Advertisment

Greenfield Airport in Puri: ପୁରୀରେ ଏୟାରପୋର୍ଟକୁ କେନ୍ଦ୍ରର ମଞ୍ଜୁରୀ

ପୁରୀରେ ପ୍ରସ୍ତାବିତ ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ବିମାନବନ୍ଦରକୁ ମଞ୍ଜୁରୀ ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଏହି ଏୟାରପୋର୍ଟ ପାଇଁ ଆବଶ୍ୟକ ୧୧୬୪ ଏକର ପରିମିତି ଜମିର ଅଧିଗ୍ରହଣ କାମ ବି ଶେଷ ପର୍ଯ୍ୟାୟରେ । ତେବେ ପରିବେଶବିତ ଏବଂ ଐତିହ୍ୟ ଗବେଷକଙ୍କ ଆଶଙ୍କା, ଏହି ଏୟାରପୋର୍ଟ ହେଲେ ଜୈବ ବିବିଧତା ସହ ଐତିହ୍ୟ କୀର୍ତ୍ତିରାଜ ପ୍ରଭାବିତ ହେବ ।

author-image
Namita Biswal
ଅଦ୍ୟତନ ହୋଇଛି
undefined

ଖୁବଶୀଘ୍ର ପୁରୀ ଏୟାରପୋର୍ଟ କାମ

ଦୀଘା-ଦିଅଁ ଓ ଦିଦି ବିବାଦ ଭିତରେ ପୁରୀ ପାଇଁ ଭଲ ଖବର । କାରଣ ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତିକ ଗ୍ରୀନଫିଲ୍ଡ ବିମାନବନ୍ଦର ନିର୍ମାଣ ଉପରେ ବାଜିଛି ନୀତିଗତ ମୋହର । ଗ୍ରୀନ୍ ସିଗ୍‌ନାଲ ସହ ମଞ୍ଜୁରୀ ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଫଳରେ ଜଗନ୍ନାଥ ଧାମ ସହ ଆକାଶପଥରେ ଦେଶର ପ୍ରମୁଖ ବଡ଼ ସହର ଯୋଡ଼ି ହେବାର ଆଶା ବଢ଼ିଛି । ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ୧୧୬୪ ଏକର ଜମି ଉପରେ ନିର୍ମାଣ ହେବ ପ୍ରସ୍ତାବିତ ପୁରୀ ବିମାନବନ୍ଦର । ସେଥିମଧ୍ୟରୁ ୯୪୩ ଏକର ସରକାରୀ ଜମି ଥିବା ବେଳେ ୨୨୧ ଏକର ଘରୋଇ ଜମି ରହିଛି । 

Advertisment

ଅଧିକ ପଢ଼ନ୍ତୁ: ମମତାଙ୍କ ନାଲିଆଖି: ପୁଣି ଲାଗିଲା ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ...

ଜମି ଅଧିଗ୍ରହଣ କାମ ଏବେ ଶେଷ ପର୍ଯ୍ୟାୟରେ । ପୁରୀ ବିମାନବନ୍ଦରକୁ କେନ୍ଦ୍ରର ମଞ୍ଜୁରୀ ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ.ରାମମୋହନ ନାଇଡ଼ୁ ଓ ପିଏମ୍ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରେସବିବୃତ୍ତିରେ କହିଛନ୍ତି, ଶ୍ରୀଜଗନ୍ନାଥ ବିମାନବନ୍ଦର ନାମରେ ନାମିତ ପୁରୀ ବିମାନବନ୍ଦର ୩ଟି ପର୍ଯ୍ୟାୟରେ ନିର୍ମାଣ ହେବ । ଏଥିପାଇଁ ଖର୍ଚ୍ଚ ହେବ ୫ ହଜାର ୬୩୧ କୋଟି ଟଙ୍କା । ଶ୍ରୀଜଗନ୍ନାଥ ବିମାନବନ୍ଦର ନିର୍ମାଣ ସରିବା ପରେ ଆକାଶପଥ ଦେଇ ବାର୍ଷିକ ୪୬ ଲକ୍ଷ ଯାତ୍ରୀ ଯାତାୟାତ କରିପାରିବେ । 

ପୂର୍ବରୁ ପ୍ରସ୍ତାବିତ ବିମାନବନ୍ଦରକୁ ସାଇଟ୍ କ୍ଲିୟରାନ୍ସ ସହ ପରିବେଶ ମଞ୍ଜୁରୀ, ଗୃହ ବିଭାଗ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ଆଦିର ମିଳିସାରିଛି ନୀତିଗତ ଅନୁମୋଦନ । ଏହି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ମଞ୍ଜୁରୀ ପରେ ଆରମ୍ଭ ହୋଇପାରିବ ବିମାନବନ୍ଦର ନିର୍ମାଣ କାର୍ଯ୍ୟ । ତେବେ ଏହା ସମ୍ପୂର୍ଣ୍ଣ ରାଜ୍ୟ ପାଣ୍ଠିରୁ ନିର୍ମାଣ ହେବ ନା ସହଭାଗିତାରେ ନିର୍ମାଣ କରାଯିବ, ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବିଜୁ ପଟ୍ଟନାୟକ ଏୟାରପୋର୍ଟ ନିର୍ଦ୍ଦେଶକ । ଭିତ୍ତିଭୂମି ନିର୍ମାଣ ସରିବା ପରେ ଡିଜିସିଏ ବିମାନବନ୍ଦର ପରିଚାଳନା ଲାଗି ଲାଇସେନ୍ସ ପ୍ରଦାନ କରିବେ ବୋଲି ଏୟାରପୋର୍ଟ ନିର୍ଦ୍ଦେଶକ କହିଛନ୍ତି ।  

Advertisment

ତେବେ ଏହି ବିମାନବନ୍ଦର ସପକ୍ଷରେ କିନ୍ତୁ ନାହାଁନ୍ତି ପରିବେଶବିତ ଓ ଐତିହ୍ୟ ଗବେଷକ । ପରିବେଶବିତଙ୍କ ଆଶଙ୍କା ବିମାନ ଚଳାଚଳ ଦ୍ବାରା ଏଠାରେ କମ୍ପନ ସୃଷ୍ଟି ହେବ । ଫଳରେ ସାମୁଦ୍ରିକ କଇଁଛ ସହ ବନ୍ୟପ୍ରାଣୀ ପ୍ରଭାବିତ ହେବେ । ଐତିହ୍ୟ ଗବେଷକ ମତ, ଉଚ୍ଚକ୍ଷମତା ସମ୍ପନ୍ନ ଅନ୍ତର୍ଜାତୀୟ ବିମାନର ଟେକଅପ୍ ଓ ଲ୍ୟାଣ୍ଡିଂବେଳେ ପ୍ରଚଣ୍ଡ ଶବ୍ଦ ସହ କମ୍ପନ ସୃଷ୍ଟି ହେବ । ଫଳରେ ଶ୍ରୀମନ୍ଦିର ଉପରେ ବି ପ୍ରଭାବ ପଡ଼ିବା ଆଶଙ୍କା ରହିଛି ।

Central Government Greenfield Airport Puri
Advertisment
Advertisment