Advertisment

ଘୋର ଅନ୍ୟାୟ : ୪୦ ବର୍ଷ ଖଟିଲେଣି, ହେଲେ ସ୍ଥାୟୀ ହେଉନି ନିରଞ୍ଜନଙ୍କ ଚାକିରି

ମୋରି ଆଖି ସାମ୍ନାରେ କେତେ ଡିଏଫଓ ସାର୍ ଆସିଲେଣି, କେତେ ଗଲେଣି । ହେଲେ ମୋର ଚାକିରି କେହି ସ୍ଥାୟୀ କଲେ ନାହିଁ ।

author-image
Prangyan Parimita
ଅଦ୍ୟତନ ହୋଇଛି
Special story

Special story

‘ଦିନେ ନୁହେଁ କି ମାସେ ନୁହେଁ । ବର୍ଷେ ନୁହେଁ କି ପାଞ୍ଚ ମାସ ନୁହେଁ… ପ୍ରାୟ ୪୦ ବର୍ଷ କାଳ। ନିଜ ଜୀବନର ସବୁତକ ରୋଜଗାରିଆ ସମୟ ଏଇ ଫରେଷ୍ଟ ଅଫିସରେ ବିତିଛି। ମୋରି ଆଖି ସାମ୍ନାରେ କେତେ ଡିଏଫଓ ସାର୍ ଆସିଲେଣି, କେତେ ଗଲେଣି । ସମସ୍ତଙ୍କ ସେବା କରିଛି। ବୋଲ ହାକ କରିଛି। ଯିଏ ଯାହା କହିଲା ତା ହୁକୁମ୍ ମାନିଛି । ସମେସ୍ତ ମଧୁର ବଚନ କହି ମତେ ଭଣ୍ଡେଇ ଚାଲିଯାଇଛନ୍ତି। ହେଲେ ଦୁଃଖ କେହି ଶୁଣି ନାହାନ୍ତି… ଆଉ ମୋର ବୟସ ନାହିଁ କି ଦେହରେ ବଳ ନାହିଁ। ହେଲେ ଆଜି ଯାଏଁ ମୋ ଚାକିରି ପରମାନେଣ୍ଟ ହୋଇ ପାରିଲା ନାହିଁ। ଆଉ ବର୍ଷଟିଏ ଚାକିରି ରହିଲା। ୟା ଭିତରେ ଯଦି ମୋର ଚାକିରି ପରମାନେଣ୍ଟ ନ ହୁଏ… ତେବେ ମୋ ତ୍ୟାଗ ଉତ୍ସର୍ଗର ଅର୍ଥ କିଛି ରହିବ ନାହିଁ ’ । ଏହା କୌଣସି ସିନେମାର କାହାଣୀ ନୁହେଁ ଜଣେ ଅସ୍ଥାୟୀ ବନ କର୍ମଚାରୀଙ୍କ ଅଙ୍ଗେନିଭା କଥା ।

Advertisment

ଅସ୍ଥାୟୀ ବନ କର୍ମଚାରୀ ନିରଞ୍ଜନ ସାମଲ। ଦୀର୍ଘ ୪୦ ବର୍ଷ ଚାକିରି କଲା ପରେ ମିଳୁଛି ସ୍ୱଳ୍ପ ପାଉଣା । ଅସ୍ଥାୟୀ ବନକର୍ମଚାରୀର ଉପାଧି ବୋହି ବୁଲୁଛନ୍ତି। ଆଉ କେତେ ବର୍ଷ ଖଟିଥିଲେ ପରମାନେଣ୍ଟ୍ କରିଥାଆନ୍ତା ଏ ସରକାର? ତେଣୁ ବାଧ୍ୟ ହୋଇ ନିଜ ସ୍ତ୍ରୀଙ୍କୁ ସାଙ୍ଗରେ ଧରି ଗାନ୍ଧୀ ମହାତ୍ମାଙ୍କ ଫଟୋ ଥୋଇ ଆମରଣ ଅନଶନରେ ବସିଛନ୍ତି । ଭଦ୍ରକ ଜିଲ୍ଲା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଅଗଷ୍ଟ ୧୫ ତାରିଖରୁ ଧାରଣା ଦେଇଛନ୍ତି ସେ । ଆଉ ଯିଏ ଯେତେ ଉଠେଇଲେ ବି କାହା କଥା ସେ ଶୁଣିବେନି ବୋଲି ଚେତେଇ ଦେଇଛନ୍ତି । ଏଣିକି ଗୋଟିଏ ଦାବି ମତେ ପରମାନେଣ୍ଟ୍ କର। ନହେଲେ ଏଇ ଅନଶନରୁ ସିଧା ଶ୍ମଶାନ ଯିବି।

ଆଜିକୁ ପ୍ରାୟ ୪୦ ବର୍ଷ ତଳେ ସେ ଜଙ୍ଗଲ ବିଭାଗର ପୋଷାକ ପିନ୍ଧିଥିଲେ। କାନ୍ଧରେ ଓଡ଼ିଶା ଫରେଷ୍ଟର ବ୍ୟାଚ୍ ଲଗାଇ ନିଶ ମୋଡି ବୁଲୁଥିଲେ । ଜଙ୍ଗଲୀ ଜନ୍ତୁଙ୍କ ସୁରକ୍ଷା ପାଇଁ ବଡବାବୁଙ୍କ ସହ ବାହାରି ଯାଉଥିଲେ । ହେଲେ ଆଜି ନିଜର ଆର୍ଥିକ ସୁରକ୍ଷା ପାଇଁ ଚାକିରି କାଳର ଶେଷ ବେଳକୁ ଧାରଣା ଦେବାକୁ ପଡୁଛି । ଯିଏ ଜଙ୍ଗଲୀ ଜନ୍ତୁଙ୍କୁ ଜଗୁଥିଲା, ଆଜି ତାଙ୍କୁ ଜଣେ ପୋଲିସ୍ ଚୌକି ପକାଇ ଜଗିଛି ।

Advertisment

ନିରଞ୍ଜନଙ୍କ ପତ୍ନୀ ପୁଷ୍ପଲତା ସାମଲ। ସିଏ ବି ସ୍ୱାମୀଙ୍କ ଅନଶନରେ ସାମିଲ ହୋଇଛନ୍ତି। ଜୀବନର ସବୁ ସମୟରେ ଯିଏ ସାହସ ଦେଉଥିଲେ, ଏପରି ସମୟରେ ପାଖରେ ବସିବେନି ତ ଯିବେ କୁଆଡ଼େ । ନିରଞ୍ଜନଙ୍କ ସମସ୍ୟାକୁ ସେ ଅଙ୍ଗେ ନିଭାଇଛନ୍ତି ।

ତେବେ ଏଇଠି ପ୍ରଶ୍ନ ଉଠୁଛି ଜଣେ କର୍ମଚାରୀ ଦୀର୍ଘ ୪୦ ବର୍ଷ ଗୋଟିଏ ସଂସ୍ଥାରେ କାମ କଲା ପରେ ସେ ସଂସ୍ଥା ସହିତ ତାର କେତେ ଅନୁଭବ ଅନୁଭୂତି ଥିବ। ସେ ସଂସ୍ଥାକୁ ତାର ଦ୍ୱିତୀୟ ଘର ବୋଲି ଭାବିଥିବ। ଅବସର ସମୟରେ ଫୁଲତୋଡା ଧରି ବିଦାୟ ନେବ ବୋଲି ଆଶା ବାନ୍ଧିଥିବ। ଘରେ ବସି ମାସକୁ ପେନସନ ଗଣ୍ଡାଏ ପାଇବ ବୋଲି ବିଶ୍ୱାସ ରଖିଥିବ । ହେଲେ କେତେ ବାଧିଲେ ଜଣେ ଗଳାରେ ଗେଣ୍ଡୁମାଳ ପକାଇ ଗାନ୍ଧୀ ମହାତ୍ମାଙ୍କ ଫଟୋ ଥୋଇ ଅନଶନ କରିବ ? ନିରଞ୍ଜନଙ୍କ ଦୁଃଖ ଯଦି ଏ ସରକାର ନବୁଝନ୍ତି ତାହାଲେ ତାଙ୍କ ଅବସର ଜୀବନ କଟିବ କେମିତି ?

(ରିପୋର୍ଟ: ବାସୁଦେବ ଦାସ, ଚାନ୍ଦବାଲି, ଭଦ୍ରକ)

Special Story
Advertisment
Advertisment