• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarojini Sankhua

ଯୋରନ୍ଦା ମେଳା ଢେଙ୍କାନାଳ ଜିଲ୍ଲାର ମହିମା ଗାଦିଠାରେ ପ୍ରତିବର୍ଷ ମାଘ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ମହାସମାରୋହରେ ଅନୁଷ୍ଠିତ ହୁଏ। ମହିମାଗାଦି ଢେଙ୍କାନାଳ ସହରଠାରୁ ମାତ୍ର ଚବିଶ କିଲୋମିଟର ଦୂର ଉତ୍ତର ଦିଗରେ ଅବସ୍ଥିତ। ମାଘ ଶୁକ୍ଳ ଚତୁର୍ଦ୍ଦଶୀର ପାଞ୍ଚଦିନ ପୂର୍ବରୁ ତଥା ଦଶମୀ ଦିନଠାରୁ ମହିମାଗାଦିଠାରେ ସନ୍ନ୍ୟାସୀ ମାନଙ୍କର ସମାବେଶ ମହିମା ମେଳା ଉପଲକ୍ଷେ ହୋଇଥାଏ। ଆସାମ, ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ, ନାଗାଲାଣ୍ଡ, ନେପାଳ, ତୀବ୍ବତ ଭଳି ଦୂରଦୂରାନ୍ତ ସ୍ଥାନରୁ ଆସୁଥିବା ମହିମା ଭକ୍ତମାନେ ସାଧାରଣତଃ ଏକାଦଶୀ ତିଥି ସୁଦ୍ଧା ମହିମାଗାଦି ଠାରେ ଉପସ୍ଥିତ ହୋଇଥାଆନ୍ତି। ବଙ୍ଗଳା, ବିହାର ତଥା ଓଡ଼ିଶାର ମହିମା ଭକ୍ତମାନେ ତ୍ରୟୋଦଶୀ ଦିନ ମଧ୍ୟରେ ମହିମାଗାଦିଠାରେ ଉପସ୍ଥିତ ହୋଇଯାଆନ୍ତି।

ମାହିମା ଗାଦି ମନ୍ଦିର କଣ?

ଯୋରନ୍ଦାର ପ୍ରଧାନ ଆକର୍ଷଣ ହେଉଛି ଗାଦି ମନ୍ଦିର। ଗାଦି ମନ୍ଦିର ୬ ଏକର ଜାଗାରେ ଅବସ୍ଥିତ। ଏହାର ଉଚ୍ଚତା ୨୯ ମିଟର। ମହିମା ଧର୍ମର ପ୍ରବର୍ତ୍ତକ ‘ମହିମା ଗୋସାଇଁ’ଙ୍କ ତିରୋଧାନ ପରେ ଢ଼େଙ୍କାନାଳର ଏକ ଗ୍ରାମରେ ଗୋଟିଏ ଧର୍ମସଭା ହୋଇଥିଲା। ସେହି ସଭାରେ ଗାଦି ମନ୍ଦିର କରାଯିବା ବିଷୟ ସ୍ଥିର କରାଯାଇଥିଲା। ଆଗରୁ ସଂଗୃହୀତ ହୋଇ ରଖାଯାଇଥିବା ୨ ହଜାର ପଥରରେ ପ୍ରଥମେ ଗାଦି ମନ୍ଦିର ତିଆରି କାମ ଆରମ୍ଭ କରାଯାଇଥିଲା।

ଗାଦି ମନ୍ଦିରକୁ କେନ୍ଦ୍ର କରି ଅନେକ କଥା କୁହାଯାଇଥାଏ। ଗାଦି ମନ୍ଦିର ମଧ୍ୟରେ ପ୍ରଥମେ ମହିମା ଗୋସାଇଁଙ୍କ ମାଟିର ସମାଧି ଥିଲା। ନୀଳାଦ୍ରି ବାବାଙ୍କ ଉଦ୍ୟମରେ ମନ୍ଦିର ଓ ବେଢ଼ା ନିର୍ମିତ ହେଲା। ଏହା ୧୯୨୭ ମସିହାରେ ତାଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିଲା। ଏ ମନ୍ଦିର ପ୍ରଥମେ ପାଞ୍ଚହାତ, ତାପରେ ବାରହାତ ଓ ଶେଷରେ ବାଉନହାତର ଏକ ଚାରିକୋଣିଆ ମନ୍ଦିର ଭାବରେ ନିର୍ମିତ ହେଲା। ଗାଦି ମନ୍ଦିରର ଚତୁଃପାର୍ଶ୍ଵରେ ଥାକ ଥାକ ହୋଇ କାରୁକାର୍ଯ୍ୟ କରାଯାଇଛି ଓ ମନ୍ଦିର ଅଗ୍ରଭାଗରେ ଏକ ବିରାଟ ସପ୍ତଫେଣୀ ସର୍ପ ମୁଣ୍ଡଟେକି ରହିଛି। ତାର ଭୂମି ଅଂଶ ପଦ୍ମଫୁଲ ଆକୃତିର। ମନ୍ଦିର ଉପରେ ଓ ଭିତରେ ସର୍ପ ଚିତ୍ର ଥିବାରୁ ମହିମା ଧର୍ମରେ ସର୍ପ ବା ଅନନ୍ତଙ୍କୁ ପ୍ରାଧାନ୍ୟ ଦିଆଯାଇଥିବା ଲକ୍ଷ୍ୟ କରାଯାଏ।

ମେଳାର ପାହାନ୍ତା ପୂର୍ଣ୍ଣମୀ

ତ୍ରୟୋଦଶୀ ଦିନ ପାହାନ୍ତାରେ ପାହାନ୍ତା ଯାତ୍ରା ଆରମ୍ଭ ହୁଏ। ସେହି ପାହାନ୍ତା ମେଳା ପାହାନ୍ତା ପୂର୍ଣ୍ଣମୀ ନାମରେ ପରିଚିତ। ଏ ଉତ୍ସବରେ ବେଢ଼ା ପରିକ୍ରମା କାର୍ଯ୍ୟ ହୋଇଥାଏ। ବକ୍କଳଧାରୀ ମହିମା ସମାଜ ତରଫରୁ ଯେଉଁମାନେ ବକ୍କଳ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାଆନ୍ତି ଓ କୌପିନୀଧାରୀ ମହିମା ସମାଜ ତରଫରୁ ଯେଉଁମାନେ ଆଡବନ୍ଧ ପାଇବା ପାଇଁ ମନୋନୀତ ହୋଇଥାନ୍ତି, ସେମାନେ ସେହି ଦିନ ବକ୍କଳ ଓ ଆଡବନ୍ଧ ପାଇ ସନ୍ନ୍ୟାସୀ ଶ୍ରେଣୀର ଉଚ୍ଚ ପାହାଚ ଲାଭ କରନ୍ତି। ଏ ଉତ୍ସବ ଦେଖିବା ପାଇଁ ସର୍ବସାଧାରଣ ବା ଭକ୍ତବୃନ୍ଦଙ୍କୁ ପ୍ରବେଶ କରାଇ ଦିଆଯାଏ ନାହିଁ। ତ୍ରୟୋଦଶୀ ସନ୍ଧ୍ୟା ସୁଦ୍ଧା ଭଣ୍ଡାର ଘରଠାରୁ ସୁନା ରୂପାର ଆଲଟ ଚାମର, ଛତ୍ରୀ ଗାଦୀ ମନ୍ଦିରକୁ ପଠାଇ ଦିଆଯାଏ। ରାତିରେ ସେସବୁ ବେଢ଼ା ଭିତରେ ଥିବା ସଂରକ୍ଷିତ ସ୍ଥାନରେ ଭକ୍ତମାନେ ଦେଖିବା ପାଇଁ ରଖାଯାଏ।

ଗାଦି ମନ୍ଦିରରେ ଭଜନ

ଚତୁର୍ଦ୍ଦଶୀ ଦିନ ସକାଳଠାରୁ ଘଣ୍ଟ ଘଣ୍ଟା, ଖୋଳ, ତାଳ, ଖଞ୍ଜଣି, ଗିନି, ମୃଦଙ୍ଗ ଦ୍ଵାରା ଭକ୍ତ ଓ ସନ୍ନ୍ୟାସୀମାନେ ଭୀମ ଭୋଇ, ମହୀନ୍ଦ୍ର ବାବା, ଭକ୍ତ ଜୟକୃଷ୍ଣ ଓ ଭକ୍ତ ନାରାୟଣଙ୍କ ରଚିତ ଭଜନ ଗାୟନ ଦ୍ଵାରା ଗାଦି ମନ୍ଦିର ପ୍ରକମ୍ପିତ କରନ୍ତି। ଢୋଲ, ବଡକାଠ, ନାନା ପ୍ରକାର ବାଦ୍ୟଯନ୍ତ୍ର ଦ୍ଵାରା ଗାଦି ମନ୍ଦିରର ବେଢ଼ା ପ୍ରକମ୍ପିତ ହୁଏ। ଭକ୍ତ ଓ ଦର୍ଶକମାନଙ୍କ ଭିଡ ସବୁବେଳେ ଲାଗିରହିଥାଏ। ମନ୍ଦିର ବେଢ଼ାର ପଶ୍ଚିମ ମୁଖଶାଳାଠାରୁ ଗୋଟିଏ ବିରାଟ ଅସ୍ଥାୟୀ ବଜାର ମହିମା ମେଳା ପାଇଁ ବସିଥାଏ। ଏହି ମେଳା ଦଶଦିନ ପର୍ଯ୍ୟନ୍ତ ଚାଲୁ ରହେ।

ଧୁନି ମନ୍ଦିର ଓ ମହିମା ମେଳାର ଆରମ୍ଭ

ମହିମା ଗୋସାଇଁ ଯୋରନ୍ଦାଠାରେ ସ୍ଥାପନ କରିଥିବା ବ୍ରହ୍ମ ଧୁନିକୁ ଅଖଣ୍ଡିତ ଭାବେ ଧରି ରଖ୍ ଏହି ଧୁନି ମନ୍ଦିର ପ୍ରତିଷ୍ଠିତ। ଏଠାରେ କାଠର ଧୁନି ଜଳୁଥାଏ ଓ ଜଗତର ମଙ୍ଗଳ କାମନା କରି ଧୂନିରେ ଘିଅ ଆହୂତି ଦିଆଯାଏ। ଏହି ଧୁନି ପାଇଁ ଘିଅ ଓ କାଠ, ଭକ୍ତ ଓ ସାଧୁମାନେ ଯୋଗାଡ଼ କରିଥାନ୍ତି। କୁହାଯାଏ ୧୮୭୪ ମସିହାରେ ମହିମା ଗୋସାଇଁ ଯୋରନ୍ଦାରେ ଶେଷ ଧୂନି ମନ୍ଦିର ସ୍ଥାପନ କରି ମାଘ ପୂର୍ଣ୍ଣିମା ଦିନ ମହିମା ମେଳାର ଶୁଭାରମ୍ଭ କରିଥିଲେ।

ଭକ୍ତ ଓ ସନ୍ନ୍ୟାସୀଙ୍କ ପାଇଁ ଧର୍ମଶାଳା

ମେଳାର ଚତୁର୍ଦ୍ଦଶୀ ଦିନସାରା ଶହ ଶହ ଗାଡିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଯାତ୍ରୀମାନେ ଆସି ମହିମା ମେଳା ପଡ଼ିଆରେ ରୁଣ୍ଡ ହୁଅନ୍ତି। ଯେଉଁଠି ଆସି ଗାଡି ରହେ ସେଠି ଧୂନି ମନ୍ଦିର ରହିଛି। ପ୍ରତ୍ୟେକ ଅଞ୍ଚଳର ମହିମା ସନ୍ନ୍ୟାସୀ ମାନେ ସେମାନଙ୍କର ଭକ୍ତ, ଶିଷ୍ୟ ଓ ମହିମାପ୍ରେମୀଙ୍କୁ ସାଙ୍ଗରେ ଧରି ଆସି ନିଜ ନିଜ ମଠକୁ ଯାଆନ୍ତି। ସାଙ୍ଗରେ ଆସିଥିବା ଭକ୍ତ ମାନଙ୍କର ରହିବା ଖାଇବା ବ୍ୟବସ୍ଥା କରନ୍ତି। ମହିମା ଗାଦିଠାରେ ପ୍ରାୟ ସବୁ ଅଞ୍ଚଳରେ ଭକ୍ତ ମାନେ ଚାନ୍ଦା ଦେଇ ଧର୍ମଶାଳା ନିର୍ମାଣ କରିଛନ୍ତି ତେଣୁ ସେମାନେ ଆସିଲେ ଏହି ଧର୍ମଶାଳାରେ ଆଶ୍ରୟ ନିଅନ୍ତି। ସ୍ଥାନ ଅଭାବ ଦୃଷ୍ଟିରୁ ହଜାର ହଜାର ଅସ୍ଥାୟୀ ଧର୍ମଶାଳା (ଡାଳ ଛାମୁଡିଆ) ତିଆରି ହେଇଥାଏ। ମେଳାର ଗୋଟେ ମାସ ପୂର୍ବରୁ ଭକ୍ତ ମାନଙ୍କ ପାଇଁ ମହିମା ସମାଜ ତରଫରୁ ହାଣ୍ଡି, ମାଠିଆ, ଚାଉଳ, ଡାଲି, କାଠ, ଖଲି ଇତ୍ୟାଦିର ସମସ୍ତ ବ୍ୟବସ୍ଥା ହୋଇଥାଏ।

ମହିମାଗାଦିରେ ଥିବା ଦର୍ଶନୀୟ ସ୍ଥାନ ଭିତରୁ ଗାଦି ମନ୍ଦିର, ଧୂନି ମନ୍ଦିର, ଶୂନ୍ୟ ମନ୍ଦିର, କୌପିନୀଧାରୀ ମହିମା ସମାଜ ପାଠାଗାର, ଘଣ୍ଟାଘର, ସିଂହଦ୍ଵାର, ପାଟଣା ମଠ, ଚଉମୁହଁ କୂଅ, ନୀତି ମନ୍ଦିର, ଭିକ୍ଷା ଭଣ୍ଡାର, ବତୀ ମନ୍ଦିର ଇତ୍ୟାଦି ପ୍ରଧାନ। ମହିମା ମେଳା ପରେ ସନ୍ନ୍ୟାସୀମାନଙ୍କର ଗୋଷ୍ଠୀ ଉତ୍ସବ ପାଳନ ହୁଏ। ସବୁ ସନ୍ନ୍ୟାସୀମାନେ ଗୋଷ୍ଠୀରେ ଏକାଠି ହୋଇ ସାରିଲା ପରେ ଦେଶ ଭ୍ରମଣ ପାଇଁ ବାହାରି ଯାଆନ୍ତି। ଏହିପରି ଭାବେ ସବୁବର୍ଷ ଯୋରନ୍ଦାରେ ମେଳା ଅନୁଷ୍ଠିତ ହୁଏ। ସବୁ ବର୍ଷ ହଜାର ହଜାର ଲୋକ ଏ ମେଳାରେ ଯୋଗଦାନ କରନ୍ତି।

(ନିବନ୍ଧରେ ପ୍ରଦତ୍ତ ସମସ୍ତ ତଥ୍ୟ ଓ ମତାମତ ଲେଖିକାଙ୍କର ନିଜସ୍ୱ)

ଫୋନ୍- ୭୩୨୫୮୬୮୪୫୫

OTV is now on Whatsapp

Join and get latest news update delivered to you via whatsapp

Join Now