• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମେରିକାରେ ଅଚାନକ ବହୁ ସଂଖ୍ୟକ ଶିଶୁ ନିମୋନିଆରେ ଆକ୍ରାନ୍ତ ହେବା ପରେ ସାରା ବିଶ୍ୱରେ ହଇଚଇ । ଓହାୟୋର ୱାରେନ୍ କାଉଣ୍ଟିରେ ୧୪୫ ଶିଶୁ ନିମୋନିଆରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ବୟସ ୩ରୁ ୧୪ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି ।

ଏହା ଆମେରିକାରେ କେବଳ ଜାତୀୟ ହାର ଠାରୁ ବହୁ ଅଧିକ ନୁହେଁ, ବରଂ ଏହାକୁ ଏକ ଆଉଟବ୍ରେକ୍ ବା ସଂକ୍ରମଣ ବ୍ୟାପିବା ମଧ୍ୟ କୁହାଯାଉଛି । ସେପଟେ ସେଠାକାର ସ୍ୱାସ୍ଥ୍ୟବିଭାଗ ସ୍ପଷ୍ଟ କରିଛି ଯେ, ଏହା କୌଣସି ନୂଆ ରୋଗ ନୁହେଁ । ପୂର୍ବ ବର୍ଷ ଗୁଡ଼ିକ ଭଳି ନିମୋନିଆ ଲକ୍ଷଣ ଦେଖାଯାଉଛି । କିନ୍ତୁ ଏବର୍ଷ ଏତେ ସଂଖ୍ୟକ ଶିଶୁ ଅଚାନକ ଆକ୍ରାନ୍ତ ହେବା ପରେ ଚିନ୍ତା ବଢ଼ିଯାଇଛି ।

ତେବେ ଆଶ୍ୱସ୍ଥିର ବିଷୟ ଯେ, ଅଧିକାଂଶ ଆକ୍ରାନ୍ତ ଘରେ ରହି ଆଣ୍ଟିବାୟୋଟିକ ସେବନ କରି ସୁସ୍ଥ ହୋଇପାରୁଛନ୍ତି । କିଛି ଦିନ ତଳେ ଚୀନରେ ଶିଶୁଙ୍କଠାରେ ଶ୍ୱାସକ୍ରିୟା ସଂପର୍କିତ ରୋଗ ବ୍ୟାପୁଥିବା ଖବର ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଥିଲା ।

ଚୀନରେ ବ୍ୟାପିଥିବା ନିମୋନିଆ ଲକ୍ଷଣଜନିତ ରୋଗ ପାଇଁ ଭାରତବାସୀଙ୍କୁ ଆଗୁଆ ସତର୍କ କରିଥିଲେ କେନ୍ଦ୍ର ସରକାର । ଆଗୁଆ ପ୍ରସ୍ତୁତି ପାଇଁ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦିଆଯାଇଥିଲା । ଜିଲ୍ଲା ଓ ରାଜ୍ୟସ୍ତରୀୟ ସର୍ଭେଲାନ୍ସରେ ILIଏବଂ SARI ଲକ୍ଷଣ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଥିଲା । ଯେଉଁ ରୋଗ ସହ ଶ୍ୱାସକ୍ରିୟାର ସମସ୍ୟା ଜଡ଼ିତ, ସେଥିପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲା ମନ୍ତ୍ରାଳୟ।  

କୋରନା ପରେ ଏବେ ଚୀନରେ ରହସ୍ୟମୟ ନିମୋନିଆ ବ୍ୟାପିଥିଲା, ଯାହା ଏବେ ସାମାନ୍ୟ ଥମିଛି । ଏଥିରେ ହଜାର ହଜାର ପିଲା ଆକ୍ରାନ୍ତ ହୋଇଥିଲେ । ଅସୁସ୍ଥ ଶିଶୁଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରଭାବିତ ପିଲାଙ୍କୁ ପ୍ରବଳ ଜ୍ୱର ହେବା ସହ ସେମାନଙ୍କ ଫୁସ୍‌ଫୁସ୍‌ରେ ପ୍ରଭାବ ଦେଖାଯାଇଥିଲା । ତେବେ ଏହି ରୋଗରର କେନ୍ଦ୍ରସ୍ଥଳ ହେଉଛି ଚୀନ୍‌ର ରାଜଧାନୀ ବେଜିଂ ଓ ଲାଓନିଂ ପ୍ରଦେଶ ବୋଲି କୁହାଯାଇଛି ।