• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁର ସତ ବାହାର କରିବାକୁ ଲାଗିପଡ଼ିଛି କ୍ରାଇମବ୍ରାଞ୍ଚ ଟିମ୍। ଘଟଣା ସହ ଜଡିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଚାଲିଛି ମାରାଥନ୍ ଜେରା। ତଦନ୍ତ ଯେତିକି ଆଗଉଛି, ସେତିକି ନୂଆ ନୂଆ ଚରିତ୍ର ସାମ୍ନାକୁ ଆସିବାରେ ଲାଗିଛନ୍ତି। ଘଟଣା ଦିନ ରାତି ୮ଟା ବେଳେ ଖୋଦ୍ ଜିଲ୍ଲାପାଳ, ଡିଏଫ୍ଓଙ୍କ ଘରକୁ ଯାଇଥିଲେ ଏବଂ ଗୁରୁତର ଏସିଏଫଙ୍କୁ ମେଡିକାଲ୍ ନେବା ବେଳେ ବି ସେ ଉପସ୍ଥିତି ଥିଲେ ବୋଲି ଜଗୁଆଳି ବୟାନ ଦେଇଛନ୍ତି। ସହକର୍ମୀ ଏସିଏଫ୍, ଫରେଷ୍ଟ ଗାର୍ଡ, ରୋଷେୟା, ଜଗୁଆଳୀ, ମାଳି ଏବଂ ଆମ୍ବୁଲାନ୍ସ ଡ୍ରାଇଭର ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡିତ ଜଣ ଜଣଙ୍କୁ ଡାକି ଚାଲିଛି ଜେରା।

ପାରଳାଖେମୁଣ୍ଡି ଥାନା ପରିସରରେ ଥିବା ଗେଷ୍ଟ ହାଉସରେ ମାରାଥନ୍ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍। ୫୦ ରୁ ୬୦ ପ୍ରଶ୍ନ, ଘଣ୍ଟା ଘଣ୍ଟାର ଘଣ୍ଟା-ଚକଟା ସମସ୍ତଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି। ତଦନ୍ତକାରୀ ଟିମ୍ ତଦନ୍ତର ଚତୁର୍ଥ ଦିନ ତଥା ଜେରାର ଦ୍ୱିତୀୟ ଦିନରେ ପାଳି ପଡିଥିଲା ଜଗୁଆଳି, ମାଳି ଏବଂ ଜଣେ ବନ କର୍ମଚାରୀଙ୍କର। ସେମାନଙ୍କ ଠାରୁ ସେଦିନର ଘଟଣା ବାବଦରେ ଟିକିନିଖି ଜାଣିବାକୁ ପ୍ରଶ୍ନ ପରେ ପ୍ରଶ୍ନ କରିଚାଲିଥିଲା କ୍ରାଇମବ୍ରାଞ୍ଚ। ଆଉ, ୪ ଘଣ୍ଟାର ପଚରାଉଚରାରେ ଅନେକ ଗୁମର ଖୋଲିଛନ୍ତି ମାଳି ଏବଂ ଜଗୁଆଳି।

ଗେଷ୍ଟ ହାଉସରେ ପଚରାଉଚରା ପରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଥିଲା ସିଡିଏମ୍ଓଙ୍କ ଅଫିସରେ ସେଦିନ ସୌମ୍ୟଙ୍କୁ ନେଇ କଟକ ଯାଇଥିବା ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ ତଦନ୍ତକାରୀ ଅଧିକାରୀ। କ୍ରାଇମବ୍ରାଞ୍ଚର ପଚରାଉଚରା ବେଳେ ମଙ୍ଗଳବାର ସାମ୍ନାକୁ ଆସିଛି ଜିଲ୍ଲାପାଳଙ୍କ ନାଁ। ମୁଖ୍ୟ ଫାଟକ ଜଗୁଆଳି କହିଛନ୍ତି, ଘଟଣା ଦିନ ରାତି ପ୍ରାୟ ୮ଟା ବେଳେ ଜିଲ୍ଲାପାଳ, ଡିଏଫଓଙ୍କ ଘରକୁ ଯାଇଥିଲେ। ଏପରିକି ମୃତ ଏସିଏଫ୍ ସୌମ୍ୟରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲ ନେବା ବେଳକୁ ମଧ୍ୟ ସେ ଘଟଣାସ୍ଥଳରେ ଉପସ୍ଥିତ ଥିବା କ୍ରାଇମବ୍ରାଞ୍ଚ ଏବଂ ଗଣମାଧ୍ୟମ ଆଗରେ ଜଗୁଆଳି ସ୍ପଷ୍ଟ କରିଛନ୍ତି। ଏହାପରେ କ୍ରାଇମବ୍ରାଞ୍ଚ ଡିଏସ୍‌ପି କହିଛନ୍ତି, ଆବଶ୍ୟକ ପଡିଲେ ଜିଲ୍ଲପାଳ ଲିଙ୍ଗରାଜ ପଣ୍ଡାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବା ନେଇ ବିଚାର କରାଯିବ।  

ସୌମ୍ୟଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତ ଯେତିକି ଆଗଉଛି, ସେତିକି ନୂଆ ନୂଆ ତଥ୍ୟ ଓ ଚରିତ୍ର ସାମ୍ନାକୁ ଆସୁଛନ୍ତି। ଫଳରେ ଅଧିକ ରହସ୍ୟ ଘେରରେ ମାମଲା ଛନ୍ଦି ହୋଇଯାଉଛି। ଏଭଳି ସ୍ଥିତିରେ ଅଡୁଆ ସୂତାରୁ ଖିଅ ବାହାର କରିବାରେ କ୍ରାଇମବ୍ରାଞ୍ଚ କେତେ ସଫଳ ହେଉଛି, ତାଉପରେ ସମସ୍ତଙ୍କ ନଜର।

 ରିପୋର୍ଟ: ଗୌତମ ପଣ୍ଡା ଓ ଆଦର୍ଶ ଦାସ