• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

କିଟ୍ କାଣ୍ଡକୁ ନେଇ ତାତି ଥମିବାର ନାଁ ନେଉନି । କ୍ୟାମ୍ପସରୁ ବିଧାନସଭା , ଓଡ଼ିଶାରୁ ନେପାଳ । ସବୁଠି ଅସନ୍ତୋଷ, ସବୁଠି ବିରୋଧ । ଏପରିକି କିଟ୍ ମୁଖ୍ୟ ତଥା ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ଗିରଫଦାରି ଦାବି କରିଛନ୍ତି ବିଭିନ୍ନ ଛାତ୍ର ସଂଗଠନ । କିନ୍ତୁ ଅଚ୍ୟୁତ ଏହି ପ୍ରସଙ୍ଗରେ ଏଯାଏଁ ମୁହଁ ଖୋଲିବାକୁ ନାରାଜ ।

ଏହାରି ଭିତରେ ଦୋଷୀକୁ ଦଣ୍ଡ ନେଇ ରାଜନୈତିକ ବୟାନବାଜି ଚାଲୁଥିବା ବେଳେ ଆଜି ନେପାଳୀ କାଉନସେଲରଙ୍କ ସହ କଥା ହୋଇ ମୃତ ଛାତ୍ରୀଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କିଟ୍ କାଣ୍ଡକୁ ନେଇ ଲଗାତାର ତୃତୀୟ ଦିନ ଲାଗି ଉତ୍ତେଜନା ଦେଖିବାକୁ ମିଳିଛି ।  କିଟ୍‌ କ୍ୟାମ୍ପସରୁ କାଠମାଣ୍ଡୁ, ଓଡ଼ିଶାରୁ ନେପାଳ , ସବୁଠି ଅସନ୍ତୋଷ,ଉଦବେଗ,ହଲ୍ଲାବୋଲ୍ ।

କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କୁଶପୁତ୍ତଳିକା ପୋଡ଼ି, ଗିରଫ ଦାବି । କିଟ୍ ୟୁନିଭର୍ସିଟି ଫାଟକ ସାମ୍ନାରେ ନେପାଳ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦାବିରେ ଗର୍ଜୁଛନ୍ତି ଭିନ୍ନ ଭିନ୍ନ ସଂଗଠନ । ତଥାପି ନିରବ କିଟ୍ ମୁଖ୍ୟ ତଥା ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ । ଗତ ରାତିରୁ ଆଜି ସକାଳ ଯାଏଁ ଧାରଣା ଦେଇଥିଲା ନବ ନିର୍ମାଣ ଛାତ୍ର ସଂଗଠନ । ସେମାନଙ୍କ ସହ ଆଲୋଚନା ପାଇଁ ପହଞ୍ଚିଥିଲେ ଅଚ୍ୟୁତ। କିନ୍ତୁ ମିଡିଆ ପ୍ରଶ୍ନକୁ ସାମ୍ନା ନକରି ମୁହଁ ଆଡ଼େଇ ଚାଲି ଯାଇଥିଲେ ।

ଅନ୍ୟପଟେ କିଟ୍ ବିରୋଧରେ ବଢ଼ିଚାଲିଛି ବିଭିନ୍ନ ସଂଗଠନର ଆନ୍ଦୋଳନ । ନ୍ୟାୟ ଦାବିରେ ଗତକାଲି ଦିନତମାମ ଧାରଣା ସହ ସଂଧ୍ୟାରେ ବିଦେଶୀ ଛାତ୍ରଛାତ୍ରୀ କ୍ୟାଣ୍ଡେଲ୍ ରାଲି କରିଥିଲେ । ଆଜି ବି ବିଭିନ୍ନ ସଂଗଠନ କିଟ୍ ଗେଟ୍ ଆଗରେ ଧାରଣା ଦେଇଛନ୍ତି । କେବଳ କ୍ୟାମ୍ପସ ନୁହେଁ, ଲୋୟର ପିଏମଜିରେ ଅଚ୍ୟୁତ ସାମନ୍ତଙ୍କ କୁଶ ପୁତ୍ତଳିକା ଦାହ କରି ବିକ୍ଷୋଭ ପ୍ରଦର୍ଶନ କରିଛି ଏବିଭିପି । ଅଚ୍ୟୁତଙ୍କ ଗିରଫଦାରି ଦାବି କରିଛି ଏବିଭିପି । ତେବେ ଆନ୍ଦୋଳନ ସମୟରେ ପୋଲିସ୍ ସହ ମୁହାଁମୁହିଁ ହୋଇଥିଲେ ସଂଗଠନର ସଦସ୍ୟ ।

ଅଧିକ ପଢନ୍ତୁ: ସୁଭଦ୍ରା ଯୋଜନାରୁ ଡିଜିପି ସମ୍ମିଳନୀ, ମନେରହିବ ଏହି ସବୁ ଘଟଣା

କିଟ୍ ମୁଖ୍ୟ ସିନା ପ୍ରସଙ୍ଗକୁ ନେଇ ମୁହଁ ଖୋଲୁନାହାନ୍ତି । କିନ୍ତୁ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଥିବା ନୂଆ ନୂଆ ଭିଡ଼ିଓ କିଟ୍ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତାକୁ ନେଇ ପ୍ରଶ୍ନ ଉଠାଉଛି । କିଟ୍ କ୍ୟାମ୍ପସ-୬, କୁଇନ୍ସ ହଷ୍ଟେଲର ୧୮ ନମ୍ବର ରୁମରେ ସଂପୃକ୍ତ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଜାଣିବା ପରେ କର୍ମଚାରୀମାନେ କବାଟ ଭାଙ୍ଗି ପଶିବାର ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି ଅପମୃତ୍ୟୁ ଘଟଣାରେ ପୋଲିସ୍ ବଦଳରେ ନିଜେ ନିଜେ ମାମଲତି ଦେଖାଇ ମୃତଦେହକୁ ଉଦ୍ଧାର କରିଛନ୍ତି ।

ଏଭଳି କରିବାକୁ କିଏ ଏମାନଙ୍କୁ ଦେଲା ଅନୁମତି ? ପୋଲିସ ବଦଳରେ ମୃତଦେହକୁ ଉଦ୍ଧାର ପାଇଁ କାହିଁକି ଏତେ ବ୍ୟଗ୍ର କିଟ୍ କର୍ମଚାରୀ ? ଏଭଳି ନାନା ପ୍ରଶ୍ନ ଏବଂ ସନ୍ଦେହ ଭିତରେ ଓଟିଭି ଫୋରସାଇଟରେ ବି ଉଠିଛି ‘କିଟ୍’ ପ୍ରସଙ୍ଗ । ରାଜ୍ୟ ସରକାର କାହିଁକି ଆକ୍ସନ ନେଉନାହାନ୍ତି ବୋଲି ଆଇନ ମନ୍ତ୍ରୀଙ୍କୁ ପ୍ରଶ୍ନ ହୋଇଥିଲା । ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଉଚ୍ଚସ୍ତରୀୟ କମିଟି ଗଠନ କରି ତଦନ୍ତ ଚାଲିଛି । ଯିଏ ବି ଦୋଷୀ ହେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅପରପକ୍ଷେ ଦୁଇ ନେପାଳୀ କାଉନସେଲର ସଞ୍ଜୀବ ଦାସ ଶର୍ମା ଏବଂ ନବୀନରାଜ ଅଧିକାରୀଙ୍କ ସହ ଫୋନ୍ ଦ୍ୱାରା କଥା ହୋଇ ନ୍ୟାୟ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହ ମୁଖ୍ୟମନ୍ତ୍ରୀ କ୍ୟାମ୍ପସକୁ ଫେରିବାକୁ ନେପାଳି ଛାତ୍ରଛାତ୍ରୀଙ୍କୁ ଅପିଲ୍ କରିଛନ୍ତି । ସେହିପରି ରାଜ୍ୟ ଅତିଥି ଭବନରେ ନେପାଳୀ ଅଧିକାରୀଙ୍କ ସହ ଏହି ପ୍ରସଙ୍ଗରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସୂର୍ଯ୍ୟବଂଶୀ ସୂରଜ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଲୋଚନା କରିଛନ୍ତି । ସେହିପରି ନେପାଳର ବୈଦେଶିକ ମନ୍ତ୍ରୀ ମଧ୍ୟ ସୂର୍ଯ୍ୟବଂଶୀଙ୍କ ସହ ଫୋନରେ କଥା ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: କିଟ୍‌ ପ୍ରତିଷ୍ଠାତା ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ କଳା ସାମ୍ରାଜ୍ୟ

OTV is now on Whatsapp

Join and get latest news update delivered to you via whatsapp

Join Now