/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746541732.jpg)
ଅପଦସ୍ତ ହେଲା ପାକିସ୍ତାନ
ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ପାକିସ୍ତାନକୁ ଘନ ଘନ ଟିଉସନ୍ । ଯାଇଥିଲା, ଭାରତ ବିରୋଧରେ ବିଷ ଓଗାଳିବାକୁ, ହେଲେ ଓଲଟା ନିନ୍ଦିତ ହୋଇଛି ପାକ୍ । ଭାରତ-ପାକିସ୍ତାନ ଅଶାନ୍ତି ବଢୁଥିବା ବେଳେ ପାକିସ୍ତାନ ବାରମ୍ବାର ପରମାଣୁ ଯୁଦ୍ଧର ଧମକ ଦେଉଥିବା ଏବଂ ମିସାଇଲ୍ ଟେଷ୍ଟ କରିଥିବାରୁ ତୀବ୍ର ଭର୍ତ୍ସନା କରାଯାଇଛି । ପହଲଗାମ ଆକ୍ରମଣରେ ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୋଇବାର ସଂପୃକ୍ତି ରହିଛି କି ବୋଲି ପାକିସ୍ତାନକୁ ପ୍ରଶ୍ନ କରିଛନ୍ତି ଜାତିସଂଘ ମହାସଚିବ । ଏପଟେ ଯୁଦ୍ଧ ସ୍ଥିତି ଭିତରେ ଆଜି ଦୁଇଦିନରେ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଏନଏସଏ ଅଜିତ୍ ଡୋଭାଲ
ଜାତିସଂଘ ସୁରକ୍ଷା ପରିଷଦରେ ଅପଦସ୍ତ ପାକିସ୍ତାନ । ଫେଲ୍ ହେଲା ପାକ୍ ଏଜେଣ୍ଡା, ତୀବ୍ର ଭର୍ତ୍ସନା । ନିଜ ଜାଲରେ ଫସିଲା ପାକିସ୍ତାନ । ଜାତିସଂଘ ସୁରକ୍ଷା ପରିଷଦ ବୈଠକ ଡାକି ଭାରତ ଉପରେ ଅନ୍ତର୍ଜାତୀୟ ଚାପ ପକାଇବାକୁ ଚାଲ ଖେଳିଥିବା ପାକିସ୍ତାନ, ସେଠାରୁ କାନ ମୁଣ୍ଡ ଆଉଁସି ଫେରିଛି । ପହଲଗାମ୍ ଆତଙ୍କୀ ଘଟଣାକୁ ଆନ୍ତର୍ଜାତୀକରଣ କରିବାକୁ ଚେଷ୍ଟା କରି ବେଇଜ୍ଜତ ହୋଇଛି ପାକ୍ । ବୈଠକରେ ପାକିସ୍ତାନକୁ ହୋଇଛି ଘନ ଘନ ଟିଉସନ୍ । ପ୍ରାୟ ଦେଢ ଘଣ୍ଟା ଧରି ଚାଲିଥିଲା ଏହି ରୁଦ୍ଧଦ୍ବାର ବୈଠକ ।
ଅଧିକ ପଢ଼ନ୍ତୁ: କାହିଁକି ପାକିସ୍ତାନ ନିଶାନାରେ ଓଡିଶାର ଏହି ୧୨ ସ୍ଥାନ ଜାଣନ୍ତୁ
ପାକିସ୍ତାନ କହିଥିଲା, ଭାରତର ଅଭିଯୋଗ ମିଛ । ଆତଙ୍କୀ ଆକ୍ରମଣ ଆଳରେ ପାକିସ୍ତାନ ଉପରେ ଭାରତ ଆଟାକ୍ କରିବାକୁ ଚାହୁଁଛି । ତେବେ ପାକିସ୍ତାନର ଏଭଳି ଡାହା ମିଛ କଥାକୁ ଗ୍ରହଣ ନକରି ଓଲଟା ସମାଲୋଚନା କରିଛି ଜାତିସଂଘ ସୁରକ୍ଷା ପରିଷଦ । ପାକିସ୍ତାନର ବାରମ୍ବାର ପରମାଣୁ ଯୁଦ୍ଧ ଧମକକୁ ନିନ୍ଦା କରିବା ସହ ଏଭଳି ମନ୍ତବ୍ୟ ଉସୁକାଇବା ଭଳି ପରିସ୍ଥିତି ସୃଷ୍ଟି କରୁଥିବାରୁ ତୀବ୍ର ଭର୍ତ୍ସନା କରିଛି UNSC । ପାକ୍ ପ୍ରତିନିଧିଙ୍କୁ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍ ପ୍ରଶ୍ନ କରିଛନ୍ତି, ପହଲଗାମ ଆକ୍ରମଣରେ ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୋଇବାର ସମ୍ପୃକ୍ତି ରହିଛି କି ? ପାକିସ୍ତାନ ପକ୍ଷରୁ ନିକଟରେ କରାଯାଇଥିବା ବାଲିଷ୍ଟିକ ମିସାଇଲ୍ ପରୀକ୍ଷଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ସଦସ୍ୟ ରାଷ୍ଟ୍ର । ଏପରିକି ଧର୍ମ ପଚାରି ପଚାରି ଆତଙ୍କୀ ହତ୍ୟା କରିବା ଆଦୌ ଗ୍ରହଣୀୟ ନୁହେଁ, ଏଭଳି ଜଘନ୍ୟ କାଣ୍ଡ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ନ୍ୟାୟିକ ପ୍ରକ୍ରିୟାରେ ଦଣ୍ଡ ମିଳିବା ଉଚିତ ବୋଲି ମତ ରଖିଛି ଜାତିସଂଘ ସାଧାରଣ ପରିଷଦ ।
ଏପଟେ ଘନଉଛି ଯୁଦ୍ଧ ଆଶଙ୍କା । ଆଜି ପୁଣି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୪୮ ଘଣ୍ଟା ମଧ୍ୟରେ ଏହା ଉଭୟଙ୍କ ଭିତରେ ଦ୍ବିତୀୟ ବୈଠକ । ବୁଧବାରର ସୁରକ୍ଷା ମକଡ୍ରିଲ ପୂର୍ବରୁ ମୋଦି ଓ ଡୋଭାଲଙ୍କ ମଧ୍ୟରେ ଏହି ଆଲୋଚନା ବେଶ୍ ଗୁରୁତ୍ବ ରଖୁଛି । କାରଣ, ନିର୍ଣ୍ଣାୟକ ଲଢେଇ ହେବ ବୋଲି କହିସାରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରତିରକ୍ଷା ମନ୍ତ୍ରୀ, ସିଡିଏସ୍, ତିନି ସେନା ମୁଖ୍ୟ, ଗୃହମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସହ ଘନ ଘନ ବୈଠକ ପରେ ସେନା ଉପରେ ଛାଡିଛନ୍ତି ନିଷ୍ପତ୍ତି ।
ଏହାରି ଭିତରେ ଆଜି ଜମ୍ମୁ-କଶ୍ମୀର ପୁଂଛ୍ ସେକ୍ଟରରେ ଜଣେ ପାକିସ୍ତାନୀ ନାଗରିକକୁ ଗିରଫ କରାଯାଇଛି । ଏଲଓସି ଅତିକ୍ରମ କରି ଭାରତରେ ପଶିଥିବାରୁ ସେନା ଗିରଫ କରିଛି । ପହଲଗାମ ଆକ୍ରମଣ ପରେ ସୀମାରେ ପାକିସ୍ତାନ ପକ୍ଷରୁ ଲଗାତର ଫାୟାରିଂ ଜାରି ରହିଛି। କୁପୱାରା, ବାରମୁଲ୍ଲା, ପୁଂଛ୍, ରଜୌରୀ, ନୌସେରା ଓ ଅଖନୁର ସେକ୍ଟରରେ ଭାରତ ପୋଷ୍ଟ ଉପରକୁ ଫାୟାରିଂ କରୁଛି ପାକ୍ ସେନା । ଭାରତ ପକ୍ଷରୁ ତା’ର ଜବାବ ଦିଆଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)