• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆକାଶରୁ ହେଉଛି ଅଗ୍ନି ବର୍ଷା। ତ୍ରାହି ତ୍ରାହି ଡାକ ଛାଡୁଛନ୍ତି ମଣିଷଠୁ ପଶୁପକ୍ଷୀ। ଆଉ ଏ ଭଳି ସମୟରେ ଦେବଦୂତ ସାଜିଛନ୍ତି ଢେଙ୍କାନାଳର ତିନି ଯୁବତୀ। ସହର ପାଖକୁ ଲାଗି ରହିଥିବା ମେଘା ଜଙ୍ଗଲ, ଚାରିଖୋଲା, ପାଣିଓହଳା ପାହାଡ, ବୋରାପଦା ଜଙ୍ଗଲରେ ମାଟି ପାତ୍ର ରଖି ପାଣି ବ୍ୟବସ୍ଥା କରୁଛନ୍ତି । ଯେପରି ପାଣି ପାଇଁ କୌଣସି ଅସୁବିଧା ନହୁଏ, ସେଥିପ୍ରତି ନଜର ରଖୁଛନ୍ତି ।

ଯେତେବେଳେ ସାରା ରାଜ୍ୟରେ କରୋନା ସଂକ୍ରମଣ ବଢୁଥିଲା, ସରକାରଙ୍କ ନିୟମ ମାନି ଲୋକେମାନେ ଗୃହବନ୍ଦୀ ଅବସ୍ଥାରେ ରହୁଥିଲେ। ସେହି ସମୟରେ ତିନି ଯୁବତୀ ଢେଙ୍କାନାଳ ସହରର ଗରୀବ ଓ ବାସହରାମାନଙ୍କୁ ଖାଦ୍ୟ ପରିସି ଦେଉଥିଲେ । ଏମିତିକି ବୁଲା ଗାଈ-କୁକୁର ଓ ପକ୍ଷୀମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରି ଚର୍ଚ୍ଚାକୁ ଆସିଥିଲେ । ଆଉ ଏବେ ପଶୁପକ୍ଷୀମାନଙ୍କ ଶୋଷ ମେଣ୍ଟାଇବା ପାଇଁ ପାଣି ପାତ୍ର ରଖିବା ପ୍ରୟାସ ଜାରି ରଖିଛନ୍ତି ।

ଟାଣ ଖରାରେ ଘରୁ ପଦାକୁ ବାହାରିବାକୁ ଲୋକମାନେ ଡରୁଛନ୍ତି । ହେଲେ ତିନି ଯୁବତୀ ସୁଶ୍ରୀ, ସୌମ୍ୟା ଓ ଅନନ୍ୟା ସ୍କୁଟିରେ ପାଣି ଓ ମାଟି ପାତ୍ର ଧରି ଘରୁ ଜଙ୍ଗଲ ଅଭିମୁଖେ ବାହାରିଯାନ୍ତି । ପଶୁପକ୍ଷୀଙ୍କ ପାଇଁ ଜଙ୍ଗଲ ସାରା ବୁଲି ବୁଲି ପାଣି ପାତ୍ର ରଖିଥାନ୍ତି । ଖରାଦିନ ଆରମ୍ଭରୁ ଜାରି ରଖିଥିବା ଏଭଳି ମହତ କାମ ବର୍ଷା ଆରମ୍ଭ ପର୍ଯ୍ୟନ୍ତ ଜାରି ରଖିବେ ବୋଲି କହିଛନ୍ତି ।

ଖରାଦିନେ ଜଙ୍ଗଲ ଭିତରକୁ ଯିବାକୁ ଲୋକମାନେ ଡରୁଥିବା ବେଳେ ସୁଶ୍ରୀ, ସୌମ୍ୟା ଓ ଅନନ୍ୟାଙ୍କ ନିଆରା ପ୍ରୟାସକୁ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଅସ୍ତବ୍ୟସ୍ତ ହୋଇ ପଡିଛି ଜନ ଜୀବନ । ତାତି ବଢିବା ସାଙ୍ଗକୁ କୂଅ ପୋଖରୀ ସବୁ ଶୁଖି ଗଲାଣି। ଏତିକି ବେଳେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ପଶୁପକ୍ଷୀ । ଢେଙ୍କାନାଳର ତିନି ଯୁବତୀଙ୍କ ଭଳି ପ୍ରତ୍ୟେକ ମଣିଷ ପଶୁପକ୍ଷୀଙ୍କ ମନର କଥା ବୁଝିବା ଦରକାର।

ଢେଙ୍କାନାଳରୁ ରାଜଶ୍ରୀ ଶତପଥୀଙ୍କ ରିପୋର୍ଟ