Advertisment

ଜୁଆର ପାଣିରୁ ପାଚିଲା ଧାନକୁ ରକ୍ଷା କରିବା ପାଇଁ ବନ୍ଧ ବାନ୍ଧିଲେ ଚାଷୀ

ପ୍ରତିବର୍ଷ ପାଚିଲା ଧାନ ନଷ୍ଟର କ୍ଷତି ସହି ଆସୁଥିଲେ ଚାଷୀ। ସମାଧାନ ପାଇଁ ପ୍ରଶାସନ ନିକଟରେ ଗୁହାରି କରୁଥିଲେ ବି କିଛି ବି ହେଲା ନାହିଁ। ଶେଷରେ ଜୁଆର ମାଡରୁ ପାଚିଲା ଧାନକୁ ରକ୍ଷା କରିବା ପାଇଁ ଗାଁଲୋକେ ଏକାଠି ହେଲେ। ନିଜେ ଶ୍ରମଦାନ କରି ବାନ୍ଧିଲେ ଏମିତି ବନ୍ଧ...

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Villagers Build Embankment On Their Own

Villagers Build Embankment On Their Own

ଭଦ୍ରକ(ପାର୍ଥସାରଥୀ ନାୟକ): କିଆରିରେ ହସୁଛି ପାଚିଲା ଧାନ। ମୁଣ୍ଡ ଉପରେ ସୁନାର ଫସଲ। ଯାହାକୁ ନେଇ ଅନେକ ସ୍ୱପ୍ନ ଦେଖୁଛି ଚାଷୀ। ଫସଲ ଅମଳ ହେଲେ, ପରିବାର ଚଳିବ। ଖାଇ ପିଇ ପିଲା ମଣିଷ ହେବେ। ଋଣ ବୋଝ ହଟିବ। ହେଲେ ଅଦିନିଆ ଜୁଆର ସବୁ କିଛିକୁ କରି ଦେଉଛି ଛାରଖାର। ମାଟିରେ ମିଶି ଯାଉଛି, ସ୍ୱପ୍ନ ଆଉ ଫସଲ। ପ୍ରତି ବର୍ଷ ଏମିତି ସମସ୍ୟାରେ ଘାଣ୍ଟି ହେଉଛନ୍ତି ଭଦ୍ରକ ଜିଲ୍ଲା ତିହିଡିର ତଳିଆ ଅଞ୍ଚଳ ଭାବେ ବେଶ ଜଣାଶୁଣା ଗୋବିନ୍ଦପୁର ଅଂଚଳର ଚାଷୀ।

Advertisment

ବୈତରଣୀର ଶାଖା ନଦୀ ଗେଙ୍ଗୁଟି ଓ ସାଳନ୍ଦୀରେ ପ୍ରତି ବର୍ଷ ବନ୍ୟା ଆସି ବହୁ ଚାଷ ଓ ବାସ ନଷ୍ଟ ହେଉଛି। ଏମିତିକି ପୂର୍ଣ୍ଣିମା ଓ ଅମାବାସ୍ୟାରେ ଆସୁଥିବା ଲୁଣା ପାଣିର ଜୁଆର ଚାଷୀଙ୍କ ନିଦ ହଜେଇ ଦେଇଥାଏ। ଫଳରେ ସାନଶେଉଳିଆ, କଉଯୋଡି ବାମନାଳି, ଡେନାଳୀ ଓ ଦାଣ୍ଡଯୋରରେ ପାଣି ପଶି ବାରସର ଓ ଗୋବିନ୍ଦପୁର ପଞ୍ଚାୟତରର ହଜାର ହଜାର ଧାନ ଚାଷ ନଷ୍ଟ କରିଥାଏ। ଦୀର୍ଘ ଦିନର ଏହି ସମସ୍ୟାକୁ ସମାଧାନ କରିଛନ୍ତି ମଧୁପୁର, ହଂସପାଟ ଓ ତଳହଂସପାଟ ଗାଁର ଶତାଧିକ ଚାଷୀ। ୫ ଦିନ ଅକ୍ଳାନ୍ତ ପରିଶ୍ରମ କରି ନିଜ ପାଇଁ ନିଜେ ବନ୍ଧ ବାନ୍ଧିଛନ୍ତି। ଯାହାଦ୍ୱାରା ଆଉ ଜୁଆର ପାଣି ପାଚିଲା ଧାନ କ୍ଷେତରେ ପ୍ରବେଶ କରି ପାରିବ ନାହିଁ।

ପ୍ରତିବର୍ଷ ପାଚିଲା ଧାନ ନଷ୍ଟର କ୍ଷତି ସହି ଆସୁଥିଲେ ଏଠାକାର ଚାଷୀ। ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ନିକଟରେ ଗୁହାରି କରୁଥିଲେ ବି କିଛି ବି ହେଲା ନାହିଁ। ଶେଷରେ ପାଚିଲା ଧାନକୁ ଜୁଆର ମାଡରୁ ରକ୍ଷା କରିବା ପାଇଁ ଗାଁଲୋକେ ଏକାଠି ହୋଇ ନିଜେ ଶ୍ରମଦାନ କରି ୨ଟି ମାଟି ଖୋଳା ମେସିନ୍ ସାହାର୍ଯ୍ୟରେ ବନ୍ଧ ବାନ୍ଧିବାକୁ ସକ୍ଷମ ହୋଇଛନ୍ତି। ଦିନରାତିକୁ ଏକ କରି ପ୍ରତ୍ୟେକ ଘରୁ ଜଣେ ଲେଖାଏ ଆସି ବନ୍ଧ ବାନ୍ଧିଲେ। କାଦୁଇ ବନ୍ଧ ଓ ବାଉଁଶ ବନ୍ଧ ବାନ୍ଧି ନିଜ ଫସଲକୁ ରକ୍ଷା କଲେ। ଧାନ ଅମଳ ପରେ ବର୍ଷା ଆସିବା ପୂର୍ବରୁ ବନ୍ଧକୁ ଭାଙ୍ଗି ଦିଆଯିବ। ଫଳରେ ଜୁଆର ପାଣିରେ ଲୋକମାନେ ଚାଷ କାମ କରି ପାରିବେ।

Advertisment

ପ୍ରତିବର୍ଷ ବନ୍ଧ ବାନ୍ଧିବା ଓ ଭାଙ୍ଗିବା ଚାଷୀଙ୍କ ଚିନ୍ତାକୁ ବଢାଇ ଦେଇଛି। ଯଦି ସ୍ଲୁଇସ୍ ଗେଟ ସହ ମଧୁପୁରରୁ କଉଯୋଡି ଭାୟା ହଂସପାଟ ମଧ୍ୟରେ ରେବ ନଈରେ ଏକ ଆଡି ବନ୍ଧର ବ୍ୟବସ୍ଥା କରାଯାଇ ପାରନ୍ତା ତେବେ ସ୍ଥାୟୀ ସମାଧାନ ହୋଇ ପାରନ୍ତା ବୋଲି ଚାଷୀମାନେ ଦାବି କରିଛନ୍ତି।

ପ୍ରତିବର୍ଷ ପାଣି ଫସଲ ନଷ୍ଟ କରୁଛି। ପ୍ରଶାସନ ପାଖରେ ଗୁହାରି ହେଉଛି। ହେଲେ ଫଳ ଶୂନ। ହେଲେ ଗାଁ ଲୋକଙ୍କ ପରିଶ୍ରମ ପରେ ଶହ ଶହ ଚାଷୀଙ୍କ ହଜାର ହଜାର ହେକ୍ଟର ଫସଲ ରକ୍ଷା ପାଇ ଯାଇଛି। 

Special Story Farmland
Advertisment
Advertisment