/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746547754.jpg)
ଜଗନ୍ନାଥଙ୍କୁ ଏ କି ଅସମ୍ମାନ ?
ବିଶ୍ୱର ଅଗଣିତ ହିନ୍ଦୁଙ୍କ ଭାବନାକୁ ଭୃକ୍ଷେପ ନାହିଁ, କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଚିନ୍ତା ଓ ଚେତନାକୁ ପରୱା ନାହିଁ କି ମହାନ ଜଗନ୍ନାଥ ସଂସ୍କୃତି ପ୍ରତି ସମାନ୍ୟତମ ସମ୍ମାନ ବି ନାହିଁ ବରଂ ନିଜ ଆସ୍ପର୍ଦ୍ଧା, ଅହଙ୍କାର, ଜିଦିରେ ଅଟଳ ରହି ତାଚ୍ଛଲ୍ୟ କରିବାକୁ ପଛାଉ ନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶ୍ରୀକ୍ଷେତ୍ର ପୁରୀ ବ୍ୟତୀତ ବିଶ୍ବର ଆଉ କୌଣସି ସ୍ଥାନ ଜଗନ୍ନାଥ ଧାମ ନୁହେଁ ବୋଲି ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜଙ୍କ ଘୋଷଣା, ଓଡ଼ିଶା ସରକାରଙ୍କ ବିରୋଧ ଏବଂ ସର୍ବୋପରି କୋଟି କୋଟି ଭକ୍ତଙ୍କ ସମ୍ମିଳିତ ସ୍ବର ପରେ ବି ଦୀଘାକୁ ଧାମ କହିବାର ଜିଦିରୁ ବିରତ ହେଉନାହାନ୍ତି ମମତା ।
ପଶ୍ଚିମବଙ୍ଗରେ ଜନସାଧାରଣଙ୍କୁ ସମ୍ବୋଧିତ କରି ଶ୍ରୀମନ୍ଦିର ଦଇତାପତି ନିଯୋଗ ସଂପାଦକଙ୍କ ପାଇଁ ଓକିଲାତି କରିବା ସହ ତାଙ୍କ ବାଡ଼ିରେ ଏକାଧିକ ନିମ୍ବଗଛ ଥିବା କଥା କହି, ଜଗନ୍ନାଥ ସଂସ୍କୃତିର ପରମ୍ପରାକୁ ସର୍ବ ସମ୍ମୁଖରେ ଏମିତି ଗୌଣ କରିବାର ଅପଚେଷ୍ଟା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଖାଲି ସେତିକି ନୁହେଁ, ବହପ ଏମିତି ଯେ ବାତ୍ୟା ସମୟର ମାନବୀୟ ସହାୟତାର ଉଦାହରଣ ଥୋଇ କୋଟି କୋଟି ଓଡ଼ିଆଙ୍କ ପ୍ରତି ହିନମଣ୍ୟ ଟିପ୍ପଣୀ ରଖିବାକୁ ବି ପଛାଇ ନାହାନ୍ତି ।
ଜିଦି ଏତେ ଯେ, ଦୀଘା ଜଗନ୍ନାଥ ମନ୍ଦିର ପରିସରରେ ଜଗନ୍ନାଥଧାମ ନାଁରେ ଯେଉଁ ସବୁ ଅସ୍ଥାୟୀ ସାଇନଏଜ୍ ଲାଗିଥିଲା ସେ ସବୁକୁ ହଟାଇ ସ୍ଥାୟୀ ସାଇନଏଜ୍ ଲଗାଇଛି ମମତା ସରକାର ।
ଅଧିକ ପଢ଼ନ୍ତୁ: ମମତାଙ୍କ ନାଲିଆଖି: ପୁଣି ଲାଗିଲା ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ...
କେବଳ ସେତିକି ନୁହେଁ ମମତା ଚାପରେ ପଡ଼ି ଜଗନ୍ନାଥ ସାଇନେଜ୍ ହଟାଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାକୁ ଗୁଜବ ଆଉ ଭ୍ରମାତ୍ମକ କହି ଗୁଜବକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଧମକ ଦେଇଥିଲା ପୂର୍ବ ମେଦିନାପୁର ପୋଲିସ । ଏସବୁ ଘଟଣା ସାମ୍ନାକୁ ଆସିବା ପରେ ଜଗନ୍ନାଥ ସଂସ୍କୃତି ପ୍ରତି ମମତା ସରକାରଙ୍କର ଏହା ଯେ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର, ସେ କଥା ସ୍ପଷ୍ଟ ହେବାରେ ଲାଗିଛି । ଯାହାର କଡ଼ା ନିନ୍ଦା କରି ଦଳମତ ନିର୍ବିଶେଷରେ ବିରୋଧ କରିଛନ୍ତି ଓଡ଼ିଶାର ଶାସକ ଓ ବିରୋଧୀ ଦଳର ନେତା ।
ଏପଟେ କାଲି ପୁରୀ ଗଜପତି ମହାରାଜାଙ୍କ ପରେ ଉତ୍ତରାଖଣ୍ଡ ବଦ୍ରିନାଥ ପୀଠର ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ବରନନ୍ଦ ସରସ୍ବତୀ ମଧ୍ୟ ଶ୍ରୀକ୍ଷେତ୍ର ପୁରୀ ବ୍ୟତୀତ ଆଉ କାହାକୁ ଜଗନ୍ନାଥ ଧାମ କୁହାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। କହିଛନ୍ତି । ପ୍ରଭୁ ଜଗନ୍ନାଥଙ୍କର କେବଳ ଗୋଟିଏ ଧାମ, ତାହା ପୁରୀ । ଏପଟେ ବିବାଦ ବଢୁଥିବାରୁ ଏଥିରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡି ଚିଠି ଲେଖିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ସୁଦର୍ଶନ ପଟ୍ଟନାୟକ ।
ପଶ୍ଚିମବଙ୍ଗ ସରକାର ନମାନିଲେ ଆଇନଗତ ପଦକ୍ଷେପ ନେବାକୁ ଗତକାଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଚେତାବନୀ ପରେ ବି ମମତାଙ୍କୁ ଏ ଆଭିମୁଖ୍ୟ ଆଗକୁ ଏ ବିବାଦକୁ କେଉଁ ମୋଡ଼ଯାଏଁ ନେଉଛି ଏବେ ତା ଉପରେ ନଜର
ବ୍ୟୁରୋ ରିପୋର୍ଟ, ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)