• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ଠିକ୍ ।

  • ଅସ୍ରଫ୍‌ ଘାନି ଦେଶ ଛାଡ଼ିବାରୁ ଏଭଳି ପରିସ୍ଥିତି ।

ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ଠିକ୍ । ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆଫଗାନିସ୍ତାନ ଉପରେ ଆତଙ୍କବାଦୀ ସଂଗଠନର ତାଲିବାନର କବ୍‌ଜା ଓ କାବୁଲରୁ ଆସୁଥିବା ଭୟଙ୍କର ବିଶୃଙ୍ଖଳା । ଏହି ଚିତ୍ରକୁ ନେଇ ବିଶ୍ୱବ୍ୟାପୀ ଉଦ୍‌ବେଗ ପ୍ରକାଶ ପାଇବା ସହ ବାଇଡେନଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିବା ପରେ ନିଜ ପକ୍ଷ ସ୍ପଷ୍ଟ କରିଛନ୍ତି ବାଇଡେନ୍ ।

୨୦୦୧ ସେପ୍ଟେମ୍ବର ୧୧ ଆକ୍ରମଣକାରୀଙ୍କୁ ଦଣ୍ଡଦେବା ଉଦ୍ଦେଶ୍ୟରେ ଆମେରିକା ଆଫଗାନିସ୍ତାନ ଯାଇଥିଲା । ଆମେରିକା ଉପରେ ଆକ୍ରମଣ ଲାଗି ଅଲକାଏଦା ଯେଭଳି ଆଫଗାନିସ୍ତାନ ମାଟିକୁ ବ୍ୟବହାର କରିନପାରିବ ସେଇ ଉଦ୍ଦେଶ୍ୟରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ତେବେ ଆଫଗାନିସ୍ତାନ ରାଷ୍ଟ୍ର ଗଠନ ଆମେରିକାର ଉଦ୍ଦେଶ୍ୟ ନଥିଲା ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ରାଷ୍ଟ୍ରପତି ଅସ୍ରଫ୍ ଘାନି ଓ ଆଫଗାନିସ୍ତାନ ସେନା ଦେଶବାସୀଙ୍କୁ ସୁରକ୍ଷା ଦେବାରେ ବିଫଳ ହେଲେ ବୋଲି କହିଛନ୍ତି ବାଇଡେନ୍ ।

୩ଲକ୍ଷ ସୈନ୍ୟ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଆମେରିକା ବାୟୁସେନାର ସହଯୋଗ ତା ସହିତ ଆର୍ଥିକ ସହାୟତା । ଆମେରିକାର ସବୁ ଚେଷ୍ଟାସତ୍ତ୍ୱେ ଆଫଗାନିସ୍ତାନ ସେନା ତାଲିବାନ ସହ ଲଢିବାକୁ ସମର୍ଥ ହେଲାନି ବୋଲି କହିଛନ୍ତି ବାଇଡେନ୍ । ତେଣୁ ଆମେରିକୀୟ ସୈନ୍ୟ ଯେତେ ଦିନ ସେଠାରେ ରହିଥିଲେ ବି କୌଣସି ଲାଭ ହୋଇନଥାନ୍ତା ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି ।

ସେପଟେ ରାଷ୍ଟ୍ରପତି ଅସ୍ରଫ୍ ଘାନି ଦେଶ ଛାଡିବା, ତାଲିବାନ ସହ ଚାଲିଥିବା ଶାନ୍ତି ଆଲୋଚନାକୁ ଭଣ୍ଡୁର କରିଦେଲା ବୋଲି କୁହାଯାଉଛି । ରକ୍ତପାତ ରୋକିବାକୁ ସେ ଦେଶ ଛାଡିଥିବା କହିଥିଲେ ମଧ୍ୟ ତାଙ୍କ ନିଷ୍ପତ୍ତି ଆମେରିକା ସମେତ ଅନ୍ୟ ସହଯୋଗୀ ରାଷ୍ଟ୍ରଙ୍କୁ ଚକିତ କରିଛି । କାରଣ ଦୋହାରେ ଚାଲିଥିବା ଆଲୋଚନା ବେଳେ ତାଲିବାନ ସହ କ୍ଷମତା ଭାଗବଣ୍ଟା ନେଇ ସହମତି ହୋଇଯିବାର ଯଥେଷ୍ଟ ସମ୍ଭାବନା ଥିଲା ।

ସୂଚନା ଅନୁସାରେ ରାଷ୍ଟ୍ରପତି ଘାନି ଇସ୍ତଫା ଦେଇଥାନ୍ତେ ଓ ପୂର୍ବତନ ରାଷ୍ଟ୍ରପତି ହମିଦ୍ କାର୍ଜାଇ ଏବଂ ଅନ୍ୟ କିଛି ବରିଷ୍ଟ ନେତାଙ୍କ ମଧ୍ୟସ୍ଥତାରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ଲାଗି ଉଦ୍ୟମ ହୋଇଥାନ୍ତା । ଏହାଦ୍ୱାରା ଅସ୍ତ୍ରବିରତି ଲାଗୁ ସହ ସ୍ଥିତି ନିୟନ୍ତ୍ରଣକୁ ଆସିଥାନ୍ତା । ମାତ୍ର ଘାନିଙ୍କ ପଦକ୍ଷେପ ଆମେରିକା ଓ ତାଲିବାନ ସହ ମୁଲଚାଲ କରୁଥିବା ଅନ୍ୟ ସହଯୋଗୀ ରାଷ୍ଟ୍ରଙ୍କ ପ୍ରତିନିଧିଙ୍କ ସମସ୍ତ ଉଦ୍ୟମକୁ ପଣ୍ଡ କରିଦେଇଥିଲା । ଏମିତିକି ବିନା ବାଧାରେ ଯେଭଳି କ୍ଷମତା ଦଖଲ କଲେ ତାଲିବାନୀ ନେତାମାନେ ବି ତାକୁ ବିଶ୍ୱାସ କରିପାରୁନାହାନ୍ତି । ଅନ୍ୟପକ୍ଷରେ ଦୋହାରେ ଚାଲିଥିବା ଆଲୋଚନା ପ୍ରତି ତାଲିବାନର କେବେବି ଆନ୍ତରିକତା ନଥିଲା ବୋଲି ଆଉ କିଛି ମହଲରୁ ଯୁକ୍ତି ରଖାଯାଇଛି ।

ଅନ୍ୟପକ୍ଷରେ କ୍ଷମତା ଦଖଲ ପରେ ତାଲିବାନକୁ ମିଳିଛି ଚୀନ୍, ଋଷିଆ ଓ ପାକିସ୍ତାନର ସମର୍ଥନ । ତାଲିବାନ ଆଫଗାନିସ୍ତାନକୁ ଦାସତ୍ୱର ବନ୍ଧନରୁ ମୁକ୍ତ କରିଥିବା କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଇମ୍ରାନ କହିଛନ୍ତି ଯେ ଯେତେବେଳେ ଜଣେ ଅନ୍ୟର ସଂସ୍କୃତିକୁ ଅନୁସରଣ କରେ ତାର ଦାସ ପାଲଟିଯାଏ । ଏଥିରୁ ମୁକ୍ତି ପାଇବା ପରବର୍ତ୍ତୀ ସମୟରେ ସମ୍ଭବ ହୋଇନଥାଏ । ସେଇ ପ୍ରରୀପ୍ରେକ୍ଷୀରେ ତାଲିବାନ ଆଫଗାନିସ୍ତାନକୁ ଦାସତ୍ୱର ଶୃଙ୍ଖଳରୁ ମୁକ୍ତ କରିଥିବା ସେ କହିଛନ୍ତି । ପାକିସ୍ତାନ କ୍ରମାଗତ ଭାବେ ତାଲିବାନକୁ ସମର୍ଥନ କରିଆସୁଥିବା ବେଳେ କାବୁଲ ଦଖଲ ପରେ ଇମ୍ରାନ ଖୋଲାଖୋଲି ଆତଙ୍କୀ ସଂଗଠନ ପଛରେ ଠିଆ ହୋଇଛନ୍ତି । 

ସେହିପରି ଆଫଗାନିସ୍ତାନ ଦେଇ ୟୁରୋପକୁ ନିଜ ରୋଡ୍ ଆଣ୍ଡ ବେଲ୍ଟ ପରିଯୋଜନା ଲମ୍ବାଇ ଚକ୍କରରେ ଥିବା ଚୀନ୍ ମଧ୍ୟ ତାଲିବାନକୁ ସମର୍ଥନ କରିଛି । ତାଲିବାନ ସହ ଉତ୍ତମ ସଂପର୍କ ରଖାଯିବ ବୋଲି ସି. ଜିନ୍‌ପିଙ୍ଗ ପ୍ରଶାସନ ପକ୍ଷରୁ କୁହାଯାଇଛି । ୧୯୯୬ରେ ଚୀନ୍ ତାଲିବାନକୁ ମାନ୍ୟତା ଦେଇନଥିଲା । ତେବେ ନିଜର ବ୍ୟବସାୟିକ ସ୍ୱାର୍ଥ ଓ ଉଇଗୁରୁ ମୁସଲମାନ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ବେଜିଂ ନିଜ ଆଭିମୁଖ୍ୟ ବଦଳାଇଥିବା ଚର୍ଚ୍ଚା ହେଉଛି । ଆମେରିକାର ଅନ୍ୟତମ ପ୍ରତିନ୍ଦ୍ୱନ୍ଦ୍ୱୀ ଋଷିଆ ମଧ୍ୟ ତାଲିବାନକୁ ସମର୍ଥନ କରିଛି ।

ତାଲିବାନ ଅଧୀନରେ ଆଫଗାନିସ୍ତାନ ଅଧିକ ସୁରକ୍ଷିତ ବୋଲି କହିଛି ଋଷ । ତେବେ ଭାରତ ଆଫଗାନିସ୍ତାନ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛି । ତାଲିବାନର ଆଭିମୁଖ୍ୟକୁ ଦେଖି ନୂଆଦିଲ୍ଲୀ ଏହାର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବ ।