କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା କେନାଲ ଏବେ ଘାସବୁଦା ହୋଇ ପଡିଛି । ଆଉ ଚାରିଆଡେ ଅଳିଆ ଆବର୍ଜନାରେ ପୋତି ହୋଇଯାଇଛି କେରାଣ୍ଡି କେନାଲ ।  ଯାହାଫଳରେ ଏବେ  ଚାଷ ସମୟରେ ଜମିରେ ପାଣି ମୁନ୍ଦାଏ ବି ମାଡି ନପାରିବାରୁ ଚାଷୀ ନାହିଁନଥିବା ହଇରାଣ ହେଉଛନ୍ତି । ଏପରିକି ଜଳ ଅଭାବ ଯୋଗୁଁ ଅନେକଙ୍କ ଜମି ଏବେ ପଡିଆ ପଡିଛି । ଅନ୍ୟପଟେ ପାଣି ପଞ୍ଚାୟତ ଗଠନ କରାଯାଇ ଏସବୁର ସମାଧାନ କରାଯିବା କଥା ହେଲେ କାମରେ ଆସିପାରୁନି ପାଣି ପଚାଂୟତ ବୋଲି ଚାଷୀ ଅଭିଯୋଗ କରିଛନ୍ତି ।
 
୧୯୮୫ ମସିହାରେ କେରାଣ୍ଡି ନାଳରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଡ୍ୟାମ ନିର୍ମାଣ କରାଯାଇଥିଲା । ଉଦ୍ଦେଶ୍ୟ ଥିଲା ବର୍ଷାଜଳକୁ ସଂରକ୍ଷିତ କରି କେନାଲ ମାଧ୍ୟମରେ ଚାଷ ଜମିକୁ ପାଣି ଦେବା । ପ୍ରାୟ ୨୦ କି.ମି ପର୍ଯ୍ୟନ୍ତ କେନାଲ କରାଯାଇ ୨୪ ଶହ ୨୮ ହେକ୍ଟର ଜମିରେ ପାଣି ମାଡିବାର ଯୋଜନା ରଖାଯାଇଥିଲ । ହେଲେ ବର୍ତ୍ତମାନ ୧୮କି.ମି କେନାଲ ରହିଥିବା ବେଳେ ୧୧ଶହ ୨୮ ହେକ୍ଟର ଜମିରେ ପାଣି ମାଡୁଥିବା ରିପୋର୍ଟ ରହିଛି । ବଳକା କେନାଲ ଓ ବଳକା ଜମିରେ ପାଣି ମାଡିବା ପାଇଁ ୫ଟି ଶାଖା କେନାଲ ନିର୍ମାଣ କରିବାର ସମସ୍ତ ପ୍ରସ୍ତୁତି ସରକାରୀ ସ୍ତରରେ ଚାଲିଛି । ହେଲେ ବର୍ଷ ବର୍ଷ ଧରି କେନାଲର ରକ୍ଷଣାବେକ୍ଷଣ ଅଭାବରୁ ପାଣି ମାଡିପାରୁନି ବୋଲି ଅଭିଯୋଗ କରିଛନ୍ତି ଚାଷୀ ।

କେନାଲର ସମସ୍ୟା  ସମ୍ପର୍କରେ ସ୍ୱୀକାର କରିଛନ୍ତି ବିଭାଗୀୟ ଯନ୍ତ୍ରୀ । ତେବେ ପାଣି କିପରି ଜମିକୁ ଯିବ, ସେ ନେଇ ପଦକ୍ଷେପ ନିଆଯିବ ବୋଲି ଯନ୍ତ୍ରୀ କହିଛନ୍ତି ।  ରେଢାଖୋଲର ଜୀବନ ରେଖା କୁହାଯାଉଥିବା ଏହି କେରାଣ୍ଡି କେନାଲର ପରିଚାଳନା ବ୍ୟବସ୍ଥା ସହ ଏହାର ରକ୍ଷଣା ବେକ୍ଷଣ ନକଲେ ଆଗାମୀ ଦିନରେ କେରାଣ୍ଡି ଡ୍ୟାମ ତାର ଅସ୍ଥିତ୍ୱ ହରାଇବ ବୋଲି ଆଶଙ୍କା କରାଯାଉଛି ।
(ରିପୋର୍ଟ: ରମାକାନ୍ତ ମହାନନ୍ଦ,ରେଢାଖୋଲ)