• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହେବା ପରେ ସାରା ଓଡ଼ିଶାରେ ଖୁସିର ଲହରୀ । ଓଡ଼ିଶା ପାଇଁ ଗର୍ବ ହୋଇଥିବାରୁ ସମସ୍ତଙ୍କ ମୁହଁରେ ଏବେ ଖାଲି ଦ୍ରୌପଦୀଙ୍କ ଚର୍ଚ୍ଚା । ତେବେ ଏହାରି ଭିତରେ ଦେଶର ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ କଥା ମଧ୍ୟ ଚର୍ଚ୍ଚାକୁ ଆସିଛି । ସେ ହେଉଛନ୍ତି ଦେଶର ଚତୁର୍ଥ ରାଷ୍ଟ୍ରପତି ଭି. ଭି. ଗିରି । ଓଡ଼ିଶାରେ ଜନ୍ମ ନେଇଥିବା ଭି. ଭି. ଗିରି ରାଷ୍ଟ୍ରପତି ଭଳି ଦେଶର ସର୍ବୋଚ୍ଚ ପଦବୀରେ କାର୍ଯ୍ୟ ତୁଲାଇଛନ୍ତି ।

୧୯୮୦ରୁ ତାଙ୍କର ଦେହାବସାନ ହୋଇଥିଲେ ବି ବ୍ରହ୍ମପୁରରେ ତାଙ୍କର ସ୍ମୃତି ରହିଯାଇଛି । ଭି.ଭି ଗିରିଙ୍କ ବାସଭବନରେ ଚାଲିଛି ଗାର୍ଲସ ହାଇସ୍କୁଲ ।  ତାଙ୍କ ନାଁରେ ବ୍ରହ୍ମପୁରରେ ରାସ୍ତା ଓ ମାର୍କେଟକୁ ନାମିତ କରାଯାଇଛି ।

ବ୍ରହ୍ମପୁର ଗିରି ରୋଡରେ ଥିବା ଏକ ଘରେ ୧୮୯୪ ଅଗଷ୍ଟ ୧୦ ତାରିଖରେ ଜନ୍ମ ନେଇଥିଲେ ଭିଭି ଗିରି । ବାପା ଭି.ଭି ଯୋଗେୟା ପାନ୍ତୁଲୁ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ହୋଇଥିଲେ ବି ବ୍ରହ୍ମପୁରରେ ରହି ଓକିଲାତି ସହ ସ୍ୱାଧୀନତା ସଂଗ୍ରାମରେ ସାମିଲ ଥିଲେ । ଆଉ ସେହି ସମୟରେ ଭି.ଭି. ଗିରିଙ୍କ ଜନ୍ମ ହୋଇଥିଲା ।

ବ୍ରହ୍ମପୁର ମାଟିରେ ଜନ୍ମ ଭି.ଭି. ଗିରଙ୍କ ସ୍ମୃତିକୁ ଆଜି ବି ଧରି ରଖିଛି ବ୍ରହ୍ମପୁର ସହର । ଗିରିଙ୍କ ବାସଭବନରେ ଚାଲିଛି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ । ଆଉ ତାଙ୍କରି ନାଁରେ ହୋଇଛି ଗିରି ମାର୍କେଟ । ତାଙ୍କ ବାସଭବନ ଦେଇ ଯାଇଥିବା ରାସ୍ତାର ନାଁ ରହିଛି ଗିରି ରୋଡ୍ । ଭିଭି ଗିରିଙ୍କ ସେହି ଘରର କିଛି ଭଙ୍ଗା କୋଠରୀ ଓ ସିଡ଼ି ଏବେ ବି ଅତୀତର ସ୍ମୃତି ବହନ କରୁଛି । ତେବେ ପୂର୍ବତନ ରାଷ୍ଟ୍ରପତି ଭି.ଭି. ଗିରିଙ୍କ ବାସଭବନରେ ସ୍କୁଲ ଚାଲିଥିବା ବେଳେ ସେଠାରେ ଗୁରୁ ଦାୟିତ୍ୱରେ ରହିଥିବା ପ୍ରଧାନ ଶିକ୍ଷୟିତ୍ରୀ ନିଜକୁ ଗର୍ବିତ ମନେ କରୁଛନ୍ତି । 

ବାଲ୍ୟ ଜୀବନରେ ବ୍ରହ୍ମପୁରରେ ପ୍ରାଥମିକ ଶିକ୍ଷା ଓ ଖଲ୍ଲିକୋଟ କଲେଜରେ ମାଧ୍ୟମିକ ଶିକ୍ଷା ସମାପନ କରିଥିଲେ ଭିଭି ଗିରି । ପ୍ରଥମରୁ ସପ୍ତମ ଯାଏ ବିଜିପୁର ବାପଟିଷ୍ଟ ଚର୍ଚ୍ଚ ସ୍କୁଲରେ ପଢ଼ିଥିଲେ । ପରେ ୧୯୦୫ରୁ ୧୯୦୯ ପର୍ଯ୍ୟନ୍ତ ଖଲିକୋଟ କଲିଜିଏଟ୍ ସ୍କୁଲରେ ଓ ପରେ ୧୯୦୯ରୁ ୧୯୧୨ ପର୍ଯ୍ୟନ୍ତ ଖଲିକୋଟ କଲେଜରେ ପାଠ ପଢ଼ିଥିଲେ । ତାଙ୍କ କଲେଜରୁ ଏଭଳି ଜଣେ ମହାନ ବ୍ୟକ୍ତିତ୍ୱ ଓ ଭାରତର ରାଷ୍ଟ୍ରପତି ପାଠ ପଢ଼ି ବାହାରିଥିବାରୁ ନିଜକୁ ଗର୍ବିତ ମନେ କରୁଛନ୍ତି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ଛାତ୍ର ଓ ପ୍ରାଧ୍ୟାପକ । 

ସଂଗ୍ରାମୀ ପରିବାରରେ ଜନ୍ମ ହୋଇଥିବା ଭିଭି ଗିରି ଜଣେ ଶ୍ରମିକ ନେତା ଥିଲେ । ପରେ ସେ ନେହେରୁଙ୍କ ମନ୍ତ୍ରିମଣ୍ଡଳରେ ଶ୍ରମମନ୍ତ୍ରୀ ହୋଇଥିଲେ । ଆଉ ତା’ପରେ ମହିଶୂରର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇବା ପରେ ଉପରାଷ୍ଟ୍ରପତି ହୋଇଥିଲେ । ତେବେ ୧୯୬୯ ମସିହାରୁ ୧୯୭୪ ମସିହା ପର୍ଯ୍ୟନ୍ତ ବିବାଦୀୟ ସ୍ଥିତିରେ ପ୍ରଥମ ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ଭାରତର ଚତୁର୍ଥ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ରାଷ୍ଟ୍ରପତି ଭାବେ କାର୍ଯ୍ୟକାଳ ପୂରା କରିବା ପରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ଭାରତ ରତ୍ନ ଉପାଧିରେ ଭୂଷିତ କରାଯାଇଥିଲା ।