• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ramakanta Samantaray

ଜରାସନ୍ଧର ମୃତ୍ୟୁ ଓ ଅନ୍ୟ ଅନେକ ରାଜ୍ୟ ଜୟ କଲାପରେ ଇନ୍ଦ୍ରପ୍ରସ୍ଥରେ ପାଣ୍ଡବମାନଙ୍କର ରାଜସୂୟ ଯଜ୍ଞର ଆୟୋଜନ ଆରମ୍ଭ ହେଲା । ଯଜ୍ଞକୁ ଋଷି, ରାଜା, ବନ୍ଧୁ ଓ ଆତ୍ମୀୟମାନଙ୍କୁ ନିମନ୍ତ୍ରଣ ଦେଇ ବରଣ କରି ଆଣିବାକୁ ଚାରିଦିଗକୁ ଦୂତ ପ୍ରେରଣ କରାଗଲା । ନକୁଳ ହସ୍ତିନାପୁର ଯାଇ ଭୀଷ୍ମ, ଦ୍ରୋଣ, କୃପାଚାର୍ଯ୍ୟ, ବିଦୁର, ସଞ୍ଜୟ ଓ ଧୃତରାଷ୍ଟ୍ରଙ୍କୁ ନିମନ୍ତ୍ରଣ କଲେ । ଗାନ୍ଧାର ରାଜା ସୁବଳ, ଶକୁନି, ସିନ୍ଧୁ ରାଜ ଜୟଦ୍ରଥ, ପାଞ୍ଚାଳର ରାଜା ଦୃପଦ, ପ୍ରାଗଜ୍ୟୋତିଷ ଦେଶର ରାଜା ଭଗଦତ୍ତଙ୍କ ସହ ହସ୍ତିନାପୁରରୁ ଦୁର୍ଯ୍ୟୋଧନ, ଦୁଃଶାସନ ଓ ସେମାନଙ୍କ ଅନ୍ୟ ଭାଇମାନଙ୍କ ସହ  ଅଶ୍ୱତ୍ଥମା, ଭୂରିଶ୍ରବା, ସୋମଦତ୍ତ ଓ ଅଙ୍ଗ ରାଜା କର୍ଣ୍ଣ, ଆଦି ଅନେକଙ୍କୁ ନିମନ୍ତ୍ରଣ କରାଗଲା । ଭାରତର ପ୍ରତି ଜନପଦ ଓ ପ୍ରାନ୍ତରର ଅଧିପତିଙ୍କ ସହ ଅରଣ୍ୟର ରାଜା ଓ ଦଳପତିମାନଙ୍କୁ ନିମନ୍ତ୍ରଣ କରାଗଲା । ଦ୍ୱାରକାରୁ ଆସି କୃଷ୍ଣ, ବଳରାମ, ଅନିରୁଦ୍ଧ ଓ ଶାମ୍ବ ଆଦି ଆସି ପହଞ୍ଚିଲେ । କାଶ୍ମୀର, ପୌଣ୍ଡ୍ରିକ, ବଙ୍ଗ, କଳିଙ୍ଗ, କୁନ୍ତଳ ଓ ମାଳବ ଆଦି ଦେଶର ରାଜା ଓ ରାଜକୁମାର ମଧ୍ୟ ଆମନ୍ତ୍ରିତ ହୋଇ ଆସିଲେ । 

ସମସ୍ତେ ଆସି ପହଞ୍ଚିଲା ପରେ ସେମାନଙ୍କୁ ଯଥାବିଧି ସମ୍ମାନ ଜଣାଇବାକୁ ଅନେକଙ୍କୁ ସ୍ୱତନ୍ତ୍ର ଭାବରେ ଦାୟିତ୍ୱ ଦିଆଗଲା । ଦୁଃଶାସନଙ୍କୁ ଅତିଥିମାନଙ୍କର ଖାଇବା ପିଇବା କଥା ବୁଝିବାର ଦାୟିତ୍ୱ ଦିଆଗଲା । ସେହିପରି, ବ୍ରାହ୍ଣଣମାନଙ୍କ ଭଲ ମନ୍ଦ ବୁଝିବାକୁ ଅଶ୍ୱତ୍ଥମା ରହିଲେ । ରାଜାମାନଙ୍କ କଥା ବୁଝିବାକୁ ସଞ୍ଜୟଙ୍କୁ କୁହାଗଲା । ଖର୍ଚ୍ଚବାର୍ଚ୍ଚର ଦାୟିତ୍ୱ ବିଦୁର ବୁଝିଲେ । ଦୁର୍ଯ୍ୟୋଧନ ରାଜାମାନଙ୍କୁ ଉପହାର ପତ୍ର ଦେବାର ଦାୟିତ୍ୱ ତୁଲାଇଲେ । ଦ୍ୱାରାକାଧିଶ କୃଷ୍ଣ କହିଲେ ସେ ବ୍ରାହ୍ମଣମାନଙ୍କର ପାଦ ଧୋଇଦେବେ । 

ବ୍ରାହ୍ମଣମାନେ ଯଜ୍ଞ ପାଇଁ ବ୍ରହ୍ମ ମୁହୁର୍ତ୍ତ ନିର୍ଦ୍ଧାରଣ କରି ସାରିଥିଲେ। ଯଜ୍ଞ ଦିନ ସମସ୍ତେ ସେମାନଙ୍କ ଯଥାଯୋଗ୍ୟ ଆସନରେ ବସି ସାରିଲା ପରେ ଯୁଧିଷ୍ଠିରଙ୍କୁ ଭୀଷ୍ମ କହିଲେ ଅତିଥିମାନଙ୍କୁ ଏବେ ଅର୍ଘ୍ୟ ପ୍ରଦାନ କର । ଆଚାର୍ଯ୍ୟ, ଋତ୍ୱିକ, ଶ୍ୱଶୁର, ସମ୍ବନ୍ଧୀ, ସ୍ନାତକ, ସାଙ୍ଗ ଓ ରାଜା ଆଦି ହେଉଛନ୍ତି ଅତିଥି । ଅତିଥିମାନଙ୍କୁ ପ୍ରଥମେ ପୂଜା କରିବାର ବିଧି ରହିଛି । ଯୁଧିଷ୍ଠିର କହିଲେ, ହେ ପିତାମହ ! ଏଠି ତ ଅନେକ ଅତିଥି ଉପସ୍ଥିତ ଅଛନ୍ତି । କେହି କାହାଠାରୁ କମ ନୁହଁନ୍ତି । ତେବେ ଆପଣ କୁହନ୍ତୁ ପ୍ରଥମରେ କାହାଙ୍କୁ ମୁଁ ଯଜ୍ଞ ଅର୍ଘ୍ୟ ଅର୍ପଣ କରିବି? ଯୁଧିଷ୍ଠିରଙ୍କ ପ୍ରଶ୍ନର ଉତ୍ତରରେ ଭୀଷ୍ମ କହିଲେ ଏଠାରେ ଉପସ୍ଥିତ ଥିବା ସମସ୍ତ ଅତିଥି ଏକେ ଆରକୁ ବଳିୟାନ । ତେବେ ମୋ ମତରେ ତେଜ, ଶୌର୍ଯ୍ୟ ଓ ପରାକ୍ରମ ପ୍ରଭୃତି ଦୃଷ୍ଟିରୁ ଦେଖିଲେ ଉପସ୍ଥିତ ଆମ ସମସ୍ତଙ୍କ ମଧ୍ୟରେ ଦେବକୀ ନନ୍ଦନ କୃଷ୍ଣ ହିଁ ଶ୍ରେଷ୍ଠ । ତେଣୁ ତୁମେ ବିନା ଚିନ୍ତାରେ କୃଷ୍ଣଙ୍କୁ ପ୍ରଥମ ଅର୍ଘ୍ୟ ପ୍ରଦାନ କର । 

ଭୀଷ୍ମଙ୍କ କଥା କିନ୍ତୁ ଚେଦୀ ଦେଶର ରାଜା ଶିଶୁପାଳଙ୍କ ମନକୁ ଗଲାନି । ସେ ଭୀଷଣ ଭାବରେ ରାଗିଗଲେ ଓ କହିଲେ, ହେ ଯୁଧିଷ୍ଠିର ଏଠାରେ ପୃଥିବୀର ଅନେକ ଶ୍ରେଷ୍ଠ ନରପତି ଉପସ୍ଥିତ ଅଛନ୍ତି । କିନ୍ତୁ ବାଳକ ପରି ବୁଦ୍ଧିରେ ତୁମେ ଜଣେ ଗଉଡକୁ ପୂଜା କଲଣି । ତୁମର ବୁଦ୍ଧି ଲୋପ ପାଇଗଲାଣି ବୋଧେ । ପ୍ରଥମ ଅର୍ଘ୍ୟ ତ ଜଣେ ରାଜାଙ୍କୁ ଅର୍ପଣ କରାଯିବା କଥା । କୃଷ୍ଣ ରାଜା କେବେ ହେଲେ? ବୟସ ଦୃଷ୍ଟିରୁ ବି ତାଙ୍କ ଠାରୁ ଅନେକ ବୟସ୍କ ଲୋକ ଏଠାରେ ଉପସ୍ଥିତ ଅଛନ୍ତି । ସେଇ କୃଷ୍ଣଙ୍କ ବାପା ବାସୁଦେବ ବି ଏଠାରେ ଅଛନ୍ତି । ବନ୍ଧୁ ଭାବରେ ତୁମେ ତୁମ ଶ୍ୱଶୁର ଦୃପଦଙ୍କୁ ପୂଜା କରିପାରିଥାନ୍ତ । ତୁମ ଗୁରୁ ଆଚାର୍ଯ୍ୟ ଦ୍ରୋଣ ଏଇଠି ବସିଛନ୍ତି, ତାଙ୍କୁ ବି ପୂଜା କରିପାରିଥାନ୍ତ ।

ଋତ୍ୱିକ ଭାବରେ ବ୍ୟାସ ଦେବଙ୍କ ଠାରୁ କ'ଣ କୃଷ୍ଣ ବଡ ହେଇଗଲେ? ଇଚ୍ଛା ମୃତ୍ୟୁର ଅଧିକାରୀ ଭୀଷ୍ମଙ୍କ କଥା ତୁମେ କେମିତି ଭୁଲିଗଲ? ବୀର ଭାବରେ ଦୁର୍ଯ୍ୟୋଧନ, କର୍ଣ୍ଣ, କୃପାଚାର୍ଯ୍ୟ ଓ ଅଶ୍ୱଥାମା ଅଛନ୍ତି  । ଅଥଚ ଜରାସନ୍ଧର ଭୟରେ ମଥୁରା ଛାଡି ଦ୍ୱାରକାରେ ଲୁଚିଥିବା କୃଷ୍ଣକୁ ତୁମେ ଅର୍ଘ୍ୟ ଦେବାକୁ ବାହାରିଲ । କୃଷ୍ଣ ରାଜା ନୁହଁନ୍ତି, ଋତ୍ୱିକ ନୁହଁନ୍ତି କି ଆଚାର୍ଯ୍ୟ ବି ନୁହଁନ୍ତି । ତୁମେ କୃଷ୍ଣଙ୍କ ଯଜ୍ଞର ପ୍ରଥମ ଅର୍ଘ୍ୟ ପ୍ରଦାନ କରି ଅନ୍ୟ ସମସ୍ତଙ୍କୁ ଅପମାନିତ କରିଛ । ତୁମେ ବୁଢା ହୋଇ ଯାଇଥିବା ଭୀଷ୍ମଙ୍କ କଥା ଶୁଣିଲ । ବାର୍ଦ୍ଧକ୍ୟ ପାଇଁ ତାଙ୍କର ମୁଣ୍ଡ ଆଉ କାମ କରୁନି । ଧର୍ମର ସୂକ୍ଷ୍ମ କଥା ତାଙ୍କ ମୁଣ୍ଡରେ ଆଉ ପଶୁନି । 

ମହାଭାରତ କଥାମହାଭାରତ କଥା

ଯୁଧିଷ୍ଠିରଙ୍କୁ ଗାଳି କଲାପରେ ବି ଶିଶୁପାଳଙ୍କ କ୍ରୋଧ ପ୍ରଶମିତ ହୋଇନଥାଏ। ସେ ଏଥର ସିଧା  କୃଷ୍ଣଙ୍କୁ କଟୁ କଥା କହିବା ଆରମ୍ଭ କରିଦେଲେ । କହିଲେ, ପାଣ୍ଡବମାନଙ୍କର ମତିଭ୍ରମରୁ ସେମାନେ ତୁମକୁ ପୂଜା କରୁଛନ୍ତି । କିନ୍ତୁ ତୁମେ କୋଉ ବିବେକରେ ପ୍ରଥମ ଅର୍ଘ୍ୟ ଗ୍ରହଣ କଲ? ନିଜକୁ କୋଉ ପଟରୁ ଯୋଗ୍ୟ ଭାବିଲ? ଅଯୋଗ୍ୟ କୁକୁର ଯଜ୍ଞ ଘିଅ ଖାଇ ଯେମିତି ତୃପ୍ତ ଦେଖାଯାଏ ତମେ ସେମିତି ତୃପ୍ତ ଦିଶୁଛ । ତୁମକୁ ସମ୍ନାନ ଦେବା ମୋତେ ନପୁଂସକର ବିବାହ ଓ ଅନ୍ଧ ଲୋକର ରୂପ ଦର୍ଶନ ପରି ପ୍ରତେ ହେଉଛି । 

ଏମିତି କହି ତାଙ୍କୁ ସମର୍ଥନ କରୁଥିବା ଅନ୍ୟ ରାଜାମାନଙ୍କୁ ଧରି ଶିଶୁପାଳ ଯଜ୍ଞସ୍ଥଳରୁ ବାହାରିଯିବା ବେଳକୁ ଯୁଧିଷ୍ଠିର ଅତି ନମ୍ର ଭାବରେ ତାଙ୍କୁ ବୁଝେଇବାକୁ ଚେଷ୍ଟା କଲେ । କହିଲେ, ପିତାମହ ଭୀଷ୍ମ ଓ କୃଷ୍ଣଙ୍କ ଉଦ୍ଦେଶ୍ୟରେ ଏପରି କଡା କଥା କହିବା ସୁନ୍ଦର ହେଉନି । ଏଠି ତୁମ ଛଡା ଆହୁରି ଅନେକ ବୀର ବିଜ୍ଞ ବ୍ୟକ୍ତିମାନେ ବସିଛନ୍ତି । ସେମାନେ କୃଷ୍ଣ ଓ ଭୀଷ୍ମ ଉଭୟଙ୍କୁ ସମ୍ମାନ କରନ୍ତି । ତୁମର ଏପରି ବ୍ୟବହାର ଏ ସ୍ଥାନରେ ଶୋଭା ପାଉନି । 

ଭୀଷ୍ମ କହିଲେ, ହେ ଯୁଧିଷ୍ଠିର! ତୁମର କୌଣସି କଥା ଶିଶୁପାଳ ବୁଝିପାରିବନି । ତାକୁ ବୁଝାଇବା ବୃଥା । ସେ ଜାଣେନି କୃଷ୍ଣ କିଏ। ତା' ଛଡା ଏ ସଭାରେ କୃଷ୍ଣଙ୍କ ବିରୁଦ୍ଧରେ କେହି ଜଣେ ବି ଯିବ ନାହିଁ। ମୁଁ କୃଷ୍ଣ କିଏ ଜାଣେ । ବୀରତ୍ୱ, ଶାସ୍ତ୍ର, ଜ୍ଞାନ, ବୁଦ୍ଧି, ନମ୍ରତା, ଧୈର୍ଯ୍ୟ, ଚତୁରତା ଆଦି ସବୁ ଗୁଣ ତାଙ୍କ ପାଖରେ ଅଛି। ତାଙ୍କୁ ପ୍ରଥମ ଅର୍ଘ୍ୟ ଦେଇ କିଛି ଭୁଲ କରିନ। ଏବେ ଶିଶୁପାଳ ଯାହା ଚାହୁଛି ତାକୁ କରିବାକୁ ଛାଡିଦିଅ । 

ଭୀଷ୍ମଙ୍କ କଥା ଶୁଣି ଶିଶୁପାଳ ଆହୁରି ରାଗିଗଲେ । ସେ ଆହୁରି ଖରାପ କରି ଭୀଷ୍ମଙ୍କୁ ଗାଳି କରିବାକୁ ଲାଗିଲେ । କହିଲେ, କୃଷ୍ଣ କୋଉ ପଟରୁ ବୀର ମୁଁ ଟିକେ ଶୁଣେ । ପୁତନା ବୋଲି ସ୍ତ୍ରୀ ଲୋକକୁ ମାରି କିଏ ବୀର ହେଲାଣି? ଗୋଟେ ବଗକୁ ମାରି କ'ଣ ନା ବକାଶୁର ବଦ୍ଧ, ଗୋଟେ ଷଣ୍ଢକୁ ମାରି ଷଣ୍ଢାସୁର ବଦ୍ଧ, ଗୋଟେ ଶଗଡକୁ ଭାଙ୍ଗି ଶକଟାସୁର ବଦ୍ଧ କରିଛି ବୋଲି କହି ବୁଲୁଥିବା ଗଉଡକୁ ତମେ ସବୁ ବୀର ବୋଲି କହୁଛ? ନିଜ ମାମୁଁକୁ ମାରିଛି ସେ । କପଟ କରି ବୀର ଜରାସନ୍ଧକୁ ବି ମାରିଛି । ତାପରେ ତମ ପାଣ୍ଡବ ଭାଇମାନଙ୍କର କୋଉ ବାପ ଠିକ ଅଛି କି? ଗୋଟେ ସ୍ତ୍ରୀକୁ ପାଞ୍ଚ ଭାଇ ପୁଣି ବାହା ହେଇଛ । କୃଷ୍ଣ ପରି ଲୋକ ତମ ପରିବାର ପାଇଁ ଉପଯୁକ୍ତ ବନ୍ଧୁ । ତମେ ତମର କୋଳା କୋଳି ହୁଅ ଆମେ ଆମ ବାଟରେ ଚାଲିଲୁ । 

ଶିଶୁପାଳଙ୍କ କଥା ଶୁଣି ତାଙ୍କୁ ମାରିବାକୁ ଭୀମ ଝପଟି ଯାଉଥିଲେ। ଭୀଷ୍ମ ଭୀମଙ୍କୁ ଆକଟ କରି କହିଲେ ଶିଶୁପାଳର ଶେଷ ସମୟ ଆସିଗଲାଣି । ସେ କାହା ହାତରେ ମରିବ ସେ କଥା ମୁଁ ଜାଣିଛି । ତାପରେ ଭୀଷ୍ମ ଶିଶୁପାଳର ଅସଲ ପରିଚୟ ଦେବାକୁ ଯାଇ କହିଲେ ଏଇ ଶିଶୁପାଳ ଯେବେ ଜନ୍ମ ହେଇଥିଲା ତା'ର ତିନୋଟି ଆଖି ଆଉ ଚାରୋଟି ହାତ ଥିଲା । ସମସ୍ତେ ଏମିତି ରୂପ ଦେଖି ଡରିଗଲେ । କିନ୍ତୁ ହଠାତ୍ ଆକାଶ ବାଣୀ ହେଲା ଯେ ଏ ପିଲା ଜଣେ ପରାକ୍ରମୀ ଓ ଅପରାଜେୟ ରାଜା ହେବ । କିନ୍ତୁ ଯାହା କୋଳରେ ଏ ପିଲାର ଅଧିକ ଦୁଇ ହାତ ଓ ଗୋଟେ ଆଖି ଉଭାନ ହେଇଯିବ ତାଆରି ହାତରେ ହିଁ ଏ ମରିବ । 

ଏ କଥା ଶୁଣି ଅନେକ ରାଜା ପିଲାକୁ ଦେଖିବାକୁ ଆସିଲେ । ପିଲାକୁ ସମସ୍ତଙ୍କ କୋଳକୁ ଦିଆଗଲା । କିନ୍ତୁ କିଛି ବି ପରିବର୍ତ୍ତନ ହେଲାନି । ଶିଶୁପାଳର ମାଆ ହେଉଛନ୍ତି କୃଷ୍ଣ ବଳରାମଙ୍କ ପିଉସୀ । ଦିନେ କୃଷ୍ଣ ବଳରାମ ପିଉସୀ ଘରକୁ ଯାଇଥାନ୍ତି ଓ ଶିଶୁପାଳକୁ ଆଣି ଯେତେବେଳେ କୃଷ୍ଣଙ୍କ କୋଳକୁ ଦିଆଗଲା ହଠାତ ତା'ର ଅଧିକ ହାତ ଓ ଆଖି ଉଭାନ ହେଇଗଲା । ପିଉସି ଜାଣିଗଲେ ତାଙ୍କ ପୁଅ କୃଷ୍ଣଙ୍କ ହାତରେ ମରିବ । ସେଥିପାଇଁ ଶିଶୁପାଳର ମା କୃଷ୍ଣଙ୍କୁ କହିଲେ ବାପରେ କଥା ଦେ ତୁ ଶିଶୁପାଳର ସବୁ ଦୋଷ କ୍ଷମା କରିଦେବୁ । ତାକୁ ମାରିବୁନି । କୃଷ୍ଣ ହଁ ମାରି କହିଲେ ମୁଁ ତା'ର ଶହେ ଦୋଷକୁ କ୍ଷମା କରିଦେବି । ବଡ ବଡ କଥା କହି କୃଷ୍ଣଙ୍କୁ ଅପମାନ କରୁଥିବା ଶିଶୁପାଳ ପ୍ରକୃତରେ କୃଷ୍ଣଙ୍କ ଦୟାରେ ବଞ୍ଚିଛି । 

ଭୀଷ୍ମଙ୍କ କଥା ଶୁଣି ଶିଶୁପାଳ ପାଗଳ ପରି ରାଗିଗଲେ । ହିତାହତ ଜ୍ଞାନ ଶୂନ୍ୟ ହେଇ ପାଟିରେ ଯାହା ପଶିଲା ତାହା କହିବାକୁ ଲାଗିଲେ । ଶିଶୁପାଳଙ୍କ ପ୍ରଳାପ ଶୁଣି ଭୀଷ୍ମ କହିଲେ, ହେ ଶିଶୁପାଳ ତୁମେ ଯଦି ସତରେ ଏତେ ବୀର ତେବେ କୃଷ୍ଣଙ୍କ ସହ ସିଧା ଯୁଦ୍ଧ କାହିଁ କରୁନ? ଶିଶୁପାଳ ଏଥର ସିଧା ଯୁଦ୍ଧ ପାଇଁ କୃଷ୍ଣଙ୍କୁ ଆହ୍ୱାନ କରି କହିଲେ ଆସ ମୋ ସହ ଯୁଦ୍ଧ କର । ତୁମକୁ ହତ୍ୟା କଲାପରେ ଏ ପାଣ୍ଡବମାନଙ୍କ କଥା ବୁଝିବି । 

ଶିଶୁପାଳ କଥା ଶୁଣି କୃଷ୍ଣ ତାଙ୍କର ଚିର ରହସ୍ୟମୟ ସ୍ମିତ ହସ ଖଣ୍ଡେ ଖେଳାଇ କହିଲେ, ହେ ଶିଶୁପାଳ ମୁଁ ତୁମ ମାଆଙ୍କୁ ତୁମର ଦୋଷ କ୍ଷମା କରିବି ବୋଲି କଥା ଦେଇଥିଲି  । ସେଇଥିପାଇଁ ତୁମେ ଏଠି ଛିଡାହେଇ କଥା କହୁଛ । ମୁଁ କିମ୍ବା ଆମ ଯାଦବମାନେ ତୁମର କୌଣସି କ୍ଷତି କେଵେ କରିନୁ । ତୁମେ ଆମ ଅନୁପସ୍ଥିତରେ ଦ୍ୱାରକାରେ ନିଆଁ ଲଗେଇଛ । ରୈବତକ ପର୍ବତରୁ ଆମ ଅନୁଚରଙ୍କୁ ଅକାରଣରେ ବାନ୍ଧି ନେଇଛ । ମୋ ବାପାଙ୍କ ଅଶ୍ୱମେଧ ଯଜ୍ଞରୁ ଯଜ୍ଞ ଅଶ୍ୱ ଚୋରି କରିଛ । ଆହୁରି ଅନେକ ଅପକର୍ମ କରିଛ । ତୁମର ଶହେ ଦୋଷ ମୁଁ କ୍ଷମା କରିସାରିଛି । ଆଉ ନୁହେଁ । କୃଷ୍ଣ  ଏତିକି କହି ସୁଦର୍ଶନ ଚକ୍ରକୁ ସ୍ମରଣ କଲେ ଓ ଚକ୍ର ନିମିଷକ ଭିତରେ ଶିଶୁପାଳର ମୁଣ୍ଡକୁ ଦେହରୁ କାଟି ଅଲଗା କରିଦେଲା । 

ଆଉ କାହାର କିଛି କହିବାର ନଥିଲା । ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞ ନିର୍ବିଘ୍ନରେ ଶେଷ ହେଲା । ଯଜ୍ଞ ଶେଷରେ ଉପସ୍ଥିତ ରାଜାମାନେ ଯୁଧିଷ୍ଠିରଙ୍କୁ ସମ୍ରାଟ ଭାବରେ ସ୍ୱୀକାର କଲେ । ଅତିଥିଭାବରେ ଆସିଥିବା ରାଜାମାନଙ୍କୁ ଉପଯୁକ୍ତ ସମ୍ମାନ ସହ ବିଦାୟ ଦିଆଗଲା । କେହି କେହି ଇନ୍ଦ୍ରପ୍ରସ୍ଥରେ ଆଉ କିଛି ଦିନ ଅଟକି ଗଲେ । ସେମାନଙ୍କ ଭିତରେ ଦୁର୍ଯ୍ୟୋଧନ ଓ ଶକୁନି ଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now