• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶର ଭବିଷ୍ୟତ ଛାତ୍ରଛାତ୍ରୀ, ଆଉ ସେମାନଙ୍କ ମୂଳଦୁଆ ହେଉଛି ପ୍ରାଥମିକ ଶିକ୍ଷା । ସେଥିପାଇଁ ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ସରକାର । ପାଠପଖା ପରିବେଶ ଠାରୁ ଆରମ୍ଭ କରି ପିଲାଙ୍କର ସମସ୍ତ ସୁବିଧା ଉପରେ ବିଶେଷ ଧ୍ୟାନ ଦିଆଯାଇ ପିଲାଙ୍କ ଭବିଷ୍ୟତ ଗଢ଼ାଯାଉଛି । ହେଲେ ଶିକ୍ଷା ବ୍ୟବସ୍ଥା କିପରି ଚାଲିଛି ଏହାର ସଠିକ ତଦାରଖ କେହି କରନ୍ତି ନାହିଁ । ବାସୁଦେବପୁର ବ୍ଲକରେ ଏପରି ଦୃଶ୍ୟ ଦେଖିଛନ୍ତି । ବିଦ୍ୟାଳୟର ଶ୍ରେଣୀ ଗୃହ ଦୀର୍ଘଦିନ ଧରି ଅତି ବିପଦସଙ୍କୁଳ ସ୍ଥିତିରେ ଥିବାରୁ ପିଲାମାନେ ବାରଣ୍ଡାରେ ତ କେତେବେଳେ ଗଛମୂଳରେ ବସି ପାଠ ପଢୁଛନ୍ତି ।

ବାସୁଦେବପୁର ବ୍ଲକ ବ୍ରାହ୍ମଣଗାଁ ପଞ୍ଚାୟତ ଭୋଇସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାଳୟଟି ୧୩୭ ବର୍ଷର ପୁରୁଣା । ବିଦ୍ୟାଳୟରେ ଘଗ ଅଭାବରୁ ରୋଷେଇ ଘରେ ଚାଲିଛି ପିଲାଙ୍କ ପାଠପଢା। ଖାଲି ଏତିକି ନୁହେଁ, ବିପଦପୂର୍ଣ୍ଣ ଶ୍ରେଣୀଗୃହ ପାଇଁ ବାରଣ୍ଡାରେ ବସି କୁନି କୁନା ପାଠପଢୁଥିବା ବେଳେ ଗଛମୂଳେ ବସି ପିଲାଙ୍କ ଭବିଷ୍ୟତ ଗଢ଼ିବାକୁ ଉଦ୍ୟମ ଚଳାଇଛନ୍ତି ଶିକ୍ଷକ । ଶିକ୍ଷାଦାନର ଏଭଳି ଦୃଶ୍ୟ ନିଶ୍ଚିତ ଭାବେ ସଭିଙ୍କୁ ଚକିତ କରିବ ।

୧୮୮୫ ମସିହାରେ ସ୍ଥାପିତ ବିଦ୍ୟାଳୟକୁ ୧୩୭ ବର୍ଷ ଛୁଇଁଛି। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୧୦୧ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ୮ ଟି ଶ୍ରେଣୀକୁ ମାତ୍ର ୪ ଜଣ ଶିକ୍ଷକ ପିଲାଙ୍କୁ ପାଠ ପଢାଉଛନ୍ତି। ଶ୍ରେଣୀ ଗୃହ ଅଭାବ ସାଙ୍ଗକୁ ଯାହାବି ଅଛି ତାହା ଅତି ବିପଦ ଜନକ ଅବସ୍ଥାରେ ରହିଛି । ଏଥିପାଇଁ ପିଲାମାନେ ବାଧ୍ୟ ହୋଇ ବିଦ୍ୟାଳୟ ବାରଣ୍ଡାରେ ତ ଆଉ କେତେବେଳେ ଗଛମୂଳେ ବସି ପାଠ ପଢୁଛନ୍ତି ।

ଆଗପଛ ହୋଇ ତିଆରି ହୋଇଥିବା ୭ଟି ଶ୍ରେଣୀ ଗୃହମଧ୍ୟରୁ ୫ ଟି ବିପଦପୂର୍ଣ୍ଣ ହୋଇପଡିଛି । ଘର ଛାତରୁ ପରସ୍ତ ପରସ୍ତ ପ୍ଲାଷ୍ଟର ଖସି ରଡ୍ ଦେଖାଗଲାଣି। ପିଲାଙ୍କ ବସିବା ଉପଯୋଗୀ ହୋଇପାରୁନି । ବାକି ଗୋଟିଏ ଘରେ ବିଦ୍ୟାଳୟର କାର୍ଯ୍ୟାଳୟ ସହ ପିଲାଙ୍କ ପାଠ ପଢା ଚାଲିଛି। ନୂଆକରି ଖୋଲିଥିବା ଅଷ୍ଟମ ପିଲା ରୋଷେଇ ଘରେ ପାଠ ପଢୁଛନ୍ତି । ପ୍ରଥମରୁ ପଞ୍ଚମ ପିଲା ଗଛମୂଳେ ବସି ପାଠ ପଢୁଛନ୍ତି । ବର୍ଷା ଖରା ବର୍ଷ ତମାମ ବିଦ୍ୟାଳୟର ପିଲାମାନେ କେତେବେଳେ ଗଛମୂଳ ତ କେତେବେଳେ ବାରଣ୍ଡାରେ ବସି ପଢୁଛନ୍ତି । ତେବେ ସମସ୍ୟାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ବାରମ୍ବାର ଶିକ୍ଷା ବିଭାଗକୁ ଅବଗତ କରାଇଛନ୍ତି । ହେଲେ କିଛି ସୁଫଳ ମିଳିନି । ତେବେ ଘଟଣାକୁ ନେଇ ଆମେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ, ହେଲେ ତାଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ବିଦ୍ୟାଳୟରେ ଗଢ଼ା ଯାଉଥିବା ଆଗାମୀ ପିଢ଼ିର ଭବିଷ୍ୟତ ମାନଙ୍କୁ ନେଇ ସରକାର ଓ ବିଭାଗ କେତେ ଯତ୍ନବାନ ତାହା ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଛି ।

ବାସୁଦେବପୁରରୁ କିରୀଟି ଦାସ, ଓଟିଭି